କନକ ବ୍ୟୁରୋ: ଚନ୍ଦ୍ରଯାନ ପଠାଇଲା ନୂଆ ଭିଡିଓ । ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଉଛି ରୋଭର । ଚନ୍ଦ୍ରପୃଷ୍ଠରେ କିପରି ଲ୍ୟାଣ୍ଡରରୁ ରୋଭର ତଳକୁ ଓହ୍ଲାଉଛି ତାର ଭିଡିଓ ଟୁଇଟ କରିଛି ଇସ୍ରୋ । ଭିଡିଓରେ ଧିରେ ଧିରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରରୁ ଓହ୍ଲାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସେହି ସମୟର ଉତୋଳନ କରାଯାଇଥିଲା ଯେତେବେଳେ ଲ୍ୟାଣ୍ଡରଠୁ ରୋଭର ଅଲଗା ହୋଇଥିଲା । ଆଜି ଏହି ଭିଡିଓ ଟୁଇଟ କରିଛି ଇସ୍ରୋ । ଗୁରୁବାର ଅନ୍ୟ ଏକ ଭିଡିଓ ଆସିଥିଲା । ଭିଡିଓରେ ଚନ୍ଦ୍ରପୃଷ୍ଠ କିପରି ଦେଖିବାକୁ ତାହା ଜଣାପଡୁଥିଲା । ଅତି ନିକଟରୁ ଏହି ଦୃଶ୍ୟ କ୍ୟାମେରାରେ କଏଦ କରାଯାଇଥିଲା । ଲ୍ୟାଣ୍ଡରର କିଛି ଅଂଶ ମଧ୍ୟ ଏଥିରେ ଦେଖିବାକୁ ମିଳିଥିଲା ।

Advertisment

୨୬ କିଲୋ ଓଜନର ରୋଭରରେ ଏକାଧିକ ଉପକରଣ ଓ ଏକ ସୋଲାର ପ୍ୟାନେଲ ରହିଛି । ଏହା ପୃଥିବୀର ୧୪ ଦିନ ଅର୍ଥାତ ଚନ୍ଦ୍ରପୃଷ୍ଠରେ ଗୋଟିଏ ଦିନ ପାଇଁ କାମ କରିବ । ଏଥିରେ ଲାଗିଥିବା ଉପକରଣ ଚନ୍ଦ୍ରର ପାହାଡିଆ ଚଟାଣର ଯାଞ୍ଚ କରିିବା ସହ ମାଟିର ରାସାୟନିକ ବିଶ୍ଳେଷଣ କରିପାରିବ ରୋଭର । ସମସ୍ତଙ୍କ ଆଶା ରହିଛି, ଚନ୍ଦ୍ରର ଦକ୍ଷିଣ ମେରୁର ରହସ୍ୟ ଉପରୁ ପର୍ଦ୍ଦା ଉଠାଇବାରେ ସମର୍ଥ ହେବ ରୋଭର ।

ଚନ୍ଦ୍ରପୃଷ୍ଠରେ କ’ଣ କରିବ ରୋଭର ‘ପ୍ରଜ୍ଞାନ’?
ଚନ୍ଦ୍ରପୃଷ୍ଠ କେଉଁ ରାସାୟନିକ ଉପାଦାନରେ ଗଢ଼ା, ତା’ର ତର୍ଜମା କରିବ ରୋଭର
ଚନ୍ଦ୍ରର ମାଟି ଓ ଶିଳା ପରୀକ୍ଷା କରି ତଥ୍ୟ ପଠାଇବ
ଆୟନ୍ସ, ଇଲେକଟ୍ରୋନ୍ସ ଆଦିର ଘନତା ମାପିବ
ମେରୁ ଅଞ୍ଚଳର ତାପମାତ୍ରାର ବୈଶିଷ୍ଟ ଅନୁଧ୍ୟାନ କରିବ
ବିକ୍ରମ ଲ୍ୟାଣ୍ଡର ଜରିଆରେ ତଥ୍ୟ ଓ ଫଟୋ ଚିତ୍ର ପଠାଇବ

ପୃଥିବୀର ୧୪ ଦିନ ଅର୍ଥାତ ଗୋଟିଏ ଚନ୍ଦ୍ରଦିନ ସକ୍ରିୟ ରହି କାର୍ଯ୍ୟ କରିବା ପାଇଁ ରୋଭର ଓ ଲ୍ୟାଣ୍ଡରକୁ ଡିଜାଇନ କରିଛି ଇସ୍ରୋ । ଚନ୍ଦ୍ରପୃଷ୍ଠରେ ସେମିତି ରହିଥିବ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର । ତେବେ ପ୍ରପଲସନ୍ ମଡ୍ୟୁଲ୍ ୩ରୁ ୪ମାସ ପର୍ଯ୍ୟନ୍ତ ଚନ୍ଦ୍ରର ଚାରିପଟେ ପରିକ୍ରମା କରିବ । ଏହାର ସୌରମଣ୍ଡଳ ବାହାରରେ ଥିବା ଗ୍ରହ, ଉପଗ୍ରହକୁ ଅନୁଧ୍ୟାନ କରିବା । କୁହାଯାଉଛି ଭାରତର ଏହି ସଫଳ ଚନ୍ଦ୍ର ଅଭିଯାନ, ସାରା ବିଶ୍ୱକୁ ଅନେକ ନୂଆ ତଥ୍ୟ ଦେବାରେ ସମର୍ଥ ହେବ ।