କନକ ବ୍ୟୁରୋ: ରତ୍ନଭଣ୍ଡାର କମିଟିର ଦ୍ୱିତୀୟ ବୈଠକ ଆଜି ଅନୁଷ୍ଠିତ ହେବ । ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟିର ବୈଠକ ବସିବ । କମିଟି ନିକଟରେ ଆଜି ଜିଲ୍ଲା ଟ୍ରେଜରୀରେ ଥିବା ରତ୍ନଭଣ୍ଡାରରେ ଡୁପ୍ଲିକେଟ ଚାବି  ଦାଖଲ କରାଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି ।

Advertisment

ତିନି ଠାକୁର ବଡ଼ଦେଉଳରୁ ରଥଯାତ୍ରାରେ ବାହାରି ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ତେଣୁ ଏହି ସମୟ ଭିତରେ ରତ୍ନଭଣ୍ଡାର ଖୋଲି, ଭଣ୍ଡାରରେ ଥିନା ରତ୍ନପଥର, ଅଳଙ୍କାରର ଗଣତି ମଣତି ସହ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ହେଲେ ମରାମତି କରାଯିବ । ସେନେଇ ଆଜି ହେବାକୁ ଥିବା ରୁଦ୍ଧଦ୍ୱାର ବୈଠକରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ଅଧିକ ରହିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କ ପକ୍ଷରୁ ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଶନିବାର ହୋଇଥିଲା । ବୈଠକରେ ରତ୍ନଭଣ୍ଡାର ଖୋଲିନା ନେଇ ୧୬ ଜଣିଆ କମିଟି ବିସ୍ତୃତ ଆଲୋଚନା କରିଥିଲେ । ଦୀର୍ଘ  ୨ଘଣ୍ଟାର ରୁଦ୍ଧ ଦ୍ୱାର ବୈଠକ ପରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ବନାଥ ରଥ କହିଥିଲେ, ସବୁ କାଗଜପତ୍ରର ଯାଞ୍ଚ ପରେ ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ଜିଲ୍ଲା ଟ୍ରେଜରିରେ ରହିଛି । ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ନ ଖୋଲିଲେ ତାଲା ଭାଙ୍ଗି ଦିଆଯିବ ବୋଲି ଅଧ୍ୟକ୍ଷ କହିଥିବାରୁ ରତ୍ନଭଣ୍ଡାର ଖୋଲିବା ଆଶା ଦୃଢ଼ୀଭୂତ ହୋଇଛି ।