କନକ ବ୍ୟୁରୋ: “ଭଲ ପାଠ ପଢ, ବଡ ସ୍ବପ୍ନ ଦେଖି ତାକୁ ସାକାର କର “ କୁନି କୁନି ଛାତ୍ରଛାତ୍ରୀଙ୍କ ପାଇଁ ଏପରି କିଛି ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯାହାକୁ ଏକ ଫଳକରେ ଚିତ୍ରଣ କରାଯାଇ ସ୍କୁଲର କାନ୍ଥରେ ଲଗାଯାଇଛି। ସ୍କୁଲର ଅବସ୍ଥା ଏପରି ଯେ ସ୍ବପ୍ନ ଦେଖିବା ତ ଦୂରର କଥା କେମିତି ସୁରକ୍ଷିତର ସହ ବସି ପାଠପଢିବେ ସେହି ଚିନ୍ତାରେ ଲାଗିପଡିଥାଆନ୍ତି ୫୧ ଜଣ ଛାତ୍ରଛାତ୍ରୀ ମାନେ।

Kanak News is now on WhatsApp
Join and get latest news updates delivered to you via WhatsApp
ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପଂଚାୟତରେ ଥିବା ଏକ ସରକାରୀ ବିଦ୍ୟାଳୟ । ୧୩ ବର୍ଷ ହେଲା ମାଟି କାନ୍ଥ ଓ ମାଟି ଚଟାଣରେ ବସି ପଢୁଛନ୍ତି ୫୧ ଜଣ ଛାତ୍ରଛାତ୍ରୀ । ଦୟନୀୟ ଅବସ୍ଥାରେ କୁନି କୁନି ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି ୨ ଜଣ ଶିକ୍ଷକ । ଜଙ୍ଗଲ ଭିତରେ ଥିବା ଏହି ସ୍କୁଲର ଅବ୍ୟବସ୍ଥାକୁ ଦେଖି ପାରୁନାହାନ୍ତି ବିକାଶର ନାରା ଦେଉଥିବା ରାଜନେତା ଓ ରାଜ୍ୟ ସରକାର ।
୨୦୧୦ ମସିହାରେ ମାଟି କାନ୍ଥ ଓ ଚାଳ ଖପର ଘରେ ଆରମ୍ଭ ହୋଇଥିଲା ନୀଳଗିରି ବ୍ଲକ ତରମନଟି ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟଟି ଭବିଷ୍ୟତରେ କୋଠାଘରରେ ପରିଣତ ହେବ ବୋଲି ପ୍ରତିଶ୍ରୁତି ମିଳିିଥିଲା । ହେଲେ ଆଜି ଯାଏଁ ଭାଗ୍ୟ ବଦଳିଲା ନାହିଁ । ଶିକ୍ଷକ ଓ ଗ୍ରାମବାସୀଙ୍କ ଉଦ୍ୟମରେ ଚାଳ ଛପରଟି ଆଜବେଷ୍ଟସରେ ପରିଣତ ହୋଇଛି । କିନ୍ତୁ କୋଠାଟିଏ ତିଆରି ହୋଇପାରିନାହିଁ । ଏହାକୁ ନେଇ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ସେପଟେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରିଣୀ କହିଛନ୍ତି, ବିଦ୍ୟାଳୟଟି ଜଙ୍ଗଲ ଜମିରେ ରହିଥିବାରୁ ଉନ୍ନତିକରଣରେ ଅସୁବିଧା ହେଉଛି ।
ଯେଉଁ ବିଦ୍ୟାଳୟରେ କୋଠା ଘର ଅଛି, ସେଠି ଅଧିକ ଘର କରାଯାଉଛି । ଅଯଥାରେ ଅର୍ଥ ଖର୍ଚ କରାଯାଉଛି, ହେଲେ ଯେଉଁଠି ବିଦ୍ୟାଳୟ ଗୃହର ଆବଶ୍ୟକତା ରହିଛି, ସେଠି ସରକାରଙ୍କ ନଜର ପଡୁନାହିଁ ।