କରୋନାକୁ ନେଇ ଆସିଲା ଭଲ ଖବର : ଡିସେମ୍ବର ମାସ ସୁଦ୍ଧା ୧୦ କୋଟି ଟିକା ପ୍ରସ୍ତୁତ ହେବା ନେଇ ସୂଚନା ଦେଲା ସେରମ୍ ଇନଷ୍ଟିଚ୍ୟୁଟ୍

501

କନକ ବ୍ୟୁରୋ : କରୋନା ମହାମାରୀର ଦ୍ୱିତୀୟ ପ୍ରବାହକୁ ନେଇ ଆଶଙ୍କା ବଢ଼ୁଥିବା ବେଳେ ଆସିଛି ଆଶ୍ୱସ୍ତି ଦେଲା ଭଳି ଖବର । ବିଶ୍ୱର ସବୁଠୁ ବଡ଼ ଟିକା ତିଆରି କମ୍ପାନୀ ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ସୂଚନା ଦେଇଛି ଯେ ଡିସେମ୍ବର ସୁଦ୍ଧା କରୋନା ଟିକାର ୧୦ କୋଟି ଡୋଜ୍ ପ୍ରସ୍ତୁତ ହୋଇଯିବ । ଟିକା ବ୍ୟବହାର ପାଇଁ ଜରୁରୀ ଅନୁମତି ମିଳିଲେ ଡିସେମ୍ବରରେ ଏହି ଟିକା ଭାରତରେ ଉପଲବ୍ଧ ହୋଇପାରେ ବୋଲି କହିଛି ସେରମ୍ ଇନଷ୍ଟିଚ୍ୟୁଟ୍ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ମିଳିିତ ଭାବେ ବିକଶିତ କରୁଥିବା କରୋନା ଟିକାକୁ କୋଭିସିଲ୍ଡ ନାଁରେ ପ୍ରସ୍ତୁତ କରୁଛି ସେରମ୍ ।

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଭାରତରେ କରିବାକୁ ଯାଉଛି ସେରମ୍ ଇନ୍ଷ୍ଟିଚ୍ୟୁଟ୍ । ଟିକା ପରୀକ୍ଷଣ ପାଇଁ ସ୍ୱେଚ୍ଛାସେବୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି । ପୂର୍ବରୁ ଯେଉଁ ପରୀକ୍ଷଣ ହୋଇଥିଲା, ତାହା ବେଶ ଉତ୍ସାହଜନକ ଥିଲା ବୋଲି କହିଛି ସେରମ୍ ।

କରୋନା ଟିକାର ପ୍ରାୟ ୧୦୦ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି ମିଳିଛି । ସେରମ୍ କରୁଥିବା ଟିକାର ୫୦ ପ୍ରତିଶତ ଭାରତକୁ ମିଳିବ ବୋଲି କୁହାଯାଇଛି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାକୁ ନେଇ ଭଲ ଖବର ଆସିଥିବା ବେଳେ ରୁଷିଆ ଟିକା ସ୍ପୁଟନିକ୍-ଭି କୁ ନେଇ ମଧ୍ୟ ଭଲ ଖବର ଆସିଛି । ରୁଷିଆ କରୋନା ଟିକାର ଲୋଗୋ ଥିବା କଂଟେନର୍ ଏକ ମିନିଟ୍ରକରୁ ଅନ୍ଲୋଡ ହେବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ପୁଟନିକ୍-ଭି ଭ୍ୟାକ୍ସିନ୍ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡିସ୍ ଲାବୋରେଟୋରିଜ୍କୁ ଅନୁମତି ମିଳିବା ପରେ ରୁଷିଆ ଭ୍ୟାକ୍ସିନ ଭାରତରେ ପହଁଚିଥିବା କୁହାଯାଉଛି ।

ଆମେରିକାର ଫାଇଜର ଟିକାର ସଫଳତା ୯୦ ପ୍ରତିଶତ ବୋଲି ଦାବି କରାଯାଇଥିବା ବେଳେ ‘ସ୍ପୁଟନିକ୍-ଭି’ କରୋନା ଟିକା ୯୨ ପ୍ରତିଶତ ସଫଳ ବୋଲି ଦାବି କରିଛି ରୁଷିଆର ଗାମାଲୟା ସେଂଟର । କରୋନା ଟିକା ତାଲିକାରେ ‘ସ୍ପୁଟନିକ୍-ଭି’କୁ ସାମିଲ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆବେଦନ କରିଛି ଗାମାଲୟା ସେଂଟର ।

ସ୍ପୁଟନିକ୍-ଭି ଭ୍ୟାକ୍ସିନ୍ ପ୍ରଥମ କରୋନା ଟିକା ଭାବେ ଦାବି କରିଥିଲା ରୁଷିଆ । ତେବେ ଏହାର ପରୀକ୍ଷଣ ନିର୍ଦ୍ଧାରିତ ନିୟମରେ ହୋଇନଥିବା ଦର୍ଶାଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏବେ କିନ୍ତୁ ରୁଷିଆ ଟିକାକୁ ନେଇ ସକରାତ୍ମକ ଆଭିମୁଖ୍ୟ ଦେଖାଇଛି ଡବ୍ଲୁଏଚଓ । ସ୍ପୁଟନିକ୍-ଭି ବନାଇଥିବା ଗାମାଲୟା ସେଂଟରକୁ ପରୀକ୍ଷଣର ସମସ୍ତ ତଥ୍ୟ ପଠାଇବାକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।