କନକ ବ୍ୟୁରୋ: ଆଦିବାସୀ ଅଧୁଷିତ ଅଞ୍ଚଳରେ ଶିକ୍ଷାର ବିକଳ ଚିତ୍ର । ଖରା ଛୁଟି ପରଠାରୁ ବିଦ୍ୟାଳୟରେ ପଡିଛି ତାଲା । ସ୍କୁଲ ଆସୁନାହାନ୍ତି ଶିକ୍ଷକ । ଏମିତି କି ଖରା ଛୁଟି ପୂର୍ବରୁ ଆଜି ପର୍ଯ୍ୟନ୍ତ ପିଲାଙ୍କୁ ମିଳିନି ମଧ୍ୟାହ୍ନ ଭୋଜନ । ଗାଁର କିଛି ଶିକ୍ଷିତ ପିଲାଙ୍କ ଭରଷାରେ ଭବିଷ୍ୟତ ଗଢୁଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ନଆସି ମୋଟା ଅଙ୍କର ଦରମା ନେଉଛନ୍ତି ଶିକ୍ଷକ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଟିଣ ସାହି ପ୍ରାଥମିକ ବିଦ୍ୟାଳୟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପିଲା ପାଠ ପଢୁଥିବା ବେଳେ ଏଠାରେ ନିଜସ୍ୱ ସ୍କୁଲ ଘର ନାହିଁ । ଜଣଙ୍କ ଘରେ ପିଲା ପାଠ ପଢୁଥିବା ବେଳେ ସ୍କୁଲରେ ଶିକ୍ଷୟତ୍ରୀ ସୁଚିଶ୍ମିତା ଦାସ ଓ ଶିକ୍ଷକ ପ୍ରକାଶ ଶବର ରହିଛନ୍ତି । ତେବେ ପ୍ରକାଶ ସ୍କୁଲର ପ୍ରଧାନ ଶିକ୍ଷକ ହୋଇଥିବା ବେଳେ ସେ କେବେ ବି ସ୍କୁଲ ଆସନ୍ତିନାହିଁ । ପ୍ରଧାନ ଶିକ୍ଷକ କାଁ ଭାଁ କେବେ ସ୍କୁଲକୁ ଆସୁଥିବା ପିଲାମାନେ କହିଛନ୍ତି । ତେବେ ଶିକ୍ଷୟତ୍ରୀ ସୁଚିଶ୍ମିତା ସ୍କୁଲକୁ ନିୟମିତ ଆସୁଥିବା ବେଳେ ଖରା ଛୁଟି ପରଠାରୁ ନିଜର ବିବାହ ରହିଥିବା କାରଣରୁ ଛୁଟିରେ ଅଛନ୍ତି । ଯାହା ଫଳରେ ସ୍କୁଲ ସମ୍ପୁର୍ଣ୍ଣ ବନ୍ଦ ରହିଛି । କେତେବେଳେ ସମୟ ମିଳିଲେ ଗାଁ ଯୁବକ ପିଲାଙ୍କୁ ଡାକି ପଢାଉଛନ୍ତି । ସରକାର ଶିକ୍ଷାର ଉନ୍ନତି ପାଇଁ କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଆଦିବାସୀ ଅଧ୍ୟୁସିତ ବାଦପଲ୍ଲୀ ପଂଚାୟତରେ ସତେ ଯେମିତି କାହାର ନଜର ପଡୁନାହିଁ ।
ସ୍କୁଲର ନାହିଁ ନିଜସ୍ୱ ଘର, ଆସୁନାହାନ୍ତି ଶିକ୍ଷକ କି ଶିକ୍ଷୟିତ୍ରୀ। ପାଠ ପଢାଉଛନ୍ତି ଗାଁ ଯୁବକ
/kanak/media/post_attachments/wp-content/uploads/2023/07/25-1.jpg)