ସିସିଟିଭି ଭାଙ୍ଗି ସୁନା ଦୋକାନୀଙ୍କ ଘରୁ କଳାକନା ବୁଲାଇଲେ ଲୁଟେରା : ଆଲମାରୀ ଭାଙ୍ଗି ଲୁଟି ନେଲେ କୋଟିଏ ଟଙ୍କାର ଅଳଙ୍କାର; ଥାନାରେ ଅଭିଯୋଗ କଲେ ଗଂଜାମ ପୁରୁଷୋତମପୁର ବିଶ୍ୱନାଥ ଜୁଏଲର୍ସ ମାଲିକ 

142

କନକ ବ୍ୟୁରୋ : ସୁନା ଦୋକାନୀଙ୍କ ଘରେ କଳକନା ବୁଲାଇଲେ ଲୁଟେରା । ଦୁର୍ବୃତ୍ତମାନେ ଘରେ ପଶି ଆଲମାରୀ ଭାଙ୍ଗି ଲୁଟି ନେଇଛନ୍ତି କୋଟିଏ ଟଙ୍କାର ସୁନା ଅଳଙ୍କାର । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବିଶ୍ୱନାଥ ଜୁଏଲର୍ସ ମାଲିକ ସୁରେନ୍ଦ୍ର ନାୟକ । ତେବେ ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ସୁରେନ୍ଦ୍ର ଉପର ଘରେ ଶୋଇଥିବା ତଳ ଘରୁ କିଛି ଶବ୍ଦ ଶୁଣିବାକୁ ପାଇଥିଲେ ।

ଶବ୍ଦ ଶୁଣି ତଳକୁ ମଧ୍ୟ ଆସିଥିଲେ । ହେଲେ କେହି ନଥିବା ଦେଖି ପୁଣି ଯାଇ ଶୋଇ ପଡିଥିଲେ । ପରେ ରାତି ୨ଟାରୁ ୩ଟା ଭିତରେ ଦୁର୍ବୃତମାନେ ଘରର ଗ୍ରୀଲ ଭାଙ୍ଗି ଘରେ ପଶିଥିଲେ । ଘରର ସମସ୍ତ ବେଡ ରୁମକୁ ଆଗପଟୁ ତାଲା ଦେଇ ଲୁଟ୍ କରିଛନ୍ତି । ରାତି ୩ଟା ବେଳେ ସୁରେନ୍ଦ୍ର ତଳ ମହଲାକୁ ଆସି ଦେଖିଥିଲେ ଯେ, ତାଙ୍କ ଦାଣ୍ଡପାଖ ଘରର ଆଲମାରୀ ଭଙ୍ଗା ହୋଇଛି । ଏବଂ ଆଲମାରୀରେ ଥିବା କୋଟିଏରୁ ଅଧିକ ଟଙ୍କାର ସୁନା ଗହଣା ଚୋରି ହୋଇଯାଇଛି ।

ଏନେଇ ସେ ପୁରୁଷୋତମପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଓ ସାଇଂଟିଫିକ୍ ଟିମ୍ ସୁନା ଦୋକନୀ ସୁରେନ୍ଦ୍ରଙ୍କ ଘରେ ପହଂଚି ତଦନ୍ତ ଜାରି ରଖିଛନ୍ତି । ତେବେ ଲୁଟେରାମାନେ ଦୋକୀନୀଙ୍କ ଘରେ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । କେବଳ ସିସିଟିଭି ଭାଙ୍ଗିଛନ୍ତି ତା ନୁହେଁ, ସିସିଟିଭିର ହାର୍ଡ ଡିସ୍କ ମଧ୍ୟ ନେଇ ଯାଇଛନ୍ତି ।