କନକ ବ୍ୟୁରୋ: କୋଭିଡ ସମୟରେ ଗାଁ ଲୋକଙ୍କ ଆମୋଦ ପ୍ରମୋଦ ପାଇଁ ସରକାର ଗ୍ରାମୀଣ ପାର୍କ ନିର୍ମାଣ କରିଥିଲେ । ଉଦ୍ଦେଶ୍ୟ ଥିଲା ଲୋକେ ବାହାରକୁ ନଯାଇ ନିଜ ଗାଁରେ କାମ ପାଇବେ । ରୋଜଗାର କରି ପରିବାର ପ୍ରତିପୋଷଣ କରିବେ । ଅନ୍ୟପଟେ ଗାଁ ପାର୍କରେ ପିଲାମାନେ ବୁଲାବୁଲି କରି ଆନନ୍ଦ ପାଇବେ । ହେଲେ ସ୍ଥାନୀୟ ଜନପ୍ରତିନିଧି ଓ ପଂଚାୟତ ଅଧିକାରୀଙ୍କ ଉଦାସିନତା ଏବଂ ଅବହେଳା ଯୋଗୁଁ ଗ୍ରାମ୍ୟ ପାର୍କ ଏବେ ଅବହେଳିତ ହୋଇଯାଇଛି ।

Advertisment

କରୋନା କାଳରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକରେ ୫୫ଟି ପଂଚାୟତରେ ୫୫ଟି ଗ୍ରାମୀଣ ପାର୍କ ନିର୍ମାଣ କରାଯାଇଛି । ଗୋଟିଏ ଦୁଇଟିକୁ ଛାଡି ଦେଲେ ବାକି ସବୁତକ ଅବହେଳିତ ହୋଇପଡିଥିବା ଅଭିଯୋଗ ହୋଇଛି । ପାର୍କରେ ଲାଗିଥିବା ଆନୁସାଙ୍ଗିକ ସାମଗ୍ରୀ କେଉଁଠି ଭାଙ୍ଗି ତୁଟି ଗଲାଣି ତ ଆଉ କେଉଁଠି ଉଇ ହୁଙ୍କାରେ ପୋତି ହୋଇଗଲାଣି । ଅନେକ ପାର୍କ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି । କେଉଁଠି କେତେ ଖର୍ଚ୍ଚ ହୋଇଛି ତାହା ମଧ୍ୟ ସ୍ପଷ୍ଟ କରାଯାଇନାହିଁ । ତେଣୁ କରୋନା ମହାମାରି ସମୟରେ ପାର୍କ ନାଁରେ ବଡଧରଣର ଅର୍ଥ ହେରଫେର ହୋଇଥିବା ସନ୍ଦେହ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଗ୍ରାମୀଣ ପାର୍କକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ସରପଂଚ ଓ ପଂଚାୟତ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ପାର୍କ କାମ କାହିଁକି ସପୂର୍ଣ୍ଣ ହୋଇନାହିଁ ବୋଲି ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ମିଳିପାରିନାହିଁ । ଗଣମାଧ୍ୟମ ସାମ୍ନାରେ କେହି ମୁହଁ ଖୋଲୁନାହାନ୍ତି । ସେପଟେ ଉପଜିଲ୍ଲାପାଳ କହିଛନ୍ତି ଖୁବଶୀଘ୍ର ପାର୍କଗୁଡିକର ପୁନଃରୁଦ୍ଧାର କରାଯିବ । ତେବେ ପ୍ରଶାସନ ନିଜେ ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଲେ ସରକାରୀ ଅର୍ଥ ବାଟମାରଣା ନହୋଇ ଉଚିତ କାମରେ ଲାଗିପାରନ୍ତା ବୋଲି ସ୍ଥାନୀୟ ଲୋକ ମତ ପ୍ରକାଶ କରିଛନ୍ତି ।