କନକ ବ୍ୟୁରୋ : ଭୟଙ୍କର ପରିସ୍ଥିତି ଆଡକୁ ଗତି କରୁଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଟ୍ୟାଙ୍କ, ତୋପ ଏବଂ ଯୁଦ୍ଧବିମାନରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଜୈବିକ ଏବଂ ରାସାୟନିକି ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ପହଞ୍ଚିଗଲାଣି । ୟୁକ୍ରେନ୍ ଆମେରିକା ସହ ମିଶି ଜୈବିକ ଏବଂ ରାସାୟନିକ ଅସ୍ତ୍ରଶସ୍ତ୍ର ତିଆରି କରୁଛି ବୋଲି ଅଭିଯୋଗ କରିଛି । ସେହିପରି ଯୁଦ୍ଧରେ ଏହି ଅସ୍ତ୍ରଶସ୍ତ୍ର ବ୍ୟବହାର କଲେ କଡା କଟକଣାର ସମ୍ମୁଖୀନ ହେବାକୁ ପଡିବ ବୋଲି ୟୁକ୍ରେନ୍ ଋଷକୁ ଚେତାବନୀ ଦେଇଛି ।
ଆଜିକୁ ୧୯ଦିନରେ ପହଞ୍ଚିଥିବା ଯୁଦ୍ଧରେ ଅନେକ ଲୋକ ପ୍ରାଣ ହରାଇଲେଣି । ଦୁଇଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧ ୪୨ଜଣ ଶିଶୁଙ୍କ ସମେତ ୫୭୯ ଲୋକଙ୍କ ଜୀବନ ନେଲାଣି । ଏହାରି ଭିତରେ ଜୈବିକ ଓ ରସାୟନିକ ଅସ୍ତ୍ରଶସ୍ତ୍ରର ପ୍ରୟୋଗ ଆଶଂକା ଆହୁରି ଚିନ୍ତା ବଡାଇଦେଇଛି । କାରଣ ଯଦି ଯୁଦ୍ଧରେ ରାସାୟନିକ ଅସ୍ତ୍ରଶସ୍ତ୍ରର ପ୍ରୟୋଗ ହୁଏ ତେବେ ଆସନ୍ତା ପୀଢି ଯାଏଁ ଏହାର ପ୍ରଭାବ ରହିବ । ରାସାୟନିକ ଅସ୍ତ୍ରଶସ୍ତ୍ରରେ ଟକ୍ସିକ୍ କେମିକାଲ ଏବଂ ବିଷ ବ୍ୟବହାର କରାଯାଇଥାଏ । ଏହାକୁ ଜଳ ଯୋଗଣ, ବାୟୁ ଏବଂ ଖାଇବାରେ ଦେଇ ଲୋକଙ୍କୁ ହତ୍ୟା କରାଯାଏ । ଜୈବିକ ଅସ୍ତ୍ରରେ ବୀଜିଣୁ ଏବଂ ଭୂତାଣୁ ପରି ପ୍ରାକୃତିକ ଉତ୍ସକୁ ବ୍ୟବହାର କରି ଲୋକଙ୍କୁ ରୋଗାଗ୍ରସ୍ତ କରି ମାରିଦିଆଯାଏ । ଲୋକେ ଅସହ୍ୟ ପୀଡା ଅନୁଭବ କରିଥାନ୍ତି । କେବଳ ଏତିକି ନୁହେଁ ଏହାର ପ୍ରଭାବ ଆସନ୍ତା ପୀଢି ଯାଏଁ ରହିଥାଏ, ଯେଉଁଥିପାଇଁ ଶାରୀରିକ ଏବଂ ମାନସିକ ବିକାରଗ୍ରସ୍ତ ଶୁଶୁ ଜନ୍ମ ନେଇଥାନ୍ତି ।
ତେବେ ପ୍ରଥମ ଥର ପାଇଁ ୧୯୩୭ରେ ଜୈବିକ ଅସ୍ତ୍ରର ବ୍ୟବହାର କରାଯାଇଥିଲା । ଏହି ସମୟରେ ମଙ୍ଗୋଲିଆ ସେନା ପ୍ଲେଗ୍ ସଂକ୍ରମିତ ଶବକୁ କୃଷ୍ଣ ସାଗରରେ ପକାଇଥିଲା । ଏବେ ସୁଦ୍ଧା ଜର୍ମାନୀ, ଆମେରିକା, ଋଷ ଏବଂ ଚୀନ୍ ସମେତ ୧୭ଟି ଦେଶ ଜୈବିକ ଅସ୍ତ୍ରଶସ୍ତ୍ର ତିଆରି କରିଥିବା କୁହାଯାଉଛି । ଆଉ ଚୀନ୍ କରୋନା ଭୂତାଣୁକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରିଥିଲା ବୋଲି ଅଭିଯୋଗ ହୋଇଆସୁଛି ।
ସେପଟେ ଋଷର କୂଟନୀତିଜ୍ଞ ଅଭିଯୋଗ କରିଛନ୍ତି ଯେ, ୟୁକ୍ରେନ୍ ଆମେରିକା ସହାୟତାରେ ପ୍ରାୟ ୩୦ଟି ଜୈବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ଜାରି ରଖିଛି । ୟୁକ୍ରେନ୍ ବାଦୁଡି ଏବଂ ଅନ୍ୟ ବିଦେଶୀ ପକ୍ଷୀ ଦ୍ୱାରା ଋଷରେ ରୋଗଜୀବାଣୁ ପ୍ରଶାର କରିବାକୁ ଷଡଯନ୍ତ୍ର କରୁଛି । ଯଦି ଋଷର ଅଭିଯୋଗ ସତ ହୁଏ ତେବେ ଏହାର ପରିଣାମ ଭୟଙ୍କର ହେବ, ଏଥିରେ କୌଣସି ସନ୍ଦେହ ନାହିଁ ।