ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର । ମେସିନ୍ ଲଗାଇ ନଦୀପଠାକୁ ଖୋଳି ପକାଉଛନ୍ତି ବାଲି ମାଫିଆ

36

କନକ ବ୍ୟୁରୋ: ହାଇକୋର୍ଟଙ୍କ ନିର୍ଦ୍ଧେଶକୁ ବେଖାତିର କରି ଚାଲିଛି ବାଲି ଚୋରାଚାଲାଣ । ନଦୀ ମଝିରେ ଜେସିବି ଲଗାଇ ଲିଜଧାରୀ ନଦୀରୁ ବାଲି ଉଠାଯାଉଛି । ଶତାଧିକ ବାଲି ବୋଝେଇ ଟ୍ରକ ଓ ଟିପର ସୀମାନ୍ତ ଫାଟକ ଦେଇ ଦୈନିକ ଆନ୍ଧ୍ରକୁ ଯାଉଥିବା ଅଭିଯୋଗ ହୋଇଛି । ପ୍ରଶାସନର ନାକତଳେ ଚାଲାଣ ହେଉଥିଲେ ମଧ୍ୟ ଦେଖି ନଦେଖିଲା ପରି ଚୁପ ହୋଇ ବସିଛି ଜିଲ୍ଲା ପ୍ରଶାସନ । ଫଳରେ କୋଟି କୋଟି ଟଙ୍କାର ରାଜସ୍ୱ ସହ ଜିଏସଟି ହରାଉଛନ୍ତି ସରକାର ।

ସ୍ଥାନୀୟ ଲୋକଙ୍କ ନାଁରେ ଲିଜ୍ ନେଇ ପରୋକ୍ଷ ଭାବେ ବାଲିଘାଟକୁ ଚଲାଉଛନ୍ତି ଆନ୍ଧ୍ର ମାଫିଆ । ହାଇକୋର୍ଟଙ୍କ ନିର୍ଦ୍ଧେଶକୁ ଖୋଲାଖୋଲି ଉଲଂଘନ କରି ରାୟଗଡା ତହସିଲର ବଡହଂସା ବାଲିଘାଟରୁ ବାଲି ଉଠାଉଛନ୍ତି । ବିନା ୱାଇ ଫର୍ମରେ ବାଲି ଚୋରାଚାଲାଣ କରାଯାଉଛି ! ଜେସିବି ଯୋଗେ ବାଲି ଉଠାଇ ୧ରୁ ୨ କିଲୋମିଟର ଦୂରରେ ଡମ୍ପି କରି ଟ୍ରକ ଓ ଟିପର ଯୋଗେ ଆନ୍ଧ୍ର ଚୋରା ଚାଲାଣ କରୁଛନ୍ତି । ଆନ୍ଧ୍ର ଯାଉଥିବା ଗାଡ଼ିକୁ କଳାହାଣ୍ଡିର ୱାଇ ଫର୍ମ ଦିଆଯାଉଥିବା ଅଭିଯୋଗ ହୋଇଛି । ମାଫିଆଙ୍କ ଠାରୁ ହାତଗୁଞ୍ଜା ନେଇ ଚୁପ ବସୁଥିବା ରାଜସ୍ୱ ବିଭାଗର ଅସାଧୁ କର୍ମଚାରୀ ତହସିଲ ଅଂଚଳରେ ଉନ୍ନୟନ କାର୍ଯ୍ୟ ଓ ଘର କାମ ପାଇଁ ଯାଉଥିବା ବାଲି ଗାଡିକୁ ଧରି ୧୦ରୁ ୨୦ ହଜାର ଟଙ୍କା ଜରିମାନା କରୁଛନ୍ତି । ଯାହା କେବଳ ଲୋକ ଦେଖାଣିଆ ବୋଲି ଅଭିଯୋଗ ହୋଇଛି । ରାୟଗଡା ନଦୀପଠାରୁ ବାଲି ଆନ୍ଧ୍ରକୁ ଯାଉଛି କିନ୍ତୁ ରାୟଗଡାବାସୀ ବାଲି ପାଇପାରୁ ନାହାନ୍ତି । ଟ୍ରାକ୍ଟର ମାଲିକ ସଂଘ ଓ ରାଜମିସ୍ତ୍ରୀ ସଂଘ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ବାଲିଘାଟରେ ବନ୍ଦ ନେଇ ଫଳକ ଲଗାଇ ରାଜସ୍ୱ ବିଭାଗ ଚୁପ ବସିଥିବା ବେଳେ ସଂପୃକ୍ତ ଘାଟରୁ ବେଧଡ଼କ ବାଲି ଉଠାଯାଉଛି । କେତେ ବାଲି ଉଠୁଛି ସେ ସଂପର୍କିତ ସୂଚନା ତହସିଲକୁ ଦେଉନାହାନ୍ତି ଲିଜ୍ଧାରି । ଲିଜ୍ ଧାରୀ ଚଂଚକତା କରି ବାର୍ଷିକ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୪ ଗୁଣ ଅଧିକ ବାଲି ଉଠାଉଥଲେ ମଧ୍ୟ ତାହାର ଆକାଳନ କରାଯାଉନାହିଁ । ରାୟଗଡା ବ୍ଳକରେ ଖିଲମିଶଗୁଡା, ବଡହାଂସା ଓ କୋଲନରାରେ ବାଲିଘାଟରୁ ବାଲି ଉଠୁଛି । ଆଉ ମାସେ ଭିତରେ କେରେଡା ବାଲିଘାଟ ଆରମ୍ଭ ହେବାକୁ ଯାଉଛି । ଅନ୍ୟପଟେ ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି ଖଣି ଅଧିକାରି ପର୍ଶୁରାମ ପ୍ରଧାନ ।