ମହାରାଷ୍ଟ୍ରରେ ଆରମ୍ଭ ହେଲା ସିନ୍ଦେ ଯୁଗ: ସେପଟେ ମାତୋଶ୍ରୀ ମୁକ୍ତ ହେଲା ଶିବସେନା

307

କନକ ବ୍ୟୁରୋ: କନକ ବ୍ୟୁରୋ: ମହାରାଷ୍ଟ୍ର ମହାନାଟକର ନାଟକୀୟ ଅବସାନ ଘଟିଛି । ଶିବସେନା ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ନିଜେ ମୁଖ୍ୟମନ୍ତ୍ରୀ ନହୋଇ ଶିବସେନାର ବିଦ୍ର୍ରୋହୀ ନେତା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିଲେ ତାହା ରାଜନୀତି ମହଲରେ ଭୂକମ୍ପ ସୃଷ୍ଟି କରିଥିଲା । ରାଜ୍ୟ ବିଜେପି ନେତୃବୃନ୍ଦ ମଧ୍ୟ ଫଡ଼ନାଭିସଙ୍କ ଏହି ଘୋଷଣାରେ ଚକିତ ହୋଇଯାଇଥିଲେ । ତେବେ ବିଜେପିର ଏହି ମାଷ୍ଟରଷ୍ଟ୍ରୋକ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁଚିନ୍ତିତ ରଣନୀତି ଥିବା କୁହାଯାଉଛି । ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ମହାରାଷ୍ଟ୍ରର ମହାନାଟକ । ବିଜେପିର ବଡ଼ ଚାଲବାଜି । ଆଉ ଏହାରି ଭିତରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏକନାଥ ସିନ୍ଦେ । ଜଣେ ଶିବସୈନିକ ମୁଖ୍ୟମନ୍ତ୍ରୀ ହେବା ପରେ ଠାକରେ ପରିବାରର ଭବିଷ୍ୟତ ରାଜନୀତି ଅନ୍ଧକାରମୟ ବୋଲି ସ୍ପଷ୍ଟ ଜଣାପଡ଼ିଛି ।

ବିଜେପି ଏବେ ଶିବସେନାକୁ ପରିବାରରୁ ମୁକ୍ତ ଏବଂ ମାତୋଶ୍ରୀ ମୁକ୍ତ କରିବା ଏକପ୍ରକାର ନିଶ୍ଚିତ । ବିଜେପି ଶିବସୈନିକଙ୍କୁ ରାଜ୍ୟର ମୁ୍ଖ୍ୟମନ୍ତ୍ରୀ ଭାବେ ଘୋଷଣା କରି ଠାକରେ ପରିବାରର ଭବିଷ୍ୟତ ରାଜନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ସହ ମହାରାଷ୍ଟ୍ର ରାଜନୀତିରେ ଏବେ ଆରମ୍ଭ ହୋଇଛି ହିନ୍ଦୁତ୍ୱ ରାଜନୀତିର ନୂଆଯୁଗ । ଏବଂ ମୋଦି ମଡ଼େଲ ଦ୍ୱାରା ଶିବସେନା ଭଳି ଏକ କ୍ୟାଡ଼ର ଭିତିକ ଦଳ ଠାକରେ ପରିବାର ନିୟନ୍ତ୍ରଣରୁ ମୁକ୍ତ ହେବାକୁ ଯାଉଛି । ବିଜେପି ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରି ପଛକୁ ହଟିବା ଭଳି ପଦକ୍ଷେପ ନେଇଛି ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ଅସଲରେ ଆଗାମୀ ଦିନରେ ଏକ ବଡ଼ ଲମ୍ପ ପାଇଁ ପ୍ରସ୍ତୁତ ବୋଲି ରାଜନୈତିିଜ୍ଞମାନେ ମତ ରଖିଛନ୍ତି ।

ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ସରକାର ଗଠନ ହେବା ଦ୍ୱାରା ଆଗକୁ ମହାରାଷ୍ଟ୍ର ରାଜନୀତିରେ ସିନ୍ଦେ ଗୋଷ୍ଠୀକୁ ଶିବସେନାର ଅନ୍ୟ ବିଧାୟକଙ୍କ ସମର୍ଥନ ମଧ୍ୟ ମିଳିବ । ସିନ୍ଦେ ଆଗକୁ ଶିବସେନାକୁ ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପାଇଁ ସବୁ ପ୍ରକାର ପ୍ରୟାସ କରିବେ । ଉଦ୍ଧବ ଠାକରେ ଏନସିପି ଓ କଂଗ୍ରେସ ସହ ମେଂଟ କରିବା ପରଠାରୁ ହିନ୍ଦୁତ୍ୱ ବିରୋଧୀ ଭାବେ ସମାଲୋଚିତ ହୋଇ ଆସୁଥିଲେ । ହିନ୍ଦୁତ୍ୱ ପ୍ରସଙ୍ଗରେ ଦେଶର ଏକ ପ୍ରମୁଖ ରାଜ୍ୟରେ ସରକାରର ପତନ ସହ ବିଜେପି ନୂଆ ରଣନୀତି ପ୍ରୟୋଗ କରିଛି । ଏନସିପି ଓ କଂଗ୍ରେସ ପାଇଁ ମଧ୍ୟ ମୋଦି-ଶାହାଙ୍କ ଏହି ରଣନୀତି ସଙ୍କଟ ବଢ଼ାଇ ଦେଇଛି ।

ତେବେ ବହୁ ଚର୍ଚ୍ଚା ଓ ମହାରାଷ୍ଟ୍ରର ନାଟକୀୟ ରାଜନୀତିର ଅବସାନ ପରେ ସିନ୍ଦେଙ୍କ ଯୁଗ ଆରମ୍ଭ ହୋଇଛି । ଏବଂ ମୋଦୀ–ଶାହାଙ୍କ ଏହି ସୁଚିନ୍ତିତ ରଣନୀତିରେ ବିଜେପି ଏବେ ଶିବସେନାକୁ ପରିବାରରୁ ମୁକ୍ତ ଏବଂ ମାତୋଶ୍ରୀ ମୁକ୍ତ କରିବାକୁ ଯାଉଛି । ତେବେ ଏହା ସହ ଏନସିପି ଓ କଂଗ୍ରେସ ପାଇଁ ମଧ୍ୟ ମୋଦି-ଶାହଙ୍କ ଏହି ରଣନୀତି ସଙ୍କଟ ବଢ଼ାଇଥିବା ଚର୍ଚ୍ଚା ହୋଇଛି ।