ସ୍କୁଲରେ ହେବ ପୋଷଣ ଉଦ୍ୟାନ : କଦଳୀ, ଅମୃତଭଣ୍ଡା, ଲେମ୍ବୁ ଗଛ ଲାଗିବ; ୪୩ ହଜାର ସ୍କୁଲ ପାଇଁ ଖର୍ଚ୍ଚ ହେବ ସାଢ଼େ ୨୧ କୋଟି

390

କନକ ବ୍ୟୁରୋ : ରାଜ୍ୟର ୪୩ ହଜାର ସ୍କୁଲରେ ହେବ ପୋଷଣ ଉଦ୍ୟାନ। ଏହାଦ୍ୱାରା ମଧ୍ୟାହ୍ନଭୋଜନରେ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ମିଳିବ। କଦଳୀ, ଅମୃତଭଣ୍ଡା ସହ ଋତୁକାଳୀନ ପନିପରିବା ଚାଷ ହେବାକୁ ଥିବାରୁ ଛାତ୍ରଛାତ୍ରୀ ପୋଷଣଯୁକ୍ତ ଖାଦ୍ୟ ଖାଇପାରିବେ। ୨୦୧୮ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ଆଧାର କରି ସ୍କୁଲ କ୍ୟାମ୍ପସରେ ଉଦ୍ୟାନର ବିକାଶ କରିବାକୁ କୁହାଯାଇଛି।

ପୋଷଣ ଉଦ୍ୟାନ ହେବାକୁ ଥିବା ୪୩ ହଜାର ସ୍କୁଲ ପାଇଁ ୨୧ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପ୍ରତି ସ୍କୁଲ ପିଛା ୫ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ ହେବ। ସ୍କୁଲରେ କଦଳୀ, ଅମୃତଭଣ୍ଡା, ଲେମ୍ବୁ ଆଦି ଗଛ ଲଗାଯିବ। ବର୍ତ୍ତମାନ ମୌସୁମୀ ସମୟ ଚାଲିଥିବାରୁ ସ୍କୁଲ ହତା ଭିତରେ ବ୍ୟାପକ ବୃକ୍ଷରୋପଣ କରିବାକୁ ନିର୍ଦେଶ ଦେବା ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ କୁହାଯାଇଛି।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩ ହଜାର ୭୯ଟି ସ୍କୁଲରେ ପୋଷଣ ଉଦ୍ୟାନ ହେବ। ଏହାବ୍ୟତୀତ ବାଲେଶ୍ୱରରେ ୨୪୬୬, କୋରାପୁଟରେ ୨୨୨୨, କେନ୍ଦୁଝରରେ ୨୧୭୬, ସୁନ୍ଦରଗଡ଼ରେ ୧୯୫୦, କଟକରେ ୧୮୩୧, ବଲାଙ୍ଗୀରରେ ୧୭୯୦, ରାୟଗଡ଼ା‌ରେ ୧୭୮୩, କଳାହାଣ୍ଡିରେ ୧୭୭୭, ପୁରୀରେ ୧୭୬୨, ନବରଙ୍ଗପୁରରେ ୧୫୮୦, ମୟୂରଭଞ୍ଜରେ ୧୫୭୫, ଯାଜପୁରରେ ୧୬୭୫, ଭଦ୍ରକରେ ୧୫୨୧,ଢେଙ୍କାନାଳରେ ୧୪୨୫, ଖୋର୍ଦ୍ଧାରେ ୧୪୦୮, କନ୍ଧମାଳରେ ୧୪୦୬, ବରଗଡ଼ରେ ୧୩୯୦, କେନ୍ଦ୍ରାପଡ଼ାରେ ୧୩୫୩, ଜଗତ୍‌ସିଂହପୁରରେ ୧୩୪୫, ଅନୁଗୁଳରେ ୧୨୦୮ ପୋଷଣ ଉଦ୍ୟାନ ହେବ। ଅନ୍ୟ ସମସ୍ତ ଜିଲ୍ଲାରେ ଏକ ହଜାରରୁ କମ୍‌ ସ୍କୁଲରେ ଉଦ୍ୟାନ କରାଯିବ। ନୂଆପଡ଼ାରେ ସର୍ବନିମ୍ନ ୪୩୨ଟି ସ୍କୁଲରେ ପୋଷଣ ଉଦ୍ୟାନ କରିବାକୁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି।

ଗାଇଡ୍‌ଲାଇନ୍‌ ଅନୁଯାୟୀ, ପୋଷଣ ଉଦ୍ୟାନ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହଯୋଗ କରିବେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ(ଉଦ୍ୟାନ କୃଷି) ବୈଷୟିକ ସହାୟତା ଯୋଗାଇବା ସହ ଆବଶ୍ୟକତା ଅନୁଯାୟୀ ଚାରା ଯୋଗାଣ, ସାର ଓ ଆବଶ୍ୟକ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବ। କଦଳୀ, ଅମୃତଭଣ୍ଡା, ଲେମ୍ବୁ ଗଛ ସହ ଦୀର୍ଘ ସମୟ ପାଇଁ ନଡ଼ିଆ ଓ ପଣସ ଚାରାରୋପଣ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ଜଳ ଯୋଗାଣ କରିବାକୁ ଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନ ଆଶ୍ରମ ଓ ସେବାଶ୍ରମର ଛାତ୍ରଛାତ୍ରୀ ବି ସହଯୋଗର ହାତ ବଢ଼ାଇବେ। ଯେତେଶୀଘ୍ର ସମ୍ଭବ ଏ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ମଧ୍ୟାହ୍ନଭୋଜନ ନୋଡାଲ ଅଫିସର୍‌ ଗଙ୍ଗାଧର ସାହୁ ଡିଇଓମାନଙ୍କୁ ଚିଠି ଲେଖିଛନ୍ତି।