ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚାଲିଛି ଘର ଖୋଜା । ୧୦ ଦିନ ପରେ ବି ମିଳିନି ଘର

1,204

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ମୋହନ ମାଝୀ, ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ ଭାବେ ରହି, ନିଜର ସବୁ କାର୍ଯ୍ୟ ଚଳାଉଛନ୍ତି । ଲୋକଙ୍କୁ ଭେଟିବା ହେଉ କିମ୍ବା କୌଣସି ବିଭାଗର ସମୀକ୍ଷା, ସବୁ କିଛି ସେହିଠାରେ ଚାଲିଛି । କିନ୍ତୁ ଏହା ଭିତରେ ଶପଥ ଗ୍ରହଣକୁ ୧୦ଦିନ ବିତିଥିଲେ ବି, ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ଥାୟୀ ଘରର ବ୍ୟବସ୍ଥା ନକରାଯିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବଡ କଥା ହେଉଛି, ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେଉଁଠି ରହିବେ ଏପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ । ନବୀନ ପଟ୍ଟନାୟକଙ୍କ ସମୟରେ ଗ୍ରୀଭାନ୍ସ ସେଲ ଭାବେ କାର୍ଯ୍ୟ କରୁଥିବା ଘରେ ନୂଆ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଚର୍ଚ୍ଚା ହେଉଥିଲେ ବି ସେଠାରେ ସେଭଳି କୌଣସି କାର୍ଯ୍ୟ ଆରମ୍ଭ ହୋଇ ନାହିଁ ।

ଦେଶର ଅଧିକାଂଶ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବାସଭବନ ରହିଛି । ଯିଏ ମୁଖ୍ୟମନ୍ତ୍ରୀ ହେଲେ ବି ସେହି ବାସଭବନରୁ ସେମାନେ ରହି କାର୍ଯ୍ୟ ଚଳାଇଥାନ୍ତି । ସେହି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଥାନ୍ତି ।.. ଓଡିଶାରେ ପୂର୍ବରୁ ସମାନ ଢ଼ାଂଚାରେ କାର୍ଯ୍ୟ ଚାଲି ଆସୁଥିଲା । ହେଲେ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାପରଠାରୁ ଧାରା ବଦଳି ଯାଇଥିଲା । ନବୀନ ନିବାସରେ ରହି ୨୪ବର୍ଷ ଧରି ସେ ତାଙ୍କର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ଯେଉଁ ବାସଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ, ଗିରିଧର ଗମାଙ୍ଗ ରହୁଥିଲେ ତାହା ନବୀନଙ୍କ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପରିଣତ ହୋଇଥିଲା । ଆଉ ଏବେ ସେହି ପ୍ରକୋଷ୍ଠ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ।

ତେବେ ଏଜି ଛକରୁ ରାଜଭବନ ମଧ୍ୟରେ, ଦୁଇ ପାଶ୍ୱର୍ରେ ଥିବା ସରକାରୀ କ୍ୱାର୍ଟର ଗୁଡିକର ଯାଂଚ ଚାଲିଛି । ସବୁ ଦୃଷ୍ଟିକୋଣରୁ ସୁହାଇଲା ଭଳି ଘର ମିଳିଲେ ମୁଖ୍ୟମନ୍ତ୍ରୀଙ୍କ ରହିବା ପାଇଁ ସେଠାରେ ବ୍ୟବସ୍ଥା କରାଯିବ । କେବଳ ମୁଖ୍ୟମନ୍ତ୍ରୀଙ୍କୁ ନୁହେଁ, ବହୁ ମନ୍ତ୍ରୀଙ୍କୁ ଏବେ ସୁଧା ଘର ମିଳିନି । ସୂଚନା ଅନୁସାରେ ପୂର୍ବ ସରକାରରେ ମନ୍ତ୍ରୀ ଓ ବିଧାୟକ ଥିବା ନେତାମାନେ ସରକାରୀ କ୍ୱାର୍ଟର ଛାଡିବା ପରେ ନୂଆ ମନ୍ତ୍ରୀମାନଙ୍କୁ ଘର ମିଳିବ ।