ଭୟାବହ ହେବ ରୁଷ-ୟୁକ୍ରେନ ଯୁଦ୍ଧ! ୟୁକ୍ରେନକୁ ଆମେରିକା ଦେବ ଆଡଭାନ୍ସ ଆର୍ଟିଲେରୀ ରକେଟ ସିଷ୍ଟମ ।

181

କନକ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଆସିଛି ଆଉ ଏକ ବଡ ଖବର । ରୁଷ ବିରୋଧୀ ଲଢେଇରେ ୟୁକ୍ରେନକୁ ଅଧିକ ବଳଦେବ ଆମେରିକା । କ୍ରେମଲିନ ସେନାର ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରବତି ଜୋ ବାଇଡେନ ବଡ ନିଷ୍ପତି ନେଇ ୟୁକ୍ରେନକୁ ଆଡଭାନ୍ସ ଆର୍ଟିଲେରୀ ରକେଟ ସିଷ୍ଟମ ପଠାଇବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି । ନିକଟରେ ଆମେରିକା ଘୋଷଣା କରିଥିବା ୭ଶହ ମିଲିୟନ ଡଲାରର ସାମରିକ ସହଯୋଗ ଯୋଗାଇବା ପ୍ରତିଶ୍ରୁତିର ଏହା ଅଂଶବିଶେଷ ।
ଆଡଭାନ୍ସ ଆର୍ଟିଲେରୀ ରକେଟ ସିଷ୍ଟମ କଣ
● ଏହା ଆମେରିକା ପ୍ରତିରକ୍ଷା କ୍ଷେତ୍ରର ଅନ୍ୟତମ ଶକ୍ତିଶାଳୀ ରକେଟ
● କ୍ଷଣିକରେ ହିଁ ଶତ୍ରୁ ଓ ସେମାନଙ୍କ ଶକ୍ତିଶାଳୀ ହତିଆରକୁ ଧ୍ୱଂସ କରିପାରେ
● ୮୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରେ ।

ମଙ୍ଗଳବାର ପ୍ରତିରକ୍ଷାମନ୍ତ୍ରାଳୟ ସହ ବୈଠକ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ୟୁକ୍ରେନର ଯୁଦ୍ଧକ୍ଷେତ୍ରରେ ଠିକଣା ଭାବେ ଶତ୍ରୁର ଲକ୍ଷ୍ୟଭେଦ କରିବା ପାଇଁ ଅଧିକ ଉନ୍ନତ ରକେଟ ସିଷ୍ଟମ ଯୋଗାଇ ଦେବା ପାଇଁ ନିଷ୍ପତି ନିଆଯାଇଛି । କିଛି ଦିନ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଆମେରିକାଠୁ ଅଧିକ ସହାୟତା ମାଗିଥିଲେ । ରୁଷ ବିିରୋଧୀ ଲଢେଇ ପାଇଁ ୟୁକ୍ରେନ ମିତ୍ର ରାଷ୍ଟ୍ରମାନଙ୍କଠୁ ଦୂରଗାମୀ ମିସାଇଲ ସିଷ୍ଟମ ସହାୟତା ମାଗୁଛନ୍ତି ।

ଯୁଦ୍ଧର ୯୮ ଦିନରେ ୟୁକ୍ରେନର ବିଭିନ୍ନ ସହରରୁ ବିଚଳିତ କରୁଥିବା ଘଟଣା ସାମ୍ନାକୁ ଅ।।ସୁଛି । ଏହା ଭିତରେ ପୂର୍ବ ୟୁକ୍ରେନରେ ଥିବା ସେବେରୋଡନେଟିକ୍ସର ଏକ କେମିକାଲ ପ୍ଲାଣ୍ଟ ଉପରେ ରୁଷ ଆକାଶ ମାର୍ଗରୁ ଆକ୍ରମଣ କରିଛି । ପ୍ଲାଣ୍ଟରେ ରହିଥିବା ନାଇଟ୍ରିକ୍ ଏସିଡ ଟ୍ୟାଙ୍କ ଗୁଡିକ ଧ୍ୱଂସ ପାଇ ବିଷାକ୍ତ ଧୂଆଁ ବ୍ୟାପୁଥିବା କହିଛନ୍ତି ଲୁହାନସ୍କର ଗଭର୍ଣ୍ଣର ସର୍ଗେଇ ଗେଡେ । ଘଟଣାସ୍ଥଳରୁ ଲୋକଙ୍କୁ ବାହାରିବାକୁ କୁହାଯାଇଛି । ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛି ୟୁକ୍ରେନ । ଏଭଳି ଆକ୍ରମଣ ରୁଷର ଏକ ପାଗଳାମୀ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ସେପଟେ ୟୁକ୍ରେନକୁ ଅଧିକ ସାମାରିକ ସହାୟତା ଦେବା ପାଇଁ ଘୋଷଣା କରିଛି ଜର୍ମାନୀ ।