ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିବ ୧୦ କୋଟି କରୋନା ଟିକା । ଆମେରିକାର ନୋଭାଭାକ୍ସ ସହ ଟିକାର ବିକାଶ ଓ ବିତରଣ ନେଇ ଚୁକ୍ତି

363

କନକ ବ୍ୟୁରୋ : ଭାରତର ଅଗ୍ରଣୀ ଟିକା ନିର୍ମାତା କମ୍ପାନୀ ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆମେରିକାର ମେରିଲାଣ୍ଡ ସ୍ଥିତ ନୋଭାଭାକ୍ସ ଇନ୍ ସହ ମିଶି ଏକ କୋଭିଡ୍ ୧୯ ଟିକାର ବିକାଶ ଏବଂ ବ୍ୟବସାୟିକ ପ୍ରସ୍ତୁତି ପାଇଁ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ତେବେ ଉଭୟ କମ୍ପାନୀ ଭାରତ ଏବଂ ଅନ୍ୟାନ୍ୟ ନିମ୍ନ ଓ ମଧ୍ୟବିତ ଦେଶମାନଙ୍କରେ ବିତରଣ ପାଇଁ ଏନଭିଏକ୍ସ-କୋଭ୍ ୨୩୭୩ ନାମର ଉକ୍ତ ଟିକାର ଅତି କମରେ ୧୦ କୋଟି ମାତ୍ରା ପ୍ରସୁତ କରିବେ । ତେବେ ବଡ କଥା ହେଉଛି ଯେ, କେବଳ ଭାରତ ପାଇଁ ୫୦ ପ୍ରତିଶତ ଅର୍ଥାତ୍ ୫ କୋଟି ଡୋଜ୍ ପ୍ରସ୍ତୁତ କରାଯିବ ଏବଂ ଦେଶ ମଧ୍ୟରେ ବିତରଣ କରାଯିବ ।

ଏଥିରେ ବିଲ୍ ଗେଟନ୍ସ ଫାଉଣ୍ଡେସନ୍ ଆର୍ଥିକ ସହାୟତା କରିବ । ସେହିପରି ପୂର୍ବରୁ ନୋଭାଭାକ୍ସ ସହ ମିଶି ଏକ ମ୍ୟାଲେରିଆ ଟିକାର ବିକାଶ ବେଳେ ସେମାନଙ୍କ ଟିକା ବିକାଶ ଦକ୍ଷତା ସମ୍ପର୍କରେ ଆମେ ଦୃଢ ନିଶ୍ଚିତ ରହିଛୁ ବୋଲି ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଆଦର ପୁନାୱାଲା କହିଛନ୍ତି । ତେଣୁ ମହାମାରୀ କୋଭିଡ-୧୯ ବିରୋଧରେ ଏନଭିଏକ୍ସ-କୋଭ୍ ୨୩୭୩ ଉଲ୍ଲେଖନୀୟ ସଫଳତା ଆଣିଦେବ ବୋଲି ସେ ଆଶାବାଦୀ ଅଛନ୍ତି ।

ଏହି ସବୁ ନିର୍ଧାରିତ ଦେଶ ମାନଙ୍କରେ ଯୁଦ୍ଧକାଳୀନ ଭିତିରେ ଟିକା ଉପଲବ୍ଧ କରାଇବାକୁ ଉଭୟ କମ୍ପାନୀ ପ୍ରସ୍ତୁତି ଚଳାଇଛନ୍ତି । ସେହିପରି ଟିକାର ମାତ୍ରା ହିସାବରେ ସିରମ ଇନଷ୍ଟିଚ୍ୟୁଟ୍ ବିଶ୍ୱର ସର୍ବାଧିକ ଟିକା ପ୍ରସ୍ତୁତ କରିବାର ରେକର୍ଡ ବହନ କରୁଥିବାରୁ କମ୍ପାନୀ ସହ ମିଶି କୋଭିଡ୍ ଟିକା ପ୍ରସ୍ତୁତି ପାଇଁ ସେମାନେ ଇଛା ପ୍ରକାଶ କରିଥିବ ନୋଭାଭାକ୍ସ ପକ୍ଷରୁ କୁହାଯାଇଛି । ସେପଟେ ଗୋଟିଏ ଗୋଟିଏ କରୋନା ଟିକାର ଡୋଜ୍ ପ୍ରତି ମୂଲ୍ୟ ୨୨୫ ଟଙ୍କା ରଖିବାକୁ ପ୍ରସ୍ତାବ ଦିଆଯାଇଛି ।