ଚନ୍ଦାହାଣ୍ଡି ଘାଟି ଦୁର୍ଘଟଣାରେ ଶିକ୍ଷକଙ୍କୁ ହରାଇଛି ବିଦ୍ୟାଳୟ: ଖେଳ ଶିକ୍ଷକ ପ୍ରଭାସ ଜେନାଙ୍କୁ ବିଦାୟ ଦେବା ବେଳେ ବିଦ୍ୟାଳୟରେ ଅସମ୍ଭବ ନୀରବତା

242

କନକ ବ୍ୟୁରୋ: ଭାରି ମନେ ପଡୁଛନ୍ତି ସାର୍ । ସାରଙ୍କ ଅଭୁଲା ସ୍ମୃତିକୁ ଦେଖି ଲୁହରେ ଭିଜୁଛି ସମସ୍ତଙ୍କ ଆଖି । ମୋବାଇଲରୁ ମୋବାଇଲ ଘରି ବୁଲଛି ନବରଙ୍ଗପୁର ଖେଳ ଶିକ୍ଷକଙ୍କ ଅଭିନୟ ମାଧ୍ୟମରେ ଶିକ୍ଷାଦାନର ଅଭୁଲା ସ୍ମୁତି ।

ଚନ୍ଦାହାଣ୍ଡି ଘାଟିରେ ବସ୍ ଦୁର୍ଘଟଣାରେ ଚାଲି ଯାଇଛନ୍ତି ଖେଳ ଶିକ୍ଷକ, ହେଲେ ସତେଜ ରହିଛି ତାଙ୍କ ସ୍ମୃତି । ଶିକ୍ଷକଙ୍କ ମରଶରୀର ତାଙ୍କ ଗାଁକୁ ଯିବା ପୂର୍ବରୁ ବିଦ୍ୟାଳୟରେ ତାଙ୍କ ଶେଷ ଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଓ ଶିକ୍ଷୟତ୍ରୀ । ଖେଳ ସାର୍ ଏଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଥିବା ବେଳେ ତାଙ୍କ ଶିକ୍ଷାଦାନ ସମୟର ଭାଇରାଲ ଭିଡିଓକୁ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଆଉ ସାରଙ୍କ ଶିକ୍ଷାଦାନ ଶୈଳିକୁ ଦେଖି ତାଙ୍କୁ ଝୁରୁଛନ୍ତି ଛାତ୍ରଛାତ୍ରୀ ।

ସମସ୍ତଙ୍କ ଆଖିରେ ଲୁହ ଓ ଛାତିରେ କୋହ ଦେଇ ବିଦାୟ ନେଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ୱାମୀ ବିବେକନ୍ଦନ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଭାସ ଜେନା । ଉମରକୋଟ ଆଦର୍ଶ ବିଦ୍ୟାଳୟର ଚନ୍ଦାହାଣ୍ଡି ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତାରେ ଭାଗ ନେବା ଛାତ୍ରଛାତ୍ରୀଙ୍କ ସହ ଖେଳ ସାର ବସ୍ ଯୋଗେ ଯାଉଥିବା ବେଳେ ଘାଟିରେ ଓଲଟି ପଡିଥିଲା ବସ । ସେଥିରେ ଛାତ୍ରଛାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତି ଯାଇଛି, ହେଲେ ଖେଳ ଶିକ୍ଷକ ସବୁ ଦିନ ପାଇଁ ଆଖି ବୁଝି ଦେଇଛନ୍ତି ।

ଶିକ୍ଷକଙ୍କ ମୃତ୍ୟୁ ପରେ ଉମରକୋଟ ସ୍ୱାମୀ ବିବେକନ୍ଦନ ବିଦ୍ୟାଳୟ ପରିବେଶ ପୁରା ଖାଁ ଖାଁ ହୋଇପଡିଛି । ଗତକାଲି ଯାଏଁ ଶିକ୍ଷକଙ୍କ ଖେଳ-ଆସନ-ପ୍ରାଣୟମରେ ଚଳଚଂଚଳ ହୋଇପଡୁଥିବା ବିଦ୍ୟାଳୟ ପରିସରରେ ଆଜି ତାଙ୍କ ଫଟୋ ଦୁର୍ଘଟଣାରୁ ଦୁଃଖ ବୟାନ କରୁଛି ।