ଦେଶରେ ଡର ବଢାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ଫୋକସରେ ବିମାନ ବନ୍ଦର, ରେଳ ଷ୍ଟେସନ । ନୂଆ କଟକଣା ଜାରି କଲେ ବିଭିନ୍ନ ରାଜ୍ୟ ।

610

କନକ ବ୍ୟୁରୋ : ଦେଶରେ ପ୍ରାୟ ୧୬ଟି ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦେଖାଦେଇଥିବା ବେଳେ, ୫ ରାଜ୍ୟରେ ସବୁଠାରୁ ଅଧିକ ହୋଇଛି ସଂକ୍ରମଣ । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଓ ପଞ୍ଜାବରେ ସଂକ୍ରମଣ ହାର ସବୁଠାରୁ ଦ୍ରୁତ ରହିଛି । ଏପରି ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ଜାରି କରିଛନ୍ତି କଡା କଟକଣା । ଯେଉଁମାନେ ଅଧିକ ସଂକ୍ରମିତ ରାଜ୍ୟରୁ ଆସୁଛନ୍ତି, ସେମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି କୋଭିଡ୍ ନେଗେଟିଭ୍ ରିପୋର୍ଟ ।

ଦେଶରେ ଡର ବଢାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ଆପଣ ଦିଲ୍ଲୀ ଆସୁଛନ୍ତି କି, ତେବେ ଆପଣ ଅଧିକ ସତର୍କ ହୋଇଯାଅନ୍ତୁ । ଦିଲ୍ଲୀ ସରକାର ଏବେ ୫ ରାଜ୍ୟରୁ ଦିଲ୍ଲୀ ଆସୁଥିଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ପଂଜାବ । ଏହି ୫ ରାଜ୍ୟରୁ ଯଦି ଆପଣ ଦିଲ୍ଲୀ ଆସୁଛନ୍ତି ତେବେ ଅଧିକ ସତର୍କ ହୁଅନ୍ତୁ । କାରଣ ଦିଲ୍ଲୀ ଆସିବାକୁ ହେଲେ ଆପଣଙ୍କୁ ଦେଖାଇବାକୁ ପଡିବ କରୋନା ନେଗେଟିଭ୍ ରିପୋର୍ଟ । ତା ପୁଣି ଗସ୍ତର ୭୨ ଘଂଟା ଭିତରର ନେଗେଟିଭ୍ ରିପୋର୍ଟ । ଯଦି ଆପଣଙ୍କ ଠାରେ କୌଣସି ସଂକ୍ରମଣର ଚିହ୍ନ ମିଳେ ତେବେ ଆପଣଙ୍କୁ ତୁରନ୍ତ ପଠାଇ ଦିଆଯିବ ସଂଗରୋଧରେ । ବିଶେଷ କରି ବିମାନ ବନ୍ଦର ଗୁଡିକରେ ଏହାକୁ ନେଇ ଯାଂଚ କଡାକଡି କରାଯାଇଛି । ବର୍ତମାନ ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ଥିବା ୫ ରାଜ୍ୟରୁ ଦିଲ୍ଲୀକୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ଏପରି କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର । ଫେବ୍ରୁଆରୀ ୨୬ ତାରିଖ ମଧ୍ୟରାତ୍ରିରୁ ମାର୍ଚ୍ଚ ୧୫ ତାରିଖ ଯାଏଁ ଜାରି ରହିବ ଏ କଟକଣା ।

– ମହାରାଷ୍ଟ୍ର ସରକାରଙ୍କ ନୂଆ ଏସଓପି
– ୬ ରାଜ୍ୟରୁ ଆସୁଥିଲେ କୋଭିଡ ନେଗେଟିଭ୍ ରିପୋର୍ଟ ଜରୁରୀ
– କେରଳ, ଗୋଆ, ଗୁଜରାଟ, ଦିଲ୍ଲୀ ଏନସିଆର, ରାଜସ୍ଥାନ, ତେଲେଙ୍ଗାନା
– ୯୬ ଘଂଟା ପୂର୍ବରୁ କରାଇଥିବେ ଆରଟିପିସିଆର ଟେଷ୍ଟ

ଆପଣ ଏହି ୬ଟି ରାଜ୍ୟରୁ ଯଦି ମହାରାଷ୍ଟ୍ରକୁ ଆସୁଛନ୍ତି, ତେବେ ଦେଖାଇବାକୁ ହେବ ଆରଟିପିସିଆର ନେଗେଟିଭ୍ ରିପୋର୍ଟ । ଏଥିପାଇଁ ନୂଆ ଏସଓପି ଜାରି ହୋଇଛି । ତେବେ ମହାରାଷ୍ଟ୍ର ସରକାରଙ୍କ ନିୟମ ଅନୁସାରେ ଯାତ୍ରାର ୪ ଦିନ ଆଗରୁ ନେଗେଟିଭ୍ ଟେଷ୍ଟ ରିପୋର୍ଟ ଦେଖାଇଲେ ଚଳିବ । ସଂକ୍ରମଣର କୌଣସି ଲକ୍ଷଣ ଦେଖାଦେଲେ କରାଯିବ ଆଂଟିଜେନ୍ ଟେଷ୍ଟ । ଯଦି ଏହି ଆଂଟିଜେନ୍ ଟେଷ୍ଟ ନେଗେଟିଭ୍ ଆସିବ, ତାପରେ ଯାତ୍ରୀଙ୍କୁ ଯିବାକୁ ମିଳିବ ଅନୁମତି ।

ଦିଲ୍ଲୀ ପରି କର୍ଣ୍ଣାଟକ ସରକାରଙ୍କ ପଦକ୍ଷେପ
– କର୍ଣ୍ଣାଟକକୁ ଯିବା ଆସିବା ପାଇଁ ଆବଶ୍ୟକ କୋଭିଡ୍ ନେଗେଟିଭ୍ ରିପୋର୍ଟ
– ବସ, ଟ୍ରେନ୍ ଓ ରେଳ ଯାତ୍ରୀଙ୍କ ପାଇଁ ଆବଶ୍ୟକ ନେଗେଟିଭ୍ ରିପୋର୍ଟ
– କେରଳରୁ ପୁଣେକୁ ଆସୁଥିବା ଲୋକଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଉତ୍ତରାଖଣ୍ଡ ସରକାରଙ୍କ କରୋନା କଟକଣା
– କରୋନା ସଂକ୍ରମିତ ୫ ରାଜ୍ୟରୁ ଆସୁଥିଲେ ଆବଶ୍ୟକ ନେଗେଟିଭ୍ ରିପୋର୍ଟ
– ହରିଦ୍ୱାର କୁମ୍ଭମେଳା ପାଇଁ ପ୍ରଶାସନର କଡା କଟକଣା
– କୁମ୍ଭମେଳା ପାଇଁ ଆସୁଥିଲେ ସାଙ୍ଗରେ ଆଣିବାକୁ ହେବ କରୋନା ନେଗେଟିଭ୍ ରିପୋର୍ଟ

ଦେଶର ପ୍ରାୟ ୧୬ଟି ରାଜ୍ୟରେ କରୋନାର ଦ୍ୱିତୀୟ ଲହର ପାଇଁ ଭୟ ଅଧିକ ବଢିଛି । ଏପରି ସମୟରେ ବେସାମରିକ ବିମାନ ଚଳାଚଳ ବିଭାଗ ମଧ୍ୟ ଜାରି କରିଛି ଗାଇଡଲାଇନ୍ । ବିଶେଷ କରି ବିମାନ ବନ୍ଦର ଗୁଡିକରେ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଭାରତକୁ ଆସୁଥିବା ବିମାନ ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା
-ଏୟାରସୁବିଧା ପୋର୍ଟାଲରେ ଅପଲୋଡ୍ କରିବାକୁ ହେବ ନେଗେଟିଭ୍ ରିପୋର୍ଟ
-ଯାତ୍ରାର ୭୨ ଘଂଟା ଆଗରୁ ଆସିଥିବ ନେଗେଟିଭ୍ ରିପୋର୍ଟ
-ବିମାନ ଆରୋହଣ ବେଳେ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ
-ସବୁ ଯାତ୍ରୀଙ୍କୁ ଡାଉନଲୋଡ୍ କରିବାକୁ ହେବ ଆରୋଗ୍ୟ ସେତୁ ଆପ୍
-ବ୍ରିଟେନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକାରୁ ଆସୁଥିଲେ ୧୪ ଦିନିଆ ସଂଗରୋଧ
-୧୪ ଦିନ ପରେ ଲକ୍ଷଣ ଦେଖାନଗଲେ ଯିବାକୁ ମିଳିବ ଅନୁମତି
– ଆମେରିକା, ୟୁରୋପ ଏବଂ ମଧ୍ୟପ୍ରାଚ୍ୟରୁ ଆସିଲେ କରାଇବାକୁ ହେବ କରୋନା ଟେଷ୍ଟ

ବିଶେଷ କରି ବିମାନ ବନ୍ଦର, ରେଳ ଷ୍ଟେସନ ଗୁଡିକ ଉପରେ ଅଧିକ ଫୋକସ ରହିଛି । ଅନ୍ତର୍ଜାତୀୟ ବିମାନ ଯାତ୍ରାରୁ ଆସୁଥିବା ଯାତ୍ରୀଙ୍କ ଉପରେ ରହିଛି ନଜର । କାରଣ ବର୍ତମାନ ଦେଶ ଭିତରେ କରୋନା ଭୂତାଣୁ ରୂପ ବଦଳାଉଥିବା ବେଳେ ଯଦି ବିଦେଶରୁ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ସଂକ୍ରମଣ ବ୍ୟାପେ , ଆଗକୁ ଏହା ଅଧିକ ବିପଦଜନକ ହୋଇପାରେ ।