ନଭେମ୍ୱର ମାସରେ ଭାରତକୁ ଆସିପାରେ ରାଫେଲ ଯୁଦ୍ଧ ବିମାନର ଦ୍ୱିତୀୟ କିସ୍ତି । ପ୍ରକଳ୍ପର ସ୍ଥିତି ତଦାରଖ ପାଇଁ ଫ୍ରାନ୍ସରେ ଭାରତୀୟ ବାୟୁସେନା ଟିମ

127

କନକ ବ୍ୟୁରୋ : ଫ୍ରାନ୍ସରେ କିପରି ଚାଲିଛି ରାଫେଲ୍ ଜେଟ୍ ର ଉତ୍ପାଦନ । ଏହାର ସ୍ଥିତି ସମୀକ୍ଷା କରିବାକୁ ଫ୍ରାନ୍ସ ଗସ୍ତରେ ରହିଛି ଏୟାର ଫୋର୍ସ ଟିମ୍ । ଭାରତୀୟ ବାୟୁସେନା ଅଧିକାରୀ ଆଶା ରଖିଛନ୍ତି ଯେ ପ୍ରତି ଦୁଇ ମାସରେ ତିନି କିଂବା ଚାରୋଟି ରାଫେଲ୍ ଜେଟ୍ ଭାରତକୁ ଅଣାଯିବ । ମୋଟ୍ ଉପରେ ୩୬ଟି ରାଫେଲ୍ ବିମାନ ପାଇଁ ଫ୍ରାନ୍ସ ସହିତ ଚୁକ୍ତି ହୋଇଥିଲା । ପ୍ରଥମ ଦଫାରେ ଭାରତକୁ ୫ଟି ରାଫେଲ୍ ଯୁଦ୍ଧ ବିମାନ ଆସିଛି । ଏବେ ପ୍ରତି ଦୁଇ ମାସରେ ତିନି କିଂବା ୪ଟି କରି ବାକି ସମସ୍ତ ରାଫେଲ୍ ବିମାନକୁ ଭାରତକୁ ଅଣାଯିବା ନେଇ ଯୋଜନା କରୁଛି ଭାରତ ସରକାର ।

ଏହି ପରି ପ୍ରକ୍ରିୟାରେ ୨୦୨୦ ବର୍ଷ ଶେଷ ସୁଦ୍ଧା ଭାରତକୁ ସମସ୍ତ ରାଫେଲ୍ ମଗାଇବା ବ୍ୟବସ୍ଥା କରୁଛନ୍ତି କେନ୍ଦ୍ର ସରକାର । ଦୁଇ ଜଣ ଉଚ୍ଚ ଅଧିକାରୀଙ୍କ ସହ ଇଣ୍ଡିଆନ୍ ଏୟାର ଫୋର୍ସର ଏକ ଟିମ୍ ବର୍ତମାନ ରାଫେଲ୍ ସ୍ଥିତି ସମୀକ୍ଷା କରିବାକୁ ଏବେ ଫ୍ରାନ୍ସରେ ଅଛନ୍ତି । ବିଶେଷ କରି ଫ୍ରାନ୍ସରେ ରାଫେଲ୍ ପ୍ରକଳ୍ପ କେତେ ଦୂର ଆଗେଇଛି , କେତେ ଦୂର ଏହାର ପ୍ରସ୍ତୁତି ସରି ଆସିଲାଣି ତାହାର ସ୍ଥିତି ସମୀକ୍ଷା କରୁଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତର ଅଂବାଲା ଏୟାର ବେସକୁ ଆସିବ ରାଫେଲର ଦ୍ୱିତୀୟ କିସ୍ତିର ଯୁଦ୍ଧ ବିମାନ । ଗତ ଜୁଲାଇ ୨୯ ତାରିଖରେ ରାଫେଲର ପ୍ରଥମ ଦଫାରେ ୫ଟି ରାଫେଲ୍ ଆସିଥିଲା ।

ଗତ ସେପ୍ଟେମ୍ୱର ୧୦ ତାରିଖରେ ରାଫେଲକୁ ବିଦ୍ଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା । ଦ୍ୱିତୀୟ ଦଫାରେ ଭାରତକୁ ତିନି କିଂବା ୪ଟି ରାଫେଲ୍ ଆସିବା ନେଇ ସୂଚନା ଦେଇଛନ୍ତି ବାୟୁସେନା ଅଧିକାରୀ । ସୀମାରେ ପାକିସ୍ତାନ ଏବଂ ଚୀନ୍ ସହିତ ବଢୁଥିବା ତିକ୍ତତା ମଧ୍ୟରେ ସୀମାରେ ରାଫେଲ୍ ମୁତୟନ କରି ଶତ୍ରୁକୁ କଡା ଜବାବ ଦେବାକୁ ଯୋଜନା କରୁଛନ୍ତି ଭାରତ ସରକାର । ଏହି କ୍ରମରେ ଫ୍ରାନ୍ସରୁ ତୁରନ୍ତ ବାକି ଥିବା ୩୧ଟି ରାଫେଲକୁ ପର୍ଯ୍ୟାୟ କ୍ରମେ ମଗାଇବାକୁ ବ୍ଲୁ ପ୍ରିଂଟ ତିଆରି କରି ସାରିଲେଣି କେନ୍ଦ୍ର ସରକାର ।

୨୦୧୬ ମସିହାରେ ୫୯ ହଜାର କୋଟି ଟଙ୍କା ମୂଲ୍ୟରେ ଫ୍ରାନ୍ସ ସହିତ ୩୬ଟି ରାଫେଲ୍ ପାଇଁ ଚୁକ୍ତି କରିଥିଲେ ମୋଦି ସରକାର । ୧୯୯୭ ମସିହା ଜୁନ୍ ମାସରେ ଭାରତୀୟ ବାୟୁସେନାରେ ପ୍ରଥମ ଥର ପାଇଁ ସୁଖୋଇ ୩୦ ଜେଟ୍ ବିମାନ ସାମିଲ ହୋଇଥିଲା । ୨୦୨୦ ସେପ୍ଟେମ୍ୱର ମାସରେ ବିଶ୍ୱର ସବୁଠାରୁ ଦୁର୍ଦ୍ଧଶ ଯୁଦ୍ଧ ବିମାନ ରାଫେଲ୍ କୁ ସାମିଲ କରି ଭାରତୀୟ ସେନା ଏହାର ଶକ୍ତି ବୃଦ୍ଧି କରିଛି । ୬୦ ହଜାର ଫୁଟ ଉଚ୍ଚରେ ରହି ଏକା ଥରକେ ୬ଟି ସ୍ଥାନକୁ ଲକ୍ଷ୍ୟଭେଦ କରିବା କ୍ଷମତା ରାଫେଲ୍ ନିକଟରେ ରହିଛି । ପ୍ରାୟ ୧୦ ଟନ୍ ଯୁଦ୍ଧାସ୍ତ୍ର ବହନ କରିବାର ମଧ୍ୟ କ୍ଷମତା ରଖିଥିବାରୁ ଏହା ଶତ୍ରୁ ଛାତିରେ ଛନକା ଆଣିଥାଏ ।