ଆସନ ଭାଗବଂଟା ଛକାପଞ୍ଝାରେ ଅଟକିଛି ମେଂଟ: ଅନେକ ଆସନରେ ହୋଇପାରୁନି ସହମତି!

1,620

କନକ ବ୍ୟୁରୋ: ଦିନ ଗଡ଼ିବା ସହ ବିଜେଡି-ବିଜେପି ମେଂଟକୁ ନେଇ ସସପେନ୍ସ ଜାରି ରହିଛି । ମେଂଟ ନେଇ ଯଦିଓ ଉଭୟ ଦଳର ନେତା କିଛି ସ୍ପଷ୍ଟ ସୂଚନା ଦେଉନାହାନ୍ତି, କିନ୍ତୁ କିଏ କେତେ ଆସନ ପାଇବ, ତାକୁ ନେଇ ସୋସିଆଲ ମିଡିଆରେ କଳ୍ପନାଜଳ୍ପନା ଜୋର ଧରିଛି । ବିଜେପି ଅଧିକ ଲୋକସଭା ଆସନ ଚାହୁଁଥିବା ବେଳେ ବିଜେଡି ଅଧିକ ବିଧାନସଭା ଆସନ ଚାହୁଁଥିବା ଚର୍ଚ୍ଚା ହେଉଛି । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ଲାଗି ରହିଛି ଟଣାଓଟରା । ବଡ଼ କଥା ହେଉଛି ଆଉ କିଛି ଦିନ ପରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ତା’ ପୂର୍ବରୁ ମେଂଟ ନେଇ କୌଣସି ମୁହୂର୍ତରେ ଖବର ଆସିପାରେ ।

ମେଂଟ ଘୋଷଣା ଯେତିକି ବିଳମ୍ବ ହେଉଛି, ସେହି ପରିମାଣରେ ବଢ଼ିଚାଲିଛି ଆକଳନ ଓ ଅନୁମାନ । ଉଭୟ ବିଜେପି-ବିଜେଡିର ଶୀର୍ଷ ନେତୃତ୍ୱ ଏପର୍ଯ୍ୟନ୍ତ ମେଂଟ ନେଇ ପଦଟିଏ କହୁନାହାନ୍ତି । ଅନ୍ୟପଟେ ସୋସିଆଲ୍ ମିଡିଆରେ ବିଭିନ୍ନ କଳ୍ପନାଜଳ୍ପନା ଜୋର ଧରିବାରେ ଲାଗିଛି । କେବଳ ଓଡ଼ିଶାରେ ନୁହେଁ ଜାତୀୟ ସ୍ତରରେ ବି ଏହି ଆଲୋଚନା ଚାଲିଛି । ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ, ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ୧୩ ଅନୁପାତ ୮ ଫମୁର୍ଲା ଦେଇଛନ୍ତି । ତାଙ୍କ ମତରେ ଲୋକସଭାରେ ୧୩ଟି ଆସନରେ ଲଢ଼ିପାରେ ବିଜେପି, ଆଉ ବିଜେଡିକୁ ମିଳିବ ୮ଟି ଲୋକସଭା । ଏପଟେ ବିଧାନସଭାରେ ୪୯ ଅନୁପାତ ୯୮ ନେଇ ଆକଳନ କରିଛନ୍ତି ରାଜଦୀପ । ଅର୍ଥାତ ବିଜେପି ଭାଗରେ ୪୯ ବିଧାନସଭା ଓ ବିଜେଡି ଭାଗରେ ପଡିବ ୯୮ ବିଧାନସଭା ।

ରାଜଦୀପ ସରଦେଶାଇ, ବରିଷ୍ଠ ସାମ୍ବାଦିକ
ଲୋକସଭା: ୧୩ ବିଜେପି, ୮ ବିଜେଡି
ବିଧାନସଭା: ୪୯ ବିଜେପି, ୯୮ ବିଜେଡି

ଏପଟେ ଦଳୀୟ ଅନ୍ଦରମହଲରୁ ଯେଉଁ ସୂଚନା ମିଳୁଛି, ସେଥିରେ ମଧ୍ୟ ତାଳମେଳ ରହୁନାହିଁ । ତେବେ ଗୋଟିଏ କଥା ସ୍ପଷ୍ଟ, ଯଦି ମେଂଟ ହୁଏ, ତେବେ ଲୋକସଭାରେ ବଡ଼ଭାଇ ଭୂମିକା ତୁଲାଇବ ବିଜେପି, ଆଉ ବିଧାନସଭାରେ ବିଜେଡି ହେବ ବଡ଼ ଭାଇ । ନଜର ପକାନ୍ତୁ କେଉଁ ଅନୁପାତକୁ ନେଇ ଚର୍ଚ୍ଚା ଅଧିକ ହେଉଛି । ଲୋକସଭା ପାଇଁ ୧୩ ଅନୁପାତ ୮ କିମ୍ବା ୧୪ ଅନୁପାତ ୭କୁ ନେଇ ଅଙ୍କକଷା ଚାଲିଥିବା କୁହାଯାଉଛି । ଅର୍ଥାତ ବିଜେପି ୧୩ କିମ୍ବା ୧୪ ଲୋକସଭା ଆସନରେ ଲଢ଼ିପାରେ, ଆଉ ବିଜେଡି ୭ କିମ୍ବା ୮ ଆସନରେ ପ୍ରାର୍ଥୀ ଦେଇପାରେ । ସେହିପରି ବିଧାନସଭାରେ ବିଜେପି ଭାଗରେ ୫୬ କିମ୍ବା ୪୯ ଆସନ ପଡିପାରେ । ବିଜେଡି ଲଢ଼ିପାରେ ୯୧ କିମ୍ବା ୯୮ ଆସନରେ ।

ମେଂଟ ଗଣିତ: କ’ଣ ହେଉଛି ଚର୍ଚ୍ଚା?
ଲୋକସଭା
ବିଜେପି:ବିଜେଡି – ୧୩: ୮ କିମ୍ବା ୧୪: ୭
ବିଧାନସଭା
ବିଜେପି:ବିଜେଡି – ୫୬:୯୧ କିମ୍ବା ୪୯:୯୮

ଏପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ । ଏହାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । କୁହାଯାଉଛି, ରାଜ୍ୟପାଳ ରଘୁବର ଦାସ ୩୦ଟି ଯାକ ଜିଲ୍ଲା ବୁଲିଛନ୍ତି । ଏବଂ ରାଜ୍ୟର ସ୍ଥିତି ନେଇ ରାଜ୍ୟପାଳ ରିପୋର୍ଟ ଦେଇ ଥାଇପାରନ୍ତି । ଅବଶ୍ୟ ଦୁହିଁଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି, ତାହା ଜଣାପଡିନାହିଁ ।

ଚର୍ଚ୍ଚା ହେଉଛି ଶହେରୁ ଅଧିକ ବିଧାନସଭା ଆସନ ପାଇଁ ଅଡି ବସିଛି ବିଜେଡି । ଅନ୍ୟପଟେ ବିଜେପିର ଦାବି ହେଉଛି ୫୫ରୁ ୬୦ଟି ସିଟ୍ରେ ସେମାନଙ୍କର ଜିତିବା ସମ୍ଭାବନା ରହିଛି । ତେଣୁ ସେମାନଙ୍କୁ ସେତିକି ଆସନ ଦିଆଯାଉ । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ଟଣାଓଟରା ଚାଲିଥିବା କୁହାଯାଉଛି ।

ଏବେ ନଜର ପକାଇବା କାହିଁକି ୧୦୦ରୁ ଅଧିକ ସିଟ୍ ଚାହୁଁଛି ବିଜେଡି?
୨୦୧୯ରେ ବିଜେଡି ୧୧୨ ବିଧାନସଭାରେ ବିଜୟୀ ହୋଇଥିଲା
ମାତ୍ର ୨୩ ଆସନରେ ବିଜୟୀ ହୋଇଥିଲା ବିଜେପି
୧୦୦ରୁ କମ୍ ଆସନ ମିଳିଲେ ସମସ୍ୟା ସୃଷ୍ଟି ହେବା ଆଶଙ୍କା କରୁଛି ବିଜେଡି
କେବଳ ସଂଖ୍ୟାକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇପାରୁନି, ସେକଥା ନୁହେଁ –
ନିର୍ଦ୍ଦିଷ୍ଟ ଆସନକୁ ନେଇ ମଧ୍ୟ ରହିଛି ଦୁଇ ଦଳ ମଧ୍ୟରେ ମତଭେଦ
ପ୍ରତ୍ୟେକ ଆସନକୁ ନେଇ ନିଜ ନିଜର ଯୁକ୍ତି ଦର୍ଶାଉଛନ୍ତି ବିଜେଡି-ବିଜେପି
ଯେଉଁଠି ସହମତି ହେଉନି, ସେଇଠି ଅଟକୁଛି ଆଲୋଚନା
ଫଳରେ ବିଳମ୍ବ ହେଉଛି ମେଂଟ ଘୋଷଣା!