କଟକ ନୟାସଡକ IIFL ସଂସ୍ଥାରୁ ଲୁଟ୍ ସୁନାର ସନ୍ଧାନ ଜାରି : ଲକର୍ ଚାବି ରଖିଥିବା ମହିଳା ଅଫିସରଙ୍କୁ ପୋଲିସର ପଚରାଉଚରା 

715

କନକ ବ୍ୟୁରୋ : କଟକ ନୟାସଡକ ଆଇଆଇଏଫଲ ସଂସ୍ଥାରୁ ଲୁଟ ହୋଇଥିବା ସୁନା ଖୋଜୁଛି ପୋଲିସ୍ । ଅଭିଯୁକ୍ତଙ୍କ ବୟାନ ଆଧାରରେ କଟକ ମର୍କତନଗର ଅଂଚଳରେ ଥିବା ଏକ କେନାଲ ନିକଟରେ ଲୁଚାଇ ରଖିଥିବା ସୁନାକୁ ପୋଲସ ଖୋଜୁଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ଲୁଟ କରିଥିବା ସୁନାକୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା ପୋଲିସକୁ କହିଥିଲେ । ଲୁଟ ଘଟଣାରେ ଜଣେ ମହିଳା ଲାଲାକୁ ସହଯୋଗ କରିଥିଲା । ସେହି ସଂସ୍ଥାର ମହିଳା କର୍ମଚାରୀଙ୍କ ପାଖରେ ରହୁଥିଲା ଲକର ଚାବି । ସେହି ମହିଳାଙ୍କୁ ଏବେ ବି ଚାଲିଛି ଜେରା । ମୁଖ୍ୟ ଅଭିଯୁକ୍ତ ସମେତ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଲାଲାର ଭାଇ ଏବେ ବି ଫେରାର ଅଛି ।

ଗତ ୧୯ ତାରିଖରେ ଆଇଆଇଏଫଏଲରୁ ନାଟକୀୟ ଭାବେ ସୁନା ଲୁଟି ନେଇଥିଲେ ଲୁଟେରା । ଏହି ସଂସ୍ଥାର ଜଣେ କର୍ମଚାରୀ ଏହି ଲୁଟର ମୁଖ୍ୟ ଷଡଯନ୍ତ୍ରକାରୀ ଥିବା ନେଇ ଗତକାଲି ସୂଚନା ଦେଇଥିଲେ ପୋଲିସ କମିଶନର । କର୍ମଚାରୀ ଲାଲା ଅମିତ ରାୟ ଓ ତାଙ୍କ ବନ୍ଧୁ ରଞ୍ଜନ ବେହେରା ମିଶି ଏହି ଲୁଟର ନାଟକ ରଚିଥିଲେ । ମୁଖ୍ୟ ଅଭିଯୁକ୍ତ ଲାଲା ଅମରିତର ଦୁଇଟି ସୌଖିନ୍ ଗାଡ଼ି ଅଡ଼ି ଏବଂ ବୁଲେଟ ଜବତ କରିଛି ପୋଲିସ । ଏହି ଗାଡ଼ିଟି ଲାଲା ଅନ୍ୟ ନାମରେ କିଣିଥିଲା ।