ନମୁନା ପରୀକ୍ଷା ୧୦ଲକ୍ଷ ଟପିଲା, ୩ଦିନ ଧରି ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା

ନମୁନା ପରୀକ୍ଷା ୧୦ଲକ୍ଷ ଟପିଲା, ୩ଦିନ ଧରି ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା

କନକ ବ୍ୟୁରୋ : କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ୧୦ଲକ୍ଷ ଟପିଯାଇଛି। ଲଗାତାର ୩ ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ରାଜ୍ୟରେ ସମୁଦାୟ ନମୁନା ପରୀକ୍ଷା ସଂଖ୍ୟା ୧୦ଲକ୍ଷ ୯ହଜାର ୪୫୪ରେ ପହଞ୍ଚିଛି। କେବଳ ନମୁନା ପରୀକ୍ଷାରେ ବୃଦ୍ଧି ନୁହେଁ, ଦୈନିକ ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) ୫ରୁ ତଳକୁ ଖସି ଆସିଛି। କରୋନା ଲଢ଼େଇରେ ଏହା ରାଜ୍ୟ ପାଇଁ ଏକ ଉତ୍ସାହଜନକ ଖବର। ଗତ ୨୪ଘଣ୍ଟ‌ାରେ ରାଜ୍ୟରେ ୫୦ହଜାର ୫୨୫ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି।

ଏଥିରେ କେବଳ ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ରେ ୪୫୩୫୩ ପରୀକ୍ଷା ହୋଇଛି। ତେବେ ଆରଟି-ପିସିଆରରେ ୫୧୦୬ ନମୁନା ପରୀକ୍ଷା କରାଯାଇଛି। ଗତ ୧୫ତାରିଖ ଦିନ ଆରଟି-ପିସିଆରରେ ୧୦୨୪୦ ନମୁନା ପରୀକ୍ଷା ହୋଇଥିଲା। ତେବେ ରାପିଡ୍‌ ଆଣ୍ଟିଜେନ୍‌ରେ ତ୍ୱରିତ ନମୁନା ରିପୋର୍ଟ ଦୃଷ୍ଟିରୁ ଏହି ପରୀକ୍ଷା ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଇଥିବା କୁହାଯାଇଛି।

ଚଳିତ ମାସରେ ରାଜ୍ୟରେ ଲଗାତାର ଭାବେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।  ରାଜ୍ୟ ସରକାରଙ୍କ ପକ୍ଷରୁ ୯ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଇଛି। ବାଲେଶ୍ୱରର ୬୨ବର୍ଷର ପୁରୁଷ, ଭୁବନେଶ୍ୱରର ୮୧ବର୍ଷର ବୃଦ୍ଧା, ଗଞ୍ଜାମର ୬୮ବର୍ଷର ପୁରୁଷ, ମାଲକାନଗିରିର ୬୧ବର୍ଷର ପୁରୁଷ, ରାୟଗଡ଼ାର ୬୮ବର୍ଷର ପୁରୁଷ ବିଭିନ୍ନ ଜଟିଳ ରୋଗ ସହ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚିଛି। ଅଣ କରୋନା ମୃତ୍ୟୁ ୫୩ ରହିଛି। ଗଞ୍ଜାମରେ ସର୍ବାଧିକ ୧୫୮, ଖୋର୍ଧାରେ ୪୯, ସୁନ୍ଦରଗଡ଼ ୨୨, କଟକ ୧୮, ରାୟଗଡ଼ା ୧୭କୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୁଇଁନାହିଁ। ରାଜ୍ୟର ୨୭ଟି ଜିଲ୍ଲାରେ ଏ ପର୍ୟ୍ୟନ୍ତ କରୋନା ମୃତ୍ୟୁ ହୋଇ ସାରିଲାଣି।

ରାଜ୍ୟର ଏକାଧିକ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ୧୯ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ ହଜାରେରୁ ଅଧିକ ରୋଗୀ ଚିହ୍ନଟ ହୋଇ ସାରିଲେଣି। ବିଶେଷକରି ଖୋର୍ଧା ଜିଲ୍ଲା ରାଜ୍ୟର କରୋନା ସଂକ୍ରମଣର ପ୍ରମୁଖ ସ୍ଥାନ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe