ରୁଷ ରାଷ୍ଟ୍ରପତିଙ୍କ ବଡ଼ ବୟାନ । ଉଦ୍ଦେଶ୍ୟ ପୂରଣ ନହେବା ଯାଏଁ ୟୁକ୍ରେନରେ ରୁଷ ସେନା ଜାରି ରଖିବ ଆକ୍ରମଣ

148

କନକ ବ୍ୟୁରୋ: ଋଷ ୟୁକ୍ରେନ ଭିତରେ ଯୁଦ୍ଧ ୪୯ ଦିନରେ ପହଞ୍ଚିଛି । ଏହାରି ଭିତରେ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଏକ ବଡ଼ ବୟାନ ଦେଇଛନ୍ତି । ଯେପର୍ଯ୍ୟନ୍ତ ଲକ୍ଷ୍ୟ ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି କହିଛନ୍ତି ପୁଟିନ । ସେପଟେ ପୁଟିନଙ୍କ ଏକ ବଡ ସହଯୋଗୀକୁ ଗିରଫ କରିଛି ୟୁକ୍ରେନ ଗୁଇନ୍ଦା ବିଭାଗ ।

  • ଯୁଦ୍ଧ ଭିତରେ ରାଷ୍ଟ୍ରପତି ପୁଟିନଙ୍କ ଧମକ
  • କହିଲେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିବ

୪୯ ଦିନରେ ପହଁଞ୍ଚିଛି ୟୁକ୍ରେନ-ରୁଷିଆ ଯୁଦ୍ଧ । ରୁଷିଆର ଲଗାତାର ଆକ୍ରମଣ ଯୋଗୁଁ ୟୁକ୍ରେନର ଅନେକ ସହର ମାଟିରେ ମିଶି ସାରିଲାଣି । ତଥାପି ପଛଘୁଞ୍ଚା ଦେବାକୁ ନାରାଜ୍ ରାଷ୍ଟ୍ରପତି ପୁଟିନ୍ । ଯୁଦ୍ଧର ମାହୋଲ ଭିତରେ ଛାତି ଥରାଇ ଦେଲା ଭଳି ବୟାନ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି ଲକ୍ଷ୍ୟ ପୂରଣ ନ ହେବା ଯାଏଁ ଯୁଦ୍ଧ ବନ୍ଦ ହେବନି । ବରଂ ଆକ୍ରମଣ ଜାରି ରହିବ । ଆମେରିକା ଓ ପାଶ୍ଚାତ୍ୟ ଦେଶର କଟକଣା ସତ୍ତ୍ୱେ ଯୁଦ୍ଧକୁ ନେଇ ଏଭଳି ବୟାନ ଦେଇଛନ୍ତି ପୁଟିନ୍ ।

ସେ କହିଛନ୍ତି,“ରୁଷିଆ ଲକ୍ଷ୍ୟ ପୂରଣ ନହେବା ଯାଏଁ, ୟୁକ୍ରେନ ଉପରେ ମିଲିଟାରୀ ଅପରେସନ୍ ଜାରି ରହିବ । ପୂର୍ବ ୟୁକ୍ରେନ ଡୋନବାସ କ୍ଷେତ୍ରରେ ଥିବା ରୁଷିଆର ମୂଳ ନାଗରିକଙ୍କ ସୁରକ୍ଷା ପାଇଁ ରୁଷ ଆକ୍ରମଣ କରିଛି । ଏ ଅଞ୍ଚଳ ଯେଉଁ ପର୍ଯ୍ୟନ୍ତ ସ୍ୱାଧୀନ ହୋଇନି ସେ ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ । ନାଟୋ ଠାରୁ ଯେଉଁପର୍ଯ୍ୟନ୍ତ ରୁଷିଆକୁ ଭୟ ରହିଥିବ, ସେ ପର୍ଯ୍ୟନ୍ତ ଆମ ସୁରକ୍ଷା ପାଇଁ ଆକ୍ରମଣ ଜାରି ରହିବ ।”

ରାଷ୍ଟ୍ରପତି ପୁଟିନ୍ ଏଭଳି ବୟାନ ଦେଇ ପୁଣିଥରେ ୟୁକ୍ରେନ ସମେତ ନାଟୋ ସଦସ୍ୟ ଦେଶଗୁଡିକୁ ଚେତାବନୀ ଦେଇଛନ୍ତି । ପୁଟିନ୍ ଆହୁରି ମଧ୍ୟ କହିଛନ୍ତି ଯେ, ବୁଚା ସହର ନରସଂହାର ପଛରେ ରୁଷିଆର କୌଣସି ହାତ ନାହିଁ । ଏହା ୟୁକ୍ରେନର ମିଛ ପ୍ରଚାର । ୟୁକ୍ରେନ ଗୁଇନ୍ଦା ବିଭାଗ ପୁଟିନଙ୍କ ହାଇ ପ୍ରୋଫାଇଲ ସହଯୋଗୀକୁ ଗିରଫ କରିଛି । ୟୁକ୍ରେନ ଗ୍ରୁଇନ୍ଦା ବିଭାଗ ପୁଟିନଙ୍କ ବଡ ସହଯୋଗୀ କୁହାଯାଉଥିବା ଭିକ୍ଟର ମେଦଭେଦଚୁକଙ୍କୁ ଗିରଫ କରିଛି ଏବଂ ତାଙ୍କୁ ଛାଡିବା ପାଇଁ ୟୁକ୍ରେନ ସେନା ପକ୍ଷରୁ କିଛି ସର୍ତ୍ତ ରଖାଯାଇଛି ।

ସେପଟେ ମାରିୟୁପୋଲରେ ଜୋରଦାର ଆକ୍ରମଣ କରୁଛି ରୁଷିଆ । ମାରିୟୁପୋଲରେ ରୁଷ ରାସାୟନିକ ଅସ୍ତ୍ର ବ୍ୟବହାର କରିଛି ବୋଲି ଦାବି କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ୟୁକ୍ରେନର ଏଜୋବ୍ ରେଜିମେଣ୍ଟ ରିପୋର୍ଟ ଆଧାରରେ ଜେଲେନସ୍କି ଏପରି ଅଭିଯୋଗ କରିଛନ୍ତି । ୩ ଜଣ ସୈନିକ କୌଣସି ବିଷାକ୍ତ ପଦାର୍ଥ ସଂସ୍ପର୍ଶରେ ଆସି ସଙ୍କଟାପନ୍ନ ହୋଇଛନ୍ତି । ରୁଷ ସେନା ମାରିୟୁପୋଲର ଏକ ବିଶାଳ ପ୍ଲାଣ୍ଟରେ ଡ୍ରୋନ୍ ଆକ୍ରମଣ ସମୟରେ ବିଷାକ୍ତ ପଦାର୍ଥ ପକାଇଥିବା ଅଭିଯୋଗ ହୋଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରୁଷ ଫସଫରସ ବାରୁଦ ବ୍ୟବହାର କରିଛି । ଅଷ୍ଟ୍ରେଲିଆ ଓ ଆମେରିକା ଏହି ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି । ଯୁଦ୍ଧ ଭିତରେ ବଳି ପଡୁଛନ୍ତି ସାଧାରଣ ନାଗରିକ । ରାଜଧାନୀ କିଭରେ ୭୨୦ ଜଣ ସାଧାରଣ ନାଗରିକଙ୍କ ଶବ ମଳିଥିବା ଦାବି କରିଛି ୟୁକ୍ରେନ । ଦେଖିବାକୁ ବାକି ରହିଲା ପରିସ୍ଥିତି ଆଗକୁ କେଉଁ ମୋଡ ନେଉଛି ।