କନକ ବ୍ୟୁରୋ: ରାଉରକେଲାକୁ କଲବଲ କଲାଣି ହଇଜା । ୩ ଦିନରେ ଏଠାରେ ୯ଜମଙ୍କ ମୃତ୍ୟୁ ହେଲାଣି । ୫ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସରକାରୀ ତତ୍ପରତା ଓ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ସତ୍ୱେ ହଇଜା ବ୍ୟାପିବାରେ ଲାଗିଛି । ପାନପୋଷ ଓ ଛେଣ୍ଡର ବସ୍ତି ଅଂଚଳ ହଇଜାର ହଟସ୍ପଟ୍ ପାଲଟିଛି ।
ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବଢୁଛି, ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ତତ୍ପରତା ଦେଖାଇଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ୧୨ଟି ସ୍ୱାସ୍ଥ୍ୟ ଟିମ୍ ଗଠନ କରାଯାଇଛି । ବସ୍ତି ଓ କଲୋନୀ ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବାଣ୍ଟୁଛନ୍ତି । ଆବଶ୍ୟକ ପଡିଲେ ରୋଗୀଙ୍କୁ ଡାକ୍ତରଖାନା ପଠାଯାଉଛି । ସହରର ବିଭିନ୍ନ ବସ୍ତି ଓ କଲୋନି ପାଇପ ଯୋଗେ ଯୋଗାଣ ହେଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀ ରଞ୍ଜନ ଶତପଥୀ କହିଛନ୍ତି, ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ବେଡ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତର ଓ ନର୍ସିଂ କର୍ମଚାରୀ ମଧ୍ୟ ବଢ଼ାଯାଇଛି । ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଝାଡାବାନ୍ତି ବ୍ୟାପିବା ପଛର ପ୍ରମୁଖ କାରଣ ହେଉଛି ପାଣି । ପାଣିରେ କ୍ଲୋରିନ୍ କମ୍ ରହିଛି । ଏହା ଜଳବାହିତ ରୋଗ ବୋଲି ପ୍ରାଥମିକ ସ୍ତରରେ ଜଣାପଡିିଛି ।
ଗୋଟିଏ ପଟେ ପାଣି ଟ୍ୟାଙ୍କି ସଫା କରିବା, ନାଳ ବିଶୋଧନ କରିବା ସହ ପାଣି ନମୁନା ସଂଗ୍ରହ ପାଇଁ ୱାଟକୋକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ହଟସ୍ପଟ୍ ପାଲଟିଥିବା ପାନପୋଷ ଓ ଛେଣ୍ଡ ଅଂଚଳରେ ବିଶୁଦ୍ଧ ପାଣି ପିଇବାକୁ ମିଳୁନଥିବା ଅଭିଯୋଗ ହେଉଛି । ପାନପୋଷର ୫ ନମ୍ବର ୱାର୍ଡର ବାସିନ୍ଦା ଗୋଳିଆ ପାଣି ପିଉଥିବା ବେଳେ ଛେଣ୍ଡରେ ପାଣି ପାଇପ୍ ଫାଟି ଯାଇଛି । ପାନପୋଷରେ ଟ୍ୟାପ୍ ଖୋଲିବା ମାତ୍ରେ ବାହାରୁଛି ଗୋଳିଆ ପାଣି । ଛେଣ୍ଡ ଅଂଚଳରେ ପାଣି ପାଇପ୍ ଫାଟି ଯାଇଛି । ଯୁଦ୍ଧକାଳୀନ ଭିତିରେ ଏହାର ମରାମତି ହେଉଛି । କିନ୍ତୁ ଲୋକଙ୍କ ଅଭିଯୋଗ ପାଇପ ଫାଟିଥିବାରୁ ଦୂଷିତ ହୋଇଯାଇଛି ପିଇବା ପାଣି । ସ୍ୱାସ୍ଥ୍ୟ ଅଧିକାରୀ ଏହାକୁ ଜଳବାହିତ ରୋଗ କହୁଥିବା ବେଳେ ଏହାକୁ ମାନୁନାହାନ୍ତି ୱାଟକୋ ଅଧିକାରୀ ।