ଭାରତ ଓ ଚୀନ୍ ପ୍ରସଙ୍ଗରେ ରୁଷ୍ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ । ପାଶ୍ଚାତ୍ୟ ଦେଶ ରଚିଛନ୍ତି ଷଡ଼ଯନ୍ତ୍ର । ଭାରତକୁ ଚୀନ୍ ବିରୋଧୀ କରିବାକୁ ହେଉଛି ରଣନୀତି

359

କନକ ବ୍ୟୁରୋ : ସୀମା ପ୍ରସଙ୍ଗକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ବୟାନ ଏବେ ଚର୍ଚ୍ଚାର କାରଣ ପାଲଟିଛି । ଲାଭରୋଭ କହିଛନ୍ତି ଯେ, ଭାରତ ଓ ଚୀନକୁ ନେଇ ପାଶ୍ଚାତ୍ୟ ଦେଶମାନେ ଏବେ ଏକ ବଡ଼ କୌଶଳ ଆପଣେଇଛନ୍ତି । ଭାରତ କିପରି ଚୀନ୍ ବିରୋଧୀ ହେବ ଏନେଇ ଚେଷ୍ଟା କରାଯାଉଛି, ଯାହା ଫଳରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ନିଜ ସ୍ୱାର୍ଥ ହାସଲ କରିପାରିବେ ।

ଏହାସହ ଭାରତ ଓ ରୁଷ୍ ମଧ୍ୟରେ ସମ୍ପର୍କକୁ ଦୁର୍ବଳ କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି । ଇଣ୍ଡୋ-ପାସିଫିକ୍ ରଣନୀତି ଅନୁସାରେ ଏହି ଦେଶମାନେ ଭାରତକୁ ରୁଷ୍ ଠାରୁ ଦୁରେଇ ନେବାକୁ ଚାହୁଁଛନ୍ତି, ଖାଲି ଏତିକି ନୁହେଁ ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ତିକ୍ତତା ବଢ଼ାଇବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ ଆଣିଛନ୍ତି । ଭାରତ ଓ ଚୀନ୍ ପରସ୍ପର ମଧ୍ୟରେ ଥିବା ବିବାଦର ସମାଧାନ କରି ଉତେଜନା କମାଇବାକୁ ରୁଷ୍ ପୁଣି ଥରେ ପରାମର୍ଶ ଦେଇଛି ।

ରୁଷ୍ ସହ ଉଭୟ ଭାରତ ଓ ଚୀନ୍ର ଭଲ ସମ୍ପର୍କ ରହିଆସିଛି । ଏପରିକି ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ମସ୍କୋରେ ହିଁ ବସିଥିଲା । ରୁଷ୍ ସହ ଭାରତର ସମ୍ପର୍କ ଦୁର୍ବଳ କରିବା ପାଇଁ ଆମେରିକା ଚେଷ୍ଟା କରୁଥିବା ଲାଭରୋଭ ଅଭିଯୋଗ କରିଛନ୍ତି । ରୁଷ୍ ଠାରୁ ଭାରତ ଏସ୍-ଫୋର ହଣ୍ଡ୍ରେଡ୍ ଏୟାର ଡିଫେନ୍ସ ସିଷ୍ଟମ କିଣିବା ନେଇ ଆମେରିକାର ବିରୋଧ କଥା ସେ ମନେପକାଇ ଦେଇଛନ୍ତି । ଏସ୍-ଫୋର ହଣ୍ଡ୍ରେଡ୍କୁ ନେଇ ଆମେରିକା ଦୃଢ଼ ଆପତି ଉଠାଇଥିଲା । ଏପରିକି ଏହାକୁ ନେଇ କଟକଣା ଲଗାଯିବା କଥା ଚର୍ଚ୍ଚା ହୋଇଥଲା । ତେବେ ଆମେରିକାର ବିରୋଧ ସତ୍ୱେ ମୋଦୀ ସରକାର ରୁଷ୍ ସହ ଏସ୍-ଫୋର ହଣ୍ଡ୍ରେଡ୍ ଏୟାର ଡିଫେନ୍ସ ସିଷ୍ଟମ କିଣିବା ପାଇଁ ଚୁକ୍ତି କରିଥିଲେ ।

ଆମେରିକା ସହ ଭାରତର ସମ୍ପର୍କ ଦୃଢ଼ ହେବାରେ ଲାଗିଛି । ସାମରିକ, ବାଣିଜ୍ୟିକ ଓ କୂଟନୈତିକ କ୍ଷେତ୍ରରେ ନୂଆଦିଲ୍ଲୀ ଓ ୱାଶିଂଟନ୍ ଏବେ ନିକଟତର ହେବାରେ ଲାଗିଛନ୍ତି । ଏହାକୁ ନେଇ ରୁଷ ଯେ, ଚିନ୍ତିତ ଅଛି, ଏପରି ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ।
ଚଳିତବର୍ଷ ଜୁନ୍ ୧୫ରେ ଗଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଆମର ୨୦ ବୀର ଯବାନ ସହିଦ ହୋଇଥିଲେ । ଚୀନ୍ ମଧ୍ୟ ବହୁ କ୍ଷୟକ୍ଷତି ସହିଥିଲା । ଚୀନ୍ ଏହାର କ୍ଷୟକ୍ଷତି ନେଇ ଆଜିଯାଏଁ ତଥ୍ୟ ପ୍ରକାଶ କରି ନାହିଁ । ହେଲେ ଆମେରିକାର ଗୁଇନ୍ଦା ସଂସ୍ଥାର ଆକଳନ ଅନୁସାରେ ଚୀନର ପ୍ରାୟ ୪୫ ଜଣ ସୈନିକ ମୃତାହତ ହୋଇଥିଲେ । ସେବେଠାରୁ ସୀମାରୁ ସମ୍ପୂର୍ଣ୍ଣ ସେନା ଅପସାରଣ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ଚାଲିଥିଲେ ବି ବିଶେଷ କିଛି ସୁଫଳ ମିଳିନାହିଁ ।