ଦୁନିଆଁର ସବୁଠୁ ସୁରକ୍ଷିତ ସ୍ଥାନ, ଯେଉଁଠି ନା ଅଛି ମାସ୍କ ଝାମେଲା ନା ସୋସିଆଲ ଡିଷ୍ଟାନ୍ସିଙ୍ଗ କଟକଣା 

131

କନକ ବ୍ୟୁରୋ: ସାରା ବିଶ୍ୱକୁ ଆକ୍ତିଆର କରିସାରିଲାଣି ଭୟଙ୍କର କରୋନା ଭୂତାଣୁ । ୨ ବର୍ଷ ଧରି କରୋନାର କରୋଡା ମାଡରେ ଭାଙ୍ଗି ଯାଇଛି ବିଶ୍ୱର ଆର୍ଥିକ ମେରୁଦଣ୍ଡ । ଅଣନିଃଶ୍ୱାସୀ ହୋଇପଡିଛନ୍ତି ଲୋକେ । ଅକାଳରେ ଝରିପଡିଛି ଲକ୍ଷ ଲକ୍ଷ ଜୀବନ ।  ସର୍ବସ୍ୱାନ୍ତ ହୋଇଛନ୍ତି ଅନେକ । ହେଲେ ଏବେବି ଏପରି ଏକ ସ୍ଥାନ ଅଛି ଯେଉଁଠି ପହଞ୍ଚିପାରିନି ଭୟଙ୍କର  କରୋନା ଭୂତାଣୁ । ଏଠି ପୂର୍ବ ପରି ଲୋକେ ନିର୍ଭୟରେ ଜୀବନ ବିତାଉଛନ୍ତି ।

ଏକ ଅନ୍ତର୍ଜାତୀୟ ରିପୋର୍ଟ ମୁତାବକ, ଦୁନିଆଁର ସବୁଠୁ ସୁରକ୍ଷିତ ସ୍ଥାନ ହେଉଛି ଆଟଲାଣ୍ଟିକ୍ ମହାସାଗର ମଧ୍ୟରେ ଥିବା ସେଣ୍ଟ ହେଲେନା ଦ୍ୱୀପ । ଏଠାରେ ନାହିଁ କୌଣସି କଟକଣା । ନା ଅଛି ମାସ୍କ ପିନ୍ଧିବାର କଟକଣା ନା ସୋସିଆଲ ଡିଷ୍ଟାନ୍ସିଙ୍ଗ ନିୟମ । ଅତି ସହଜ ଆଉ ନିର୍ଭୟରେ ଚାଲିଛି ଜୀବନ । କିନ୍ତୁ ଏଠାରେ ବାରମ୍ବାର ହାତ ଧୋଇବାକୁ ଲୋକେ ଗୁରୁତ୍ୱ ଦେଉଛନ୍ତି । ଏହାସହ ଛିଙ୍କିବା ବା କାସିବା ସମୟରେ ମୁହଁକୁ ଘୋଡାଇବା ଉପରେ ଗୁରୁତ୍ୱ ଦେଇଥାନ୍ତି ।  ସାରା ବିଶ୍ୱକୁ କରୋନା ଅସ୍ତବ୍ୟସ୍ତ କରିପକାଇଥିବାବେଳେ ଏହି ସ୍ଥାନରେ ଏଯାଏଁ କିନ୍ତୁ ପହଞ୍ଚି ପାରିନି କରୋନା । ଏଠାରେ ଏଯାଏଁ ଗୋଟିଏ ବି କରୋନା ସଂକ୍ରମଣର ସୂଚନା ନାହିଁ ।

ଚାରିପଟେ ପାହାଡ ଓ ତା’ ମଧ୍ୟରେ ସବୁଜିମାର ବଳୟ ଭିତରେ ଥିବା ଏହି ଦ୍ୱୀପକୁୁ ପୂର୍ବପରି ପର୍ଯ୍ୟଟକ ବି ଆସୁଛନ୍ତି । ହେଲେ ଏଠାକୁ ଆସିବା ପୂର୍ବରୁ ସେମାନଙ୍କ କରୋନା ନେଗେଟିଭ୍ ରିପୋର୍ଟ ଜମା କରିବାକୁ ପଡୁଛି । ଆଟଲାଣ୍ଟିକ୍ ମହାସାଗର ମଝିରେ ଥିବା ଏହି ଦ୍ୱୀପର ସୁନ୍ଦରତା ଦେଖିବା ଭଳି । ୧୨୦ ବର୍ଗ କିଲୋମିଟରର ଏହି ଦ୍ୱୀପରେ ରହୁଛନ୍ତି ପାଖାପାଖି ୫୦୦୦ ଲୋକେ । କିଛି ମାତ୍ରାରେ କୃଷି କରିବା ସହ  ମାଛ ଧରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି ଏଠିକାର ଲୋକେ । ଏହି ଦ୍ୱୀପ ଆଲେକଜାଣ୍ଡାରଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି । କୁହାଯାଏ ଜୀବନର ଶେଷ ସମୟ ଏହି ଦ୍ୱୀପରେ ହିଁ କଟାଇଥିଲେ । ଏଠାରେ ହିଁ ଆଲେକଜାଣ୍ଡାର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏଠାରେ ତାଙ୍କର ଦୁଇଟି ସ୍ମୃତି ପୀଠ ମଧ୍ୟ ରହିଛି ।