ସିଲେଇ ମେସିନ କରିଛି ସ୍ୱାବଲମ୍ବୀ: ଆଦିବାସୀ ଅଂଚଳରେ ୪୦ ଜଣଙ୍କୁ ମହିଳାଙ୍କୁ ଦେଇଛି ରୋଜଗାର

91

କନକ ବ୍ୟୁରୋ: ଆତ୍ମ ସମ୍ମାନ ସହ ବଂଚିବାକୁ ଫିଟିଛି ବାଟ । ପୁରୁଷ ନୁହେଁ ଏବେ ଘର ଚଳାଉଛନ୍ତି ଆଦିବାସୀ ମହିଳା । ଚକ ଗଢାଇ ପୁରୁଛି ପେଟ । ପରିବାରର ଅଭାବ ଅନଟନକୁ ଦୂର କରିଛନ୍ତି ମହିଳା । ସିଲେଇ ମେସିନରେ ବସି ଦିନ ତମାମ କାମ କରି ଆଦିବାସୀ ଅଂଚଳ ର ପରିବାରର ଲୋକଙ୍କ ପାଇଁ ଆହାର ଯୋଗାଡ କରୁଛନ୍ତି । ଜଳ ବିଭିଜିକା ପ୍ରକଳ୍ପ ସହାୟତାରେ ୪ ଲକ୍ଷ ଟଙ୍କା ର ଋଣ ପାଇ ଆତ୍ମନିର୍ଭରଶୀଳ ଆଦିବାସୀ ଇଲାକାର ଆଗୁଆ ମହିଳା ।

ପେଡେଲ ମାରିବାରୁ ଗଢୁଛି ଚକ । ହାତ ଚଲାଇବାରୁ ଫିଟୁଛି ଭୋକ । ଆଉ ଚୁଲି ମୁଣ୍ଡରେ ଗଡୁନି ଦିନ । ଏବେ ପରିବାରର ସ୍ୱର୍ବକର୍ତା ଆଦିବାସୀ ମହିଳା । ସିଲେଇ ମେସିନ ଦେଇଛି ନୂଆ ପରିଚୟ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ କୁଟୁଣିପାଲିର ଆଦିବାସୀ ୪୦ ମହିଳା ଏବେ ସାରା ଜିଲ୍ଲାରେ ସୃଷ୍ଟି କରିଛନ୍ତି ଉଦାହରଣ । ମାଲକାନଗିରି ଜିଲ୍ଲା ଜଳ ବିଭିଜିକା ପ୍ରକଳ୍ପ ସହାୟତାରେ ୪ ଲକ୍ଷ ଟଙ୍କା ଋଣ ଆଣିବା ପରେ ମେସିନ୍ କିଣିଛନ୍ତି ମହିଳା । କୁଟୁଣିପାଲି ପଂଚାୟତ ରାଜିବ ଗାନ୍ଧୀ ସେବା ଗୃହରେ ମହିଳାମାନଙ୍କୁ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦେଇଛି ଜଳ ବିଭିଜିକା ପ୍ରକଳ୍ପ । ପ୍ରତିଦିନ ଟେଲରିଂ କରି ଅର୍ଥ ଯୋଗାଡ କରୁଛନ୍ତି ଏମାନେ । ଯାହା ଦ୍ୱାରା ପରିବାରର ଆର୍ଥିକ ଭରଣ ପୋଷଣରେ ବି ସମ୍ପୂର୍ଣ ସହଯୋଗ କରୁଛନ୍ତି ଆଦିବାସୀ ମହିଳା ।

ସମୟ ପରିବର୍ତନ ପରେ ମୁକ୍ତ ଆକାଶରେ ଆଦିବାସୀ ମହିଳା । ପୂର୍ବରୁ ଘରୁ ପଦାକୁ ବାହାରିବା ମୁସକିଲ ହୋଇପଡୁଥିଲା । ଘରୋଇ କାମରେ ଦିନ ବିତୁଥିଲା । ଏବେ କିନ୍ତୁ ନିଜ ପରିବାରଙ୍କୁ ପ୍ରତିପୋଷଣ କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଏମାନେ । କୁଟୁଣିପାଲି ପଂଚାୟତର ୪୦ ଆଦିବାସୀ ମହିଳା ଓ ଯୁବତୀମାନେ ଏହି ଟେଲରିଂରେ ସାମିଲ ହୋଇପାରିଛନ୍ତି । ନିଜ ଦକ୍ଷତା ଅନୁସାରେ ବିଭିନ୍ନ ପ୍ରକାର ପୋଷାକ ସିଲେଇ କରି ମାଥିଲି ଅଂଚଳରେ ଯୋଗାଉଛନ୍ତି ଉପାନ୍ତ ଅଂଚଳର ଆଗୁଆ ଆଦିବାସୀ ନାରୀ । ଏମିତି କି ବିଭିନ୍ନ ସ୍ଥାନରୁ ପୋଷାକ ପାଇଁ ମଧ୍ୟ ଯୋଗାଯୋଗ କରିବାକୁ ବାହାରୁ ଗ୍ରାହକଙ୍କ ଭିଡ ଜମୁଛି ।

ନୂଆ ବାଟ ଦେଖାଇଛି ଜଳ ବିଭିଜିକା ପ୍ରକଳ୍ପ । ୪ ଲକ୍ଷ ଟଙ୍କାର ସହାୟତା କରି ମହିଳାଙ୍କୁ ରୋଜଗାର ଦେଖାଇ ଉଦାହରଣ ସାଜିଛନ୍ତି ଅଧିକାରୀ । ଆଦିବାସୀ ମହିଳାମାନେ ଉପାନ୍ତ ଗାଁରେ ପୋଷାକ ବିତରଣ କେନ୍ଦ୍ର କରି ପୁରାଅଂଚଳରେ ଚର୍ଚ୍ଚା ସାଉଁଟିଛନ୍ତି ।