କନକ ବ୍ୟୁରୋ: ରାଜନୀତିର ରୋଚକ କାହାଣୀ । ବାହା ନହେବା ପାଇଁ ଗାଁ ଠାକୁରଙ୍କ ପାଖରେ ଶପଥ ନେଲେ ସରପଞ୍ଚ ପ୍ରାର୍ଥୀ । କେନ୍ଦ୍ରାପଡ଼ା ଡ଼େରାବିଶ ବ୍ଲକର ଇନ୍ଦାଳ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଲାବଣ୍ୟ ମଳିକ ଏଭଳି ଶପଥ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଇନ୍ଦାଳ ପଞ୍ଚାୟତରେ ୩ଜଣ ପ୍ରାର୍ଥୀ ସରପଞ୍ଚ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ୨୨ ବର୍ଷିୟା ଲାବଣ୍ୟ ମଳିକ ମଧ୍ୟ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ ଘର ଘର ବୁଲି ପ୍ରଚାର ବେଳେ ଲାବଣ୍ୟଙ୍କୁ ଅନେକ ପ୍ରଶ୍ନ ସାମ୍ନା କରିବାକୁ ପଡ଼ିଛି ।

Advertisment

ଏପରିକି, ନିର୍ବାଚନରେ ଜିତିବା ପରେ ବାହା ହୋଇ ଶାଶୁ ଘରକୁ ଚାଲିଗଲେ ପଞ୍ଚାୟତର ବିକାଶ କାମ କେମିତି ହେବ ଏବଂ ଆବଶ୍ୟକତା ପଡ଼ିଲେ ସରପଞ୍ଚଙ୍କୁ ଦେଖାକରିବା ପାଇଁ କ’ଣ ଅନ୍ୟ ଗାଁକୁ ଯିବାକୁ ପଡ଼ିବ ବୋଲି ଲୋକେ ତାଙ୍କୁ ପ୍ରଶ୍ନ କରିଥିଲେ । ଏମିତି ଅନେକ ପ୍ରଶ୍ନ ବାଣରେ ଛନ୍ଦି ହୋଇ ଜଣ ଜଣ କରି ବୁଝାଇବା ସହଜ ନହେବାରୁ, ଶେଷରେ ଗାଁର ମହିଳା, ବୟସ୍କ ଓ ଅନ୍ୟ ଲୋକଙ୍କୁ ଡ଼ାକି ଏକତ୍ରିତ କରି ଗାଁ ଠାକୁରଙ୍କ ନିକଟରେ ଶପଥ ନେଇଛନ୍ତି । ଯଦି ସରପଞ୍ଚ ଭାବେ ଜିତନ୍ତି ସେ ୫ ବର୍ଷ ପର୍ଯ୍ୟନ୍ତ ବାହାହେବେନି । ଗାଁ ଲୋକଙ୍କ ସହ ରହି ଦୁଃଖ ସୁଖ ବୁଝିବେ ଏବଂ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ସରପଞ୍ଚ ପ୍ରାର୍ଥୀ ।