କନକ ବ୍ୟୁରୋ: ବିପର୍ଯ୍ୟୟ ବେଳେ ମଉଜ । ୨୦୨୦ ବନ୍ୟା ବେଳେ ୭ ଦିନରେ ୧୩୨୪ ଟି କେ-ଟୁ ଟେଣ୍ଡର । ଯାଜପୁର ଜିଲ୍ଲାର ଆରଡି ଡିଭିଜନରେ ବନ୍ୟା ଓ ବାତ୍ୟା ଆଳରେ ଖାଇଗଲେ କୋଟି କୋଟି ଟଙ୍କ । ମିଳିଥିବା ତଥ୍ୟାନୁସାରେ ୧୩୨୪ଟି କେ-ଟୁ (୧୦ ହଜାର ଟଙ୍କାରୁ କମ୍ ମୂଲ୍ୟର) କାର୍ଯ୍ୟକୁ ହାତ ଚିଠା ଜରିଆରେ ଏହି ଅର୍ଥକୁ ଚଳୁ କରିଛନ୍ତି ଯନ୍ତ୍ରୀ ଓ ଠିକାଦାର । ପୂର୍ବରୁ ମଧ୍ୟ ଏଭଳି ଅନେକ ଅଭିଯୋଗ ଆସିଥିବା ବେଳେ ଏହା ଉପରେ ବିଭାଗୀୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ । ତେବେ ଜିଲ୍ଲାପାଳ କହିଛନ୍ତି ଖୁବ ଶୀଘ୍ର ତଦନ୍ତ କରାଯାଇ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।
ବିଭାଗୀୟ କର୍ତୃପକ୍ଷ ଠିକାଦାରଙ୍କୁ ଖୁସି କରିବା ପାଇଁ ଗୋଟିଏ କାମକୁ ୨୦ରୁ ୨୫ ଭାଗ କରି ଗୋଟିଏ ଗୋଟିଏ ଲୋକ ହାତରେ ଟେକିଦିଆଯାଇଛି । ୨୦୨୦ରେ ଜିଲ୍ଲାରେ ହୋଇଥିବା ବଡ ବନ୍ୟା ସମୟରେ କେବଳ ରାସ୍ତା ମରାମତି ଆଳରେ ୧୩୨୬ କେ-ଟୁ ଜରିଆରେ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ଆସିଛି । ଏହି ଦୁର୍ନୀତିରେ ଦସ୍ତାବିଜ ଲାଗିଛି କନକ ନ୍ୟୁଜ ହାତରେ ।
ସେହିପରି ଫୋନି ବାତ୍ୟା ସମୟରେ ଗଛ ସଫେଇ ନାଁରେ ବି ଟଙ୍କା ହଡପ ହୋଇଛି । ୨୦୨୦ ବନ୍ୟାରେ ପ୍ରଭାବିତ ରାସ୍ତା ମରାମତି କରିବା ଆଳରେ ଆରଡି ବିଭାଗ ହାତ ଚିଠା ଜରିଆରେ ଠିକାଦାରଙ୍କୁ କାମ ବାଟିଂଛି । ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଗୋଟିଏ କାମ ବାବଦକୁ ଭିନ୍ନଭିନ୍ନ ଭାବେ ଟଙ୍କା ମଂଜୁର କରାଯାଇଛି । ବନ୍ୟାର ପ୍ରଭାବ ପଡିନଥିବା ବ୍ଲକରେ ମଧ୍ୟ ମରାମତି ଆଳରେ ହରିଲୁଟ ହୋଇଛି ଟଙ୍କା ।
ଗତ ଏକସପ୍ତାହ ମଧ୍ୟରେ ଆମେ ୩ଟି ଜିଲ୍ଲାର ଚିତ୍ର ଆମେ ଆପଣଙ୍କୁ ଦେଖାଇଲୁଣି । ଯେଉଁଠି ଗୋଟିଏ କାମକୁ ଭାଗ ଭାଗ କରି ଜଣେ ଠିକାଦାରକୁ ଦିଆଯାଇଛି । ଆଉ ହରିଲୁଟ ହୋଇଛି କୋଟି କୋଟି ଟଙ୍କା । ଆଉ ସରକାର ଏହା ଉପରେ ନଜର ଦେବା ଜରୁରୀ ହୋଇପଡିଛି ।