ରାଜରାସ୍ତା ନା ଏଟା ଅଳିଆ ଗଦା !! ଜୁଆଡେ ଦେଖିବ ଖାଲି କୁଢ କୁଢ ଅଳିଆ

123

କନକ ବ୍ୟୁରୋ : ଏନ୍‌ଏଚ୍‌-୧୬ରେ ବିଏମ୍‌ସି ବେନିୟମ ଭାବେ ଯାନ୍ତ୍ରିକ ସଫେଇ କରୁଥିବା ନେଇ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି କିଛି ଦିନ ତଳେ ଏନ୍‌ଏଚ୍‌ରେ ଯାନ୍ତ୍ରିକ ସଫେଇ ବନ୍ଦ କରିଛି। ହେଲେ ଏହା ପରଠାରୁ ଏନ୍‌ଏଚ୍ କର୍ତ୍ତୃପକ୍ଷ ରାସ୍ତା ସଫା କରୁନାହାନ୍ତି। ରାସ୍ତାରେ ବିଭିନ୍ନ ସ୍ଥାନରେ ବାଲି ଜମା ହୋଇଥିବା ବେଳେ ଘାସ ଓ ଗଛ ଉଠିବା ଆରମ୍ଭ ହେଲାଣି। କେବଳ ଏତିକି ନୁହେଁ। ଏନ୍‌ଏଚ୍‌ କଡ଼ରେ କୁଢ଼ କୁଢ଼ ଆବର୍ଜନା ଗଦା ହେଲାଣି। ଫଳରେ ରାସ୍ତାରେ ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଲାଣି।

ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେ ମାତ୍ର ୧୦ଦିନରେ ଅଳିଆ ପାହାଡ଼ ଭଳି ଗଦା ହୋଇଥିଲେ ହେଁ ବିଏମ୍‌ସି ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଚୁପ୍‌ ରହିଛନ୍ତି। ଯେଉଁ ବିଏମ୍‌ସିର ଏନ୍‌ଏଚ୍‌ ପ୍ରୀତି ଦେଢ଼ବର୍ଷ ହେଲା ଲାଗି ରହିଥିଲା ତା’ର ବି ଏଥିପ୍ରତି ନଜର ନାହିଁ। ଜାତୀୟ ରାଜପଥକୁ ସ୍ବଚ୍ଛ ସୁନ୍ଦର ରଖିବା ପାଇଁ ଯାନ୍ତ୍ରିକ ସଫେଇ ଆରମ୍ଭ ହେଲାବେଳେ ବେଆଇନ ଭାବେ ବରମୁଣ୍ଡାରୁ ପଳାସୁଣି ପର୍ଯ୍ୟନ୍ତ ଜାତୀୟ ରାଜପଥ ଅଞ୍ଚଳକୁ ଯେଉଁ ବିଏମ୍‌ସି କର୍ତ୍ତୃପକ୍ଷ ପ୍ୟାକେଜରେ ସାମିଲ୍‌ କରିଥିଲେ ଏବେ ସେମାନଙ୍କ ଭୁଲ୍‌ ଧରାପଡ଼ିଯିବା ପରେ ଏନ୍‌ଏଚ୍‌ର ସୌନ୍ଦର୍ଯ୍ୟ ଓ ସଫେଇ ସେମାନଙ୍କୁ ଦେଖାଯାଉନି।

କିଛି ଦିନ ତଳେ ବିଏମ୍‌ସି କମିସନର କହିଥିଲେ ଯେ, ଜାତୀୟ ରାଜପଥ ପାଇଁ ସହରକୁ ଦୁଇ ଭାଗ କରିହେବନି। ତେଣୁ ବିଏମ୍‌ସି ଏନ୍‌ଏଚ୍‌ ସଫା କରିବ। ଯେତେବେଳେ ଏନ୍ଏଚ୍‌ ସଫେଇ ବିଏମ୍‌ସି ବେଆଇନ ଭାବେ କରୁଛି ବୋଲି ଜାଣିଲେ ସେତେବେଳେ ସଫେଇ ସଂସ୍ଥାକୁ କାର୍ଯ୍ୟରୁ କାଢ଼ିଲେ। ହେଲେ ଏହି ଏନ୍‌ଏଚ୍‌ ସଫେଇ କରିବା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଦାୟିତ୍ୱ ହୋଇଥିବାବେଳେ ସେମାନେ ଯେପରି ନିୟମିତ ରାସ୍ତା ସଫା କରିବେ, ରାସ୍ତା କଡ଼ରୁ ଅଳିଆ ଉଠାଇବେ ତାହାକୁ ବି ଅନୁଧ୍ୟାନ କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ଭୁଲିଗଲେ।

ନିୟମ ଅନୁଯାୟୀ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିୟମିତ ରାସ୍ତା ସଫା କରିବା ସହ ରାସ୍ତା କଡ଼ରୁ ଆବର୍ଜନା ଉଠାଇବେ। ଏହା ଯେପରି ଠିକ୍‌ଭାବେ ହେବ ଏବଂ ଠିକ୍‌ ଭାବେ ହେଉନଥିଲେ ବିଏମ୍‌ସି ତାଗିଦ୍‌ କରିବ। ହେଲେ ଏବେ ଯାନ୍ତ୍ରିକ ସଫେଇ ହେଉନି କି ବିଏମ୍‌ସିର ବାବୁଙ୍କୁ କିଛି ଲାଭ ମିଳୁନି। ତେଣୁ ଏନ୍‌ଏଚ୍‌ ସଫା ହେଲେ ହେଉ ନହେଲେ ନାହିଁ। ସେନେଇ କେହି ଧ୍ୟାନ ଦେଉନାହାନ୍ତି। ବିଏମ୍‌ସି କର୍ତ୍ତୃପକ୍ଷଙ୍କର ଢିଲାପଣ ଦେଖି ଏନ୍‌ଏଚ୍‌ କର୍ତ୍ତୃପକ୍ଷ ବି ପୂର୍ବଭଳି ହାତବାନ୍ଧି ବସିଛନ୍ତି।

ଏନ୍‌ଏଚ୍‌-୧୬ର ବରୁମଣ୍ଡାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଅଞ୍ଚଳକୁ ଏସ୍‌ଜେଇପିଏଲ୍‌ ସଂସ୍ଥା ନିର୍ମାଣ କରିଛି। ତେଣୁ ଏହି ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିବା ସହ ନିୟମିତ ଅଳିଆ ଉଠାଇବ। ଯେଉଁ କାମ ଉପରପଡ଼ି ବିଏମ୍‌ସି କରୁଥିଲା ବୋଲି ଏହି ସଂସ୍ଥା ଚୁପ୍‌ ରହିଥିଲା। ଆଉ ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କୁ କହୁଥିଲା ଯେ, ସେ ହିଁ ରାସ୍ତା ସବୁଦିନ ସଫା କରୁଛି। ଏନ୍‌ଏଚ୍‌ କର୍ତ୍ତୃପକ୍ଷ ବି କହିଥିଲେ ବିଏମ୍‌ସି କାହିଁକି ରାସ୍ତା ସଫା କରୁଛି ଆମେ ଜାଣିନୁ। ଏସ୍‌ଜେଇପିଏଲ୍‌ ସଂସ୍ଥା ରାସ୍ତା ସଫା କରିବାକୁ ଆମଠୁ ଅର୍ଥ ନେଇଛି। ସେ ହିଁ କରୁଛି। ଯେତେବେଳେ ସତ ଧରାପଡ଼ିଲା ସେତେବେଳକୁ ଏସ୍‌ଜେଇପିଏଲ୍‌ ସଂସ୍ଥାର ଜାଲିଆତି ଏବଂ ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କ ଅବହେଳା ଜଳଜଳ ଦିଶୁଛି।

ଆଜି ଏନେଇ ଜାତୀୟ ରାଜପଥ-୧୬ର ପ୍ରକଳ୍ପ ନିର୍ଦ୍ଦେଶକ ସୁବ୍ରତ ନାଗ କହିଛନ୍ତି ଯେ, ଏସ୍‌ଜେଇପିଏଲ୍‌ ସବୁଦିନ ଏନ୍‌ଏଚ୍‌ ସଫା କରୁଛି। ପୂର୍ବରୁ ଏକ ବଡ଼ ମେସିନରେ ଯାନ୍ତ୍ରିକ ସଫେଇ କରୁଥିଲା। ଏବେ ଉକ୍ତ ମେସିନ୍‌ ଖରାପ ହୋଇଯାଇଥିବାରୁ ଛୋଟ ମେସିନରେ କରୁଛି। ଜାତୀୟ ରାଜପଥ କଡ଼, ସର୍ଭିସ୍‌ ରୋଡରୁ ଅଳିଆ ଉଠାଇବା କାମ ବି ଉକ୍ତ ସଂସ୍ଥାର। ତେଣୁ ଉକ୍ତ ସଂସ୍ଥା ଯେପରି ସଫେଇ ନିୟମିତ କରିବ ସେନେଇ ଆମର ଇଞ୍ଜିନିୟରିଂ ଟିମ୍‌ ନଜର ରଖିଛି। ନିକଟରେ ଆମ ଇଞ୍ଜିନିୟରିଂ ଟିମ୍‌ ରିପୋର୍ଟ ଦେଇଛି, ଏସଜେଇପିଏଲ୍‌ ହିଁ ରାସ୍ତା ସଫା କରୁଛି। କିନ୍ତୁ ରାସ୍ତାରେ ଯେପରି କୁଢ଼ କୁଢ଼ ଆବର୍ଜନା ଗଦା ହୋଇଛି ତାହାକୁ ଦେଖିଲା ପରେ କିପରି କେଉଁ ଇଞ୍ଜିନିୟର ରିପୋର୍ଟ ଦେଲେ ରାସ୍ତା ନିୟମିତ ସଫା ହେଉଛି ବୋଲି ତାହା ତଦନ୍ତ ସାପେକ୍ଷ।

ଅପରପକ୍ଷେ ଶ୍ରୀ ନାଗ କହିଛନ୍ତି ଯେ, ରାସ୍ତାରେ ବହୁ ବାଲି ଟ୍ରକ ଯାଉଛି। ଏଗୁଡ଼ିକ ନିୟମ ଅନୁଯାୟୀ ବାଲି ପରିବହନ କରୁଛନ୍ତି। ତେଣୁ ରାସ୍ତାରେ ବହୁତ ବାଲି ଜମା ହେଉଛି। ତେଣୁ ସବୁ ଟ୍ରକ୍‌ ଯେପରି ନିୟମ ଅନୁଯା‌ୟୀ ଡାଲାକୁ ବାନ୍ଧି ବାଲି ନେବେ ସେନେଇ ଯାଞ୍ଚ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛୁ। ଜିଲ୍ଲାପାଳ ଯାଞ୍ଚ କଲେ ରାସ୍ତାରେ ଅଧିକ ବାଲି ପଡ଼ିବନି।