ସେପ୍ଟେମ୍ବର ୨୧ରୁ ୯ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ, ଏସଓପି ଜାରି କଲେ କେନ୍ଦ୍ର ସରକାର

9,958

କନକ ବ୍ୟୁରୋ : ଆସନ୍ତା ୨୧ ତାରିଖରୁ ୯ମରୁ ୧୨ଶ ଶ୍ରେଣୀ ସ୍କୁଲ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ଏଥିପାଇଁ ଆଜି କେନ୍ଦ୍ର ସରକାର ମାନକ ଆଚରଣବିଧି (ଏସଓପି) ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ ଶ୍ରେଣୀରେ ସାମାଜିକ ଦୂରତ୍ୱ ପାଳନ, ମାସ୍କ ପିନ୍ଧିବା, ହାତ ଧୋଇବା ଆଦିକୁ ବାଧ୍ୟତାମୂଳକ କରାଯାଇଛି । ସ୍କୁଲ ସବୁ ସ୍ଥାନରେ ସାମାଜିକ ଦୂରତ୍ୱ ପାଳନ କରାଯିବ ।

ସ୍କୁଲରେ କୌଣସି ପ୍ରକାରର ସମାରୋହ, କ୍ରୀଡ଼ା ପ୍ରତିଯୋଗିତା ଆଦିକୁ ବାରଣ କରାଯାଇଛି । କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯିବ । ଆହୁରି ମଧ୍ୟ ସ୍କୁଲର ଯେଉଁ କର୍ମଚାରୀ, ଶିକ୍ଷକ, ଛାତ୍ରଛାତ୍ରୀ କଣ୍ଟେନମେଣ୍ଟ ଜୋନରେ ରହୁଥିବେ ସେମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବ ନାହିଁ । ତେବେ ଏହି ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲକୁ ଆସିବା କେବଳ ଇଚ୍ଛାଧୀନ ହେବ ।କରୋନା ସଂକ୍ରମଣ ଓ ଲକଡାଉନ ଯୋଗୁଁ ଗତ ମାର୍ଚ୍ଚ ମାସରୁ ସାରା ଦେଶରେ ସ୍କୁଲ, କଲେଜ ଆଦି ବନ୍ଦ ରହିଛି । ଓଡ଼ିଶାରେ ସ୍କୁଲ, କଲେଜ ଗୁଡ଼ିକୁ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।