ସ୍ୱୟଂ ସହାୟକ ଗୋଷ୍ଠୀ ମାଛ ଚାଷ କରିଥିବା ପୋଖରୀରେ ବିଷ ପକାଇ ଦେଲେ ଦୁର୍ବୃତ୍ତ: ପୋଖରୀରେ ଭାସୁଛନ୍ତି ହଜାର ହଜାର ମଲା ମାଛ

551

କନକ ବ୍ୟୁରୋ: ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ମାଛ ଚାଷ କରିଥିବା ପୋଖରୀରେ ବିଷ ପକାଇ ଦେଲେ ଦୁର୍ବୃତ । ପୋଖରୀରେ ଭାସୁଛନ୍ତି ମଲା ମାଛ । କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକର କୋରନ୍ଦା ଗାଁରେ ଘଟିଛି ଘଟଣା । ମା ମଙ୍ଗଳା ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ୮ ମାସ ତଳେ ପଂଚାୟତରୁ ଗାଁର ଥିବା ନୁଣୀ ଚତର ପୋଖରୀକୁ ନିଲାମରେ ଆଣିଥିଲେ । ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ୫ ଲକ୍ଷ ଟଙ୍କା ବ୍ୟାଙ୍କରୁ ରୁଣ ଆଣି ପୋଖରୀରେ ରୋହି, ଭାକୁଡ଼, ଚିଙ୍ଗୁଡ଼ି ମାଛ ଚାଷ କରିଥିଲେ । ପ୍ରତିଦିନ ୩ଘଂଟା ସମୟ ଦେଇ ପୋଖରୀରେ ଦାନା ପକାଇବା ସହ ଘାସ ବାଛିଥାନ୍ତି ମହିଳାମାନେ । ଏବେ ପୋଖରୀରେ ମାଛ ଧୀରେ ଧୀରେ ବଢ଼ୁଥିଲେ । ମହିଳାମାନେ ଭାବିଥିଲେ ଯେ ମାଛ ବିକି ରୁଣ ସୁଝିବେ ଓ କିଛି ଲାଭ ପାଇବେ ।ହେଲେ ପୋଖରୀରେ ଦୁର୍ବୃତମାନେ ବିଷ ପକାଇଦେଇଛନ୍ତି । ମାଛଗୁଡ଼ିକ ମରି ଭାସୁଥିବା ମହିଳାମାନେ ସକାଳୁ ଦେଖିବାକୁ ପାଇଥିଲେ । ତୁରନ୍ତ ପ୍ରଶାସନ ପକ୍ଷରୁ ସାହାର୍ଯ୍ୟ ସହଯୋଗ ଯୋଗାଇବା ଲାଗି ଦାବି କରିଛନ୍ତି ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ । ଏନେଇ ଥାନାରେ ଏତଲା ମଧ୍ୟ ଦେଇଛନ୍ତି ।