ସୁନା ଦୋକାନୀଙ୍କ ଘରୁ କଳାକନା ବୁଲାଇଲେ ଲୁଟେରା । ଆଲମାରୀ ଭାଙ୍ଗି ଲୁଟି ନେଲେ ୫ କିଲୋ ସୁନା ଅଳଙ୍କାର ସହ କୋଟିଏ ଟଙ୍କାର ସମାଗ୍ରୀ । ଥାନାରେ ଅଭିଯୋଗ କଲେ ଗଂଜାମ ପୁରୁଷୋତମପୁରର ବିଶ୍ୱନାଥ ଜୁଏଲର୍ସ ମାଲିକ ।

120

କନକ ବ୍ୟୁରୋ : ସୁନା ଦୋକାନୀଙ୍କ ଘରେ କଳକନା ବୁଲାଇଲେ ଲୁଟେରା । ଦୁର୍ବୃତମାନେ ଘରେ ପଶି ଆଲମାରୀ ଭାଙ୍ଗି ଲୁଟି ନେଇଛନ୍ତି କୋଟିଏ ଟଙ୍କାର ସୁନା ଅଳଙ୍କାର । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଗଂଜାମ ଜିଲ୍ଲା ପୁରୁଷୋତମପୁର ଥାନା ଅନ୍ତର୍ଗତ ବିଶ୍ୱନାଥ ଜୁଏଲର୍ସ ମାଲିକ ସୁରେନ୍ଦ୍ର ନାୟକ ।

ତେବେ ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ସୁରେନ୍ଦ୍ର ଉପର ଘରେ ଶୋଇଥିବା ତଳ ଘରୁ କିଛି ଶବ୍ଦ ଶୁଣିବାକୁ ପାଇଥିଲେ । ଶବ୍ଦ ଶୁଣି ତଳକୁ ମଧ୍ୟ ଆସିଥିଲେ । ହେଲେ କେହି ନଥିବା ଦେଖି ପୁଣି ଯାଇ ଶୋଇ ପଡିଥିଲେ । ପରେ ରାତି ୨ଟାରୁ ୩ଟା ଭିତରେ ଦୁର୍ବୃତମାନେ ଘରର ଗ୍ରୀଲ ଭାଙ୍ଗି ଘରେ ପଶିଥିଲେ । ଘରର ସମସ୍ତ ବେଡ ରୁମ୍କୁ ଆଗପଟୁ ତାଲା ଦେଇ ଲୁଟ୍ କରିଛନ୍ତି ।

ରାତି ୩ଟା ବେଳେ ସୁରେନ୍ଦ୍ର ତଳ ମହଲାକୁ ଆସି ଦେଖିଥିଲେ ଯେ, ତାଙ୍କ ଦାଣ୍ଡପାଖ ଘରର ଆଲମାରୀ ଭଙ୍ଗା ହୋଇଛି । ଏବଂ ଆଲମାରୀରେ ଥିବା ପ୍ରାୟ ୫ କେଜି ୫ଶହ ଗ୍ରାମର ସୁନା ଚୋରି ହୋଇଛି । ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ । ଏନେଇ ସେ ପୁରୁଷୋତମପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଓ ସାଇଂଟିଫିକ୍ ଟିମ୍ ସୁନା ଦୋକନୀ ସୁରେନ୍ଦ୍ରଙ୍କ ଘରେ ପହଂଚି ତଦନ୍ତ ଜାରି ରଖିଛନ୍ତି । ତେବେ ଲୁଟେରାମାନେ ଦୋକୀନୀଙ୍କ ଘରେ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । କେବଳ ସିସିଟିଭି ଭାଙ୍ଗିଛନ୍ତି ତା ନୁହେଁ, ସିସିଟିଭିର ହାର୍ଡ ଡିସ୍କ ମଧ୍ୟ ନେଇ ଯାଇଛନ୍ତି ।