କନକ ବ୍ୟୁରୋ: ରୁଷିଆ ଓ ୟୁକ୍ରେନ ଭିତରେ ଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଯୁଦ୍ଧକୁ ୫୪ ଦିନ ପୂରଣ ହୋଇସାରିଥିବାବେଳେ ଦୁଇ ଦେଶ ମଧ୍ୟରେ ସମସ୍ୟାର ସମାଧାନର କୌଣସି ବାଟ ବାହାରୁ ନାହିଁ । ଏହାରି ଭିତରେ କ୍ରେମଲିନ୍ର ବରିଷ୍ଠ ଅଧିକାରୀ ଭିକ୍ଟର ମେଦଭେଦଚୁକ୍ଙ୍କୁ ଗିରଫ କରିଥିବା ୟୁକ୍ରେନ ପ୍ରତିରକ୍ଷା ବିଭାଗ ପକ୍ଷରୁ ଭିକ୍ଟରଙ୍କୁ ନେଇ ଏକ ଭିଡିଓ ଜାରି କରାଯାଇଛି । ମସ୍କୋ ପଠାଯାଇଥିବା ଏହି ଭିଡିଓରେ ତାଙ୍କୁ ମୁକୁଳାଇବା ପାଇଁ ଭିକ୍ଟର ଗୁହାରି କରୁଥିବା ସୂଚନା ମିଳିଛି ।

୫୪ଦିନରେ ପହଁଚିଲା ରୁଷିଆ – ୟୁକ୍ରେନ ଯୁଦ୍ଧ । ମିଳୁନି ସମାଧାନର ବାଟ । ଯୁଦ୍ଧର ଦିନ ଯେତିକି ବଢି ବଢି ଚାଲିଛି, ଦୁଇ ଦେଶ ମଧ୍ୟରେ ବିବାଦ ସେତିକି ତେଜାବାରେ ଲାଗିଛି । ସୋମବାର ଲୁହାନ୍ସ୍କ କ୍ଷେତ୍ରରେ ଏକ କାର ଯୋଗେ ଯାଉଥିବା ୪ଜଣ ସାଧାରଣ ନାଗରିକଙ୍କୁ ଗୁଳିକରି ହତ୍ୟା କରିଛି ରୁଷ ସେନା । ଖବର ସରବରାହ ସଂସ୍ଥା ରଏଟର୍ସର ଏକ ରିପୋର୍ଟ ଅନୁସାରେ କ୍ରେମିନା ସହର ଛାଡି ପଳାଉଥିବା ସାଧାରଣ ନାଗରିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ରୁଷ । ସେପଟେ ରାଜଧାନୀ କିଭ ଓ ସୁମି କ୍ଷେତ୍ରରୁ ରୁଷୀୟ ସେନା ପଛକୁ ହଟିବା ପରେ ସେଠାରେ ୟୁକ୍ରେନ ନିଜ ସ୍ଥିତି ସୁଧାରିବା ଆରମ୍ଭ କରିଛି । ୟୁକ୍ରେନ ନିଜ ସେନାଙ୍କୁ ପୁଣିଥରେ କିଭ ଓ ସୁମିରେ ସୁରକ୍ଷା ଭିତିଭୂମି ସୁଦୃଢ କରିବା ଆରମ୍ଭ କରିଛି । ୟୁକ୍ରେନ ରାଷ୍ଟ୍ରପତିଙ୍କ କହିବା କଥା ରୁଷିଆ ସେନା ପଛକୁ ହଟିଛି ସିନା, ହେଲେ ନିଜ ପ୍ରକୃତି ବଦଳାଇ ନାହିଁ । କୌଣସି ବି ମୁହୂର୍ତରେ ସେମାନେ ପୁନଃ ଆକ୍ରମଣ କରି ପାରନ୍ତି ।

ସେପଟେ ରାଷ୍ଟ୍ରପତି ପୁଟିନ୍ଙ୍କ ପୂର୍ବତନ ପରାମର୍ଶଦାତା ତଥା ବରିଷ୍ଠ ସେନା ଅଧିକାରୀ ଭିକ୍ଟର ମେଦଭେଦଚୁକ୍ଙ୍କୁ ୟୁକ୍ରେନ ସେନା ଗିରଫ କରି ବନ୍ଦୀ କରି ରଖିଛି । ସୋମବାର ଭିକ୍ଟରଙ୍କ ଏକ ଭିଡିଓ ମସ୍କୋ ଉପଲକ୍ଷେ ପଠାଯାଇଛି । ଏଥିରେ ଭିକ୍ଟରଙ୍କ ରିହାତି ପାଇଁ ୟୁକ୍ରେନ ନିଜର କିଛି ସେନା ଅଧିକାରୀଙ୍କ ରିହାତି ପାଇଁ ଦାବି ରଖିଛି । ଏହାରି ଭିତରେ ଡୋନବାସ କ୍ଷେତ୍ରରେ ନିଜ ୟୁକ୍ରେନ ନିଜ ରଣନୀତି ମଜବୁତ କରିବାରେ ଲାଗିଛି । ଗତ ୨୪ ଘଂଟାରେ ୟୁକ୍ରେନ ସେନା ରୁଷ ଆର୍ମିର ୧୦ଟି ଟ୍ୟାଙ୍କ ଧ୍ୱଂସ କରିବାରେ ସଫଳ ହୋଇଛି । ଏପଟେ ଖାରକିଭରେ ବି ରୁଷ ଓ ୟୁକ୍ରେନ ସେନା ମଧ୍ୟରେ ସଂଘର୍ଷ ଜାରି ରହିଛି । ମାଇକୋଲାଇବ ଓ ଓଡେଶା ପୋର୍ଟ ପାଖରେ ବି ରୁଷ ଜବରଦସ୍ତ ରକେଟ୍ ମାଡ କରୁଥିବା ଅଭିଯୋଗ ହୋଇଛି ।

ସେପଟେ ଯୁଦ୍ଧର ଦେଢ ମାସ ପରେ ୟୁକ୍ରେନରେ ସ୍ଥିତି ସୁଧୁରୁଥିବା କୁହାଯାଉଛି । ଜାତିସଂଘର ଏକ ରିପୋର୍ଟ ଅନୁସାରେ ଦେଶ ଛାଡି ଅନ୍ୟ ଦେଶର ଶରଣାର୍ଥୀ ହୋଇଥିବା ଅନେକ ଲୋକେ ଏବେ ୟୁକ୍ରେନ ନିଜ ଘରକୁ ଫେରିବା ଆରମ୍ଭ କଲେଣି । ପଶ୍ଚିମ ୟୁକ୍ରେନର କିଛି କିଛି ନାଗରିକ ଏବେ ନିଜ ଦେଶକୁ ଫେରୁଛନ୍ତି । ମାତ୍ର ଯୁଦ୍ଧ କେବେ ଶେଷ ହେବ ସେନେଇ କୌଣସି ବି ନିଷ୍କର୍ସ ବାହାରି ପାରୁନି ।