କନକ ବ୍ୟୁରୋ : ଦେଶରେ ସବୁଠାରୁ ବଡ ଚିଟଫଣ୍ଡ ଦୁର୍ନୀତି କରିଥିବା ରୋଜଭ୍ୟାଲି ସଂସ୍ଥା ବାବଦରେ ପୁଣି ଖୋଳତାଡ ଆରମ୍ଭ କରିଛି ସିବିଆଇ । ରୋଜଭ୍ୟାଲି ଗ୍ରୁପର ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିବାର ଦିନକ ପରେ ଭୁବନେଶ୍ୱର ଆଣିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଶୁକ୍ରବାର ତାଙ୍କୁ ଗିରଫ କରିବା ପରେ କୋଲକାତାର ଏକ କୋର୍ଟରେ ହାଜର କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣାଯାଇଛି ।

Advertisment

ଅଧିକ ଲାଭର ଲୋଭ ଦେଖାଇ ଜମାକାରୀଙ୍କଠାରୁ ପ୍ରାୟ ୧୭ ହଜାର କୋଟି ଟଙ୍କା ଲୁଟିନେଇଛି ରୋଜଭ୍ୟାଲି ଚିଟ୍ଫଣ୍ଡ ସଂସ୍ଥା । ଏହି ମହାଦୁର୍ନୀତିରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି ଖୋଳତାଡ କରିବା ପାଇଁ ଶୁଭ୍ରାଙ୍କୁ ସିବିଆଇ ଭୁବନେଶ୍ୱର ଆଣିଥିବା ଅନୁମାନ କରାଯାଉଛି ।

ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟିନେଇ ଏହାକୁ ଦେଶବ୍ୟାପୀ ହୋଟେଲ ଓ ରିସୋର୍ଟ ବ୍ୟବସାୟରେ ନିବେଶ କରିଥିଲା ରୋଜଭ୍ୟାଲି । ସଂସ୍ଥାର ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ ମଧ୍ୟ ଏକ ଜୁଏଲାରୀ ରିଟେଲ ଚେନ ଚଳାଇଥିଲେ । ଯାହାକୁ ୨୦୧୫ରେ ସିଲ କରିଦେଇଥିଲା ସିବିଆଇ । ଚିଟ୍ଫଣ୍ଡ ଟଙ୍କା କେଉଁଠି ନିବେଶ ହୋଇଛି ସେନେଇ ଖୋଳତାଡ କରୁଥିବା ପ୍ରବର୍ତନ ନିର୍ଦ୍ଦେଶାଳୟ ମଧ୍ୟ ୨୦୧୯ ନଭେମ୍ବରରେ ଶୁଭ୍ରାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଥିଲା । ଉଭୟ ସିବିଆଇ ଓ ଇଡିର ଏକାଧିକବାର ଜେରାପରେ ଶେଷେରେ ଗତ ଶୁକ୍ରବାର ଶୁଭ୍ରାଙ୍କୁ ଗିରଫ କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ।

ପଶ୍ଚିମବଙ୍ଗ ସମେତ ଓଡିଶାରେ ଜମାକାରୀଙ୍କୁ ଲୁଟିଛି ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥା । ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ଏହି ବହୁକୋଟି ଟଙ୍କା ଦୁର୍ନୀତିର ଛାନଭିନ କରୁଥିବା ସିବିଆଇ, ସଂସ୍ଥାର ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ୨୦୧୫ ମାର୍ଚ୍ଚରେ ଗିରଫ କରିଥିବାବେଳେ ଏବେ ସେ ଜେଲରେ ଅଛନ୍ତି । ସଂସ୍ଥାର ପ୍ରାୟ ୨ହଜାର ୩ଶହ କୋଟି ଟଙ୍କାର ସଂପତି ଆଟାଚ୍ କରିସାରିଲାଣି ପ୍ରବର୍ତନ ନିର୍ଦ୍ଦେଶାଳୟ । ସଂସ୍ଥା ସହ ସଂପୃକ୍ତି ଅଭିଯୋଗରେ ଟିଏମସିର ଲୋକସଭା ସାଂସଦ ସୁଦିପ ବନ୍ଦୋପାଧ୍ୟାୟଙ୍କୁ ଗିରିଫ କରିଥିଲା ସିବିଆଇ ।
ଅବଶ୍ୟ ଜାମିନରେ ଆସିବା ପରେ ଏବେ ସେ ବିଜେପି ଶିବିରରେ । ସେହିପରି ୨୦୧୭ରେ ତାପସ ପାଲଙ୍କୁ ମଧ୍ୟ ଗିରଫ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ସେ ମଧ୍ୟ ଜାମିନରେ ଆସିଥିବାବେଳେ ଗତବର୍ଷ ତାଙ୍କର ଦେହାନ୍ତ ହୋଇସାରିଛି । ତେଣୁ ଓଡିଶାରେ ଏହି ସଂସ୍ଥାର ବିସ୍ତାର ପାଇଁ କେଉଁ ପ୍ରଭାବଶାଳୀଙ୍କ ସଂପୃକ୍ତି ରହିଥିଲା, ସେନେଇ ଅଧିକ ଛାନଭିନ କରିପାରେ ସିବିଆଇ ।