କନକ ବ୍ୟୁରୋ : ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରି ନୂଆ ଇତିହାସ ରଚିଛି ଭାରତ । କେବଳ ଭାରତ ନୁହେଁ ସାରା ବିଶ୍ୱକୁ ନୂଆ ଉପଲବ୍ଧି ଆଣି ଦେଇଛି ଏହି ବିରଳ ସଫଳତା । ଏହା ସହ କିପରି ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର କାର୍ଯ୍ୟ କରିବ, ଏ ନେଇ ସମସ୍ତଙ୍କ ଉକ୍ରଣ୍ଠା ଲାଗି ରହିଛି । ଏପଟେ ଲ୍ୟାଣ୍ଡରରୁ ପୃଥକ ହୋଇ ଚନ୍ଦ୍ରପୃଷ୍ଠରେ ପାଦ ଦେଇଛି ରୋଭର । ଟ୍ୱିଟ୍ କରି ଜଣାଇଛି ଇସ୍ରୋ । ୧୪ ଦିନ ଧରି ଏହି ରୋଭର କାର୍ଯ୍ୟ କରିବ ।

Advertisment

ଏହି ୧୪ ଦିନ ମଧ୍ୟରେ ଅନେକ କିଛି କାର୍ଯ୍ୟ ସଂପାଦନ କରିବ ରୋଭର । ସମସ୍ତଙ୍କ ଆଶା ରହିଛି, ଚନ୍ଦ୍ରର ଦକ୍ଷିଣ ମେରୁର ରହସ୍ୟ ଉପରୁ ପର୍ଦ୍ଦା ଉଠାଇବାରେ ସମର୍ଥ ହେବ ।
ଚନ୍ଦ୍ରପୃଷ୍ଠରେ କ’ଣ କରିବ ରୋଭର ‘ପ୍ରଜ୍ଞାନ’?
ଚନ୍ଦ୍ରପୃଷ୍ଠ କେଉଁ ରାସାୟନିକ ଉପାଦାନରେ ଗଢ଼ା, ତା’ର ତର୍ଜମା କରିବ ରୋଭର
ଚନ୍ଦ୍ରର ମାଟି ଓ ଶିଳା ପରୀକ୍ଷା କରି ତଥ୍ୟ ପଠାଇବ
ଆୟନସ, ଇଲେକ୍ଟ୍ରୋନସ ଆଦିର ଘନତା ମାପିବ
ମେରୁ ଅଂଚଳର ତାପମାତ୍ରାର ବୈଶିଷ୍ଟ ଅନୁଧ୍ୟାନ କରିବ
ବିକ୍ରମ ଲ୍ୟାଣ୍ଡର ଜରିଆରେ ତଥ୍ୟ ଓ ଫଟୋ ଚିତ୍ର ପଠାଇବ

ପୃଥିବୀର ୧୪ ଦିନ ଅର୍ଥାତ ଗୋଟିଏ ଚନ୍ଦ୍ରଦିନ ସକ୍ରିୟ ରହି କାର୍ଯ୍ୟ କରିବା ପାଇଁ ରୋଭର ଓ ଲ୍ୟାଣ୍ଡରକୁ ଡିଜାଇନ କରିଛି ଇସ୍ରୋ । ରାତି ହୋଇଗଲେ ଅର୍ଥାତ୍ ସୂର୍ଯ୍ୟକିରଣ ନପଡ଼ିଲେ ଅକାମୀ ହୋଇଯିବ ଯନ୍ତ୍ରପାତି । ପୁଣିଥରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟକିରଣ ପଡ଼ିବା ପାଇଁ ୧୪ ଦିନ ଅପେକ୍ଷା କରିବାକୁ ପଡ଼ିବ । ସେହି ସମୟରେ ପୁଣିଥରେ ଯନ୍ତ୍ରାଂଶ ସକ୍ରିୟ ହୋଇପାରେ । ଏ ସଂପର୍କରେ ସବିଶେଷ ତଥ୍ୟ ଦେଇନାହିଁ ଇସ୍ରୋ

ଚନ୍ଦ୍ରପୃଷ୍ଠରେ ସେମିତି ରହିଥିବ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର । ତେବେ ପ୍ରପଲସନ୍ ମଡ୍ୟୁଲ୍ ବର୍ଷ ବର୍ଷ ଧରି କାର୍ଯ୍ୟ କରିବ । ସୌରମଣ୍ଡଳ ବାହାରରେ ଥିବା ଗ୍ରହ, ଉପଗ୍ରହକୁ ଅନୁଧ୍ୟାନ କରିବ । କେଉଁ ଅଂଚଳ ବସବାସ ଉପଯୋଗୀ, ସେ ସଂପର୍କରେ ତଥ୍ୟ ପଠାଇବ । କୁହାଯାଉଛି ଭାରତର ଏହି ସଫଳ ଚନ୍ଦ୍ର ଅଭିଯାନ, ସାରା ବିଶ୍ୱକୁ ଅନେକ ନୂଆ ତଥ୍ୟ ଦେବାରେ ସମର୍ଥ ହେବ ।