କନକ ବ୍ୟୁରୋ: ୨୦୧୭ରେ ବେଶ ଭଲ ପ୍ରଦର୍ଶନ କରି ଓଡିଶା ରାଜନୀତିରେ ବଡ ଭୂମିକା ନେବା ପାଇଁ ପଥ ପରିଷ୍କାର କରିଥିବା ବିଜେପି ଏଥର କିନ୍ତୁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ପ୍ରଥମ ଦିନ ଗଣତିରେ ପଶ୍ଚିମ ଓଡିଶା ଓ ମୟୂରଭଞ୍ଜ ଭଳି ଜିଲ୍ଲାରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏସବୁ ସ୍ଥାନରେ ବି ପ୍ରଥମ ଦିନ ଗଣତିରେ ବାଜି ମାତ କରିଛି ବିଜେଡି ।
ଗଣତିର ପ୍ରଥମ ଦିନରେ ବିଗିଡିଲା ଗଣିତ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ପ୍ରଥମ ଦିନରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । ଶନିବାର ଗଣତି ହୋଇଥିବା ମୋଟ ୩୧୫ ଜିଲ୍ଲା ପରିଷଦ ଜୋନରୁ ସନ୍ଧ୍ୟା ୭ଟା ଭିତରେ ବିଜେପି ମାତ୍ର ୧୯ଟି ଆସନରେ ଆଗରେ ଅଛି । ଏହାସହ ଦଳ ୧୮ଟି ଜିଲ୍ଲାରେ ଖାତା ଖୋଲିବାରେ ମଧ୍ୟ ସମର୍ଥ ହୋଇନି । ତେବେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ୨୯୭ ଜିଲ୍ଲା ପରିଷଦ ଆସନ ହାତେଇଥିଲା । ଏହାସହ କଂଗ୍ରେସକୁ ପଛରେ ପକାଇ ଦଳ ରାଜ୍ୟରେ ଦୁଇ ନମ୍ବର ସ୍ଥାନକୁ ଅକ୍ତିଆର କରିବାରେ ସମର୍ଥ ହୋଇଥିଲା । କିନ୍ତୁ ୨୦୨୨ ନିର୍ବାଚନର ପ୍ରଥମ ଦିନର ଗଣତି ଦଳକୁ ସମ୍ପୂର୍ଣ୍ଣ ନିରାଶ କରିଛି ।
- ପଶ୍ଚିମ ଓଡିଶାରେ ଫୁଟିଲାନି ପଦ୍ମ
- ଗେରୁଆ ଗଡରେ ବେହାଲ ବିଜେପି
ବିଜେପି ପାଇଁ ସବୁଠାରୁ ଖରାପ ଖବର ଆଣିଛି ପଶ୍ଚିମ ଓଡିଶା । ଶନିବାର ବଲାଙ୍ଗୀର, ବରଗଡ, କଳାହାଣ୍ଡି, ସମ୍ବଲପୁରରେ ଗଣତି ହୋଇଥିବା ୪୮ ଜୋନରୁ ଦଳ ପାଖାପାଖି ମାତ୍ର ୧୦ ଆସନରେ ଆଗେଇଛି । କିନ୍ତୁ ସୋନପୁର,ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ ଓ ନୂଆପଡାରେ ଖାତା ଖୋଲିପାରିନି ଦଳ । ୨୦୧୭ରେ କେବଳ ନୂଆପଡାରେ ବିଜେପିର ପ୍ରଦର୍ଶନ ଖରାପ ରହିଥିବା ବେଳେ ସୁନ୍ଦରଗଡରେ ବିଜେଡି ସହ ବରାବର ସ୍ଥିତିରେ ଥିଲା, କିନ୍ତୁ ଅନ୍ୟ ସବୁ ଜିଲ୍ଲାରେ ଦଳ ଅଧିକାଂଶ ଜୋନରେ ବିଜୟଲାଭ କରିବା ସହ ଅଧ୍ୟକ୍ଷ ପଦ ହାତେଇବାରେ ସମର୍ଥ ହୋଇଥିଲା ।
୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ପଶ୍ଚିମ ଓଡିଶାବାସୀ ବିଜେପିକୁ ଦେଇଥିଲେ ଅକୁଣ୍ଠ ସମର୍ଥନ । ସମସ୍ତ ୫ଟି ସଂସଦୀୟ ଆସନ ଯାଇଥିଲା ବିଜେପି ହାତକୁ । ବିଜେପିର ବଡ ଚେହେରା କୁହାଯାଉଥିବା ନେତାଙ୍କ ପ୍ରଚାର ସତ୍ତେ୍ୱ ଦଳର ଏପରି ସ୍ଥିତି ଏବେ ଚିନ୍ତାର କାରଣ ହୋଇଛି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦଳର ମଙ୍ଗ ଧରିଥିବା ସତ୍ତେ୍ୱ ବିଜେପିର ଉତ୍ତର ଓଡିଶା ଗଡ ମୟୁରଭଞ୍ଜରେ ମଧ୍ୟ ବିଜେପି ମିଳିଛି ବଡ ଝଟକା । ମୋଟ ୫୬ ପରିଷଦ ଆସନ ବିଶିଷ୍ଟ ଏହି ଜିଲ୍ଲାରେ ୨୦୧୭ରେ ଦଳ ୪୯ ଆସନ ଜିତିଥିବା ବେଳେ ଶନିବାର ଗଣତି ହୋଇଥିବା ୨୬ ଆସନରେ ଦଳ ଖାତା ଖୋଲିବାକୁ ସମର୍ଥ ହୋଇପାରିନି । ସବୁଠାରୁ ବଡ କଥା ହେଉଛି, ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ବିଜେପି ସନ୍ଧ୍ୟା ୭ଟା ସୁଦ୍ଧା ୧୮ ଜିଲ୍ଲାରେ ନିଜର ସ୍ଥିତି ମଧ୍ୟ ଜାହିର କରିପାରିନି ।