ଭୁବନେଶ୍ୱର ପିଏନବି ଏଟିଏମ ଲୁଟ ଘଟଣାର ଅଭିଯୁକ୍ତ ଦେଖାଇଲା ଡେମୋ । ଲୁଟେରା କହିଲା ଲୁଟର ପୂରା କାହାଣୀ । ନାଳ ଭିତରେ ଫୋପାଡିଥିଲେ ଟଙ୍କା ବ୍ୟାଗ

270

କନକ ବ୍ୟୁରୋ : ନାଳ କଡରେ ଥିବା ଅଳିଆ ଗଦା ଘାଂଟୁଛି ପୁଲିସ । ତନ୍ନ ତନ୍ନ କରି ଯାଂଚ କରୁଛନ୍ତି ପୁଲିସ କର୍ମଚାରୀ । ଏଟିଏମ ଲୁଟେରାର ତଥ୍ୟ ଆଧାରରେ ଏହି ଅଂଚଳରେ ଟଙ୍କା ଭର୍ତି ବ୍ୟାଗ ଫିଙ୍ଗା ଯାଇଥିବା ଜଣାପଡିବା ପରେ ଆରମ୍ଭ ହୋଇଛି ତନାଘନା ।

ଅକ୍ଟୋବର ୧୧ ତାରିଖରେ ଭୁବନେଶ୍ୱର ମାଗ୍ନେଟିକ୍ ଛକ ସ୍ଥିତ ପିଏନବି ଏଟିଏମରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଧରା ପଡିଛନ୍ତି ୨ ଅପରାଧୀ । ଭାଇଜାକ୍ ପୋଲିସ ଗିରଫ କରିବା ପରେ ଏହି ଦୁଇ ଲୁଟେରାଙ୍କୁ ୩ ଦିନିଆ ଟ୍ରାଜିଂଟ ରିମାଣ୍ଡରେ ଆଣିଛି କମିଶନରେଟ୍ ପୁଲିସ । ଏହା ପରେ ଆରମ୍ଭ ହୋଇଛି ପୁରା ଲୁଟ୍ ଘଟଣାର ତନାଘନା । ଲୁଟ୍ ହୋଇଥିବା ଏଟିଏମ୍ରେ ପହଂଚି ଡେମୋ କରିଛନ୍ତି ଦୁଇ ଲୁଟେରା । ପୁରା ଲୁଟ୍ର ଚିତ୍ରକୁ ପୁଣି ଥରେ ପ୍ରଦର୍ଶିତ କରିଛନ୍ତି ଅପରାଧୀମାନେ ।

ପଞ୍ଜାବର ସମରଜିତ୍ ସିଂହ ଓ କେରଳର ଜଫର ସଦ୍ଦିକ ମିଳିତ ଭାବେ ଚାଲାଇଥିଲେ ଏହି ଲୁଟ୍ ସାମ୍ରାଜ୍ୟ । ଲୁଟ୍ କରିବା ପରେ ବିମାନ ଯୋଗେ ସାରା ଦେଶରେ ବୁଲିଥାନ୍ତି ଦୁଇ ଲୁଟେରା । କଲିକତାରୁ ଫ୍ଲାଇଟ୍ ଯୋଗେ ଭୁବନେଶ୍ୱରରେ ପହଁଚି ପରେ ଏକ ହୋଟେଲରେ ରହି ପ୍ରସ୍ତୁତ କରିଥିଲେ ଲୁଟର ନକ୍ସା । ସହର ସାରା ବୁଲି ପ୍ରସ୍ତୁତ କରିଥିଲେ ଏଟିଏମ ଉପରେ ରଖିଥିଲେ ନଜର ।

ଶେଷରେ ଅକ୍ଟୋବର ୧୦ ତାରିଖ ବିଳମ୍ବିତ ରାତିରେ ପିଏନବିର ଏଟିଏମରୁ ତାଡି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କା । ଲୁଟ କରିବା ପରେ ଭୁବନେଶ୍ୱରରୁ ଫ୍ଲାଇଟ୍ ଯୋଗେ ସକାଳୁ ଦିଲ୍ଳୀ ବାହାରି ଯାଇଥିଲେ । ଦିଲ୍ଲୀରୁ ଟ୍ୟାକ୍ସିରେ ଚଣ୍ଡିଗଡରେ ପହଁଚିଥିଲେ ଲୁଟେରା । ସେଠାରୁ ଫ୍ଲାଇଟ ଯୋଗେ ବେଙ୍ଗାଲୁର ଓ ତାପରେ ଭାଇଜାଗରେ ପହଁଚି ଯାଇଥିଲେ । ସେଠାରେ ପୁଣି ଏକ ଏଟିଏମ ତାଡି ୯ ଲକ୍ଷ ଟଙ୍କା ଲୁଟ ଘଟଣାରେ ଭାଇଜାଗ ପୋଲିସ ହାତରେ ଗିରଫ ହୋଇଥିଲେ ଏହି ଦୁଇ ଲୁଟେରା ।

ଏପରକି ବାଙ୍ଗାଲୋରରେ ଏହି ଦୁଇ ଲୁଟେରାଙ୍କର ଏକ କର୍ପୋରେଟ ଅଫିସ ରହିଥିଲା । ଏଠାରେ ସେମାନେ ନିଜ ପରବର୍ତୀ ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି । ଦୁଇ ଲୁଟେରାଙ୍କ ଠାରୁ ଅଧିକ ତଥ୍ୟ ଯୋଗାଡ କରିବାରେ ଲାଗିଛି କମିଶନରେଟ ପୁଲିସ ।