ସାମ୍ନାକୁ ଆସିଲା ବଲାଙ୍ଗୀର ତହସିଲଦାରଙ୍କ କେଳେଙ୍କାରୀ: ମୃତ ଲୋକଙ୍କ ନାଁରେ ଜାଲିଆତି କରି ଚାଲିଥିବା ଜମି ବିକ୍ରି ରାକେଟରେ ସାମିଲ ଥିବା ଅଭିଯୋଗ

283
  • ମୃତ ଲୋକଙ୍କ ନାଁରେ ହେଉଛି ଜମି ବିକ୍ରି!
  • ପରିଚୟ ପତ୍ରରେ ଅସଲି ନାଁ, ଲାଗିଛି ନକଲି ଲୋକଙ୍କ ଫଟୋ
  • ବଲାଙ୍ଗୀର ତହସିଲ୍ଦାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

କନକ ବ୍ୟୁରୋ: ଜମି ବିକ୍ରେତା ହେଉଛନ୍ତି ମୃତ ହର୍ଷ ଷାଣ୍ଢ । କିନ୍ତୁ ୨୦୦୫ ମସିହାରୁ ତାଙ୍କର ମୃତ୍ୟୁ ହୋଇସାରିଛି । ତାଙ୍କ ମୃତ୍ୟୁର ପ୍ରମାଣପତ୍ର ବି ରହିଛି । କିନ୍ତୁ ହର୍ଷ ଷାଣ୍ଢଙ୍କ ଜାଗାରେ ଅନ୍ୟ ଏକ ଗାଁର ଜଣେ ବୃଦ୍ଧଙ୍କ ଫଟୋ ଲଗାଇ ତାଙ୍କୁ ହର୍ଷ ଷାଣ୍ଢ ସଜାଇ ଦିଆଯାଇଛି । ନକଲି ହର୍ଷ ଷାଣ୍ଢ ସ୍ୱାକ୍ଷର ଜାଣିଥିଲେ ବି ତାଙ୍କଠାରୁ ଟିପ ଚିହ୍ନ ନିଆଯାଇଛି । ସବୁ କିଛି ଜାଲିଆତି କରି ଦେଢ଼ ଏକର ଜାଗାକୁ ଗତ ୨୦୨୧ ମସିହା ମାର୍ଚ୍ଚ ୩ ତାରିଖରେ ଲବଣୀ ପୃଷ୍ଟିଙ୍କ ନାଁରେ ରେଜିଷ୍ଟ୍ରି କରାଯାଇଛି । ଘଟଣା ସଂପର୍କରେ ବହୁ ଦିନ ପରେ ମୃତ ହର୍ଷଙ୍କ ପରିବାର ଲୋକ ଏକଥା ଜାଣିବାକୁ ପାଇବା ପରେ ବଲାଙ୍ଗୀର ତହସିଲଦାରଙ୍କୁ ଜଣାଇଥିଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଲବଣୀ ପୃଷ୍ଟି ଓ ତାଙ୍କ ସ୍ୱାମୀ ମାଧବ ପୃଷ୍ଟିଙ୍କୁ ସବୁ କିଛି ଖବର ଦେଉଥିଲେ ତହସିଲଦାର । ପରେ ବଲାଙ୍ଗୀର ତହସିଲଦାରଙ୍କ ବିରୋଧରେ ସଦର ଥାନାରେ ହର୍ଷଙ୍କ ପୁଅ ଅଭିଯୋଗ କରିଥିଲେ ।

ତହସିଲଦାରଙ୍କ ବିରୋଧରେ ଜାଲିଆତି ଅଭିଯୋଗ
ମୃତ ଲୋକଙ୍କୁ ଜୀବିତ ଦର୍ଶାଇ ଚାଲିଛି ଜମି କିଣାବିକା
ଗରିବ ଲୋକଙ୍କ ଜମିକୁ ହଡ଼ପ କରିବା ପାଇଁ ଚାଲିଛି ଉଦ୍ୟମ

ଲୋକଙ୍କ ଜମି ଜମା ମାମଲାର ସମାଧାନ ହୁଏ ତହସିଲ ଅଫିସରେ । ଆଉ ଲୋକଙ୍କୁ ନ୍ୟାୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ତହସିଲଦାର । ଏବେ କିନ୍ତୁ ଜଣେ ତହସିଲଦାର ଖୋଦ୍ ଜମି ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି । ଜମି ମାଲିକ ଥାନାରେ ଏତଲା ଦେବା ପରେ ବଲାଙ୍ଗୀର ତହସିଲଦାର ମଘବାନ ବାଗଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହି ଦୁର୍ନୀତିଖୋର ତହସିଲଦାରଙ୍କ ବିରୋଧରେ ଦଫା ୪୨୦, ୪୬୮ ଲାଗିଛି । ଅଭିଯୋଗ ଅନୁସାରେ ତହସିଲଦାର ଜିଲ୍ଲା ସଦର ମହକୁମାରେ ନିଜ ଅଧିକାରୀ, କର୍ମଚାରୀ ଓ ଦଲାଲ ଲଗାଇ ମୃତ ଲୋକଙ୍କ ନାଁରେ ତିଆରି କରିଛନ୍ତି ପରିଚୟପତ୍ର । ନକଲି ଲୋକଙ୍କୁ ଅସଲି ଦର୍ଶାଇ ଅନ୍ୟ ଲୋକଙ୍କ ନାଁରେ ଜମି ବିକ୍ରି କରାଯାଇଛି । କିଛି ଜମି ଅନ୍ୟ ଖାତାକୁ ବି ଚାଲିଗଲାଣି । ଯାହା କରିବା ପାଇଁ ତହସିଲଦାରଙ୍କ ଡିଜିଟାଲ ସ୍ୱାକ୍ଷର ବାଧ୍ୟତାମୂଳକ । ତେଣୁ ତହସିଲଦାରଙ୍କ ସଂପୃକ୍ତି ଥିବା ସଂଦେହ କରାଯାଉଛି । ବଲାଙ୍ଗୀର ତହସିଲଦାରଙ୍କ ପ୍ରତିକ୍ରିୟା ଜାଣିବାକୁ ଉଦ୍ୟମ କରାଯାଇଥିଲା । ହେଲେ କ୍ୟାମେରା ସାମ୍ନାରେ ସେ କିଛି କହିବାକୁ ମନା କରି ଦେଇଛନ୍ତି ।