କନକ ବ୍ୟୁରୋ: କାଳ ପାଲଟିଲା ଖରାପ ରାସ୍ତା । ଟ୍ରକ୍ ଦୁର୍ଘଟଣା ଯୋଗୁଁ ଚାଲିଗଲା ୫ ବର୍ଷର ପୁଅର ଜୀବନ । ବାପା ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ପୁଅକୁ ହରାଇ କାନ୍ଦୁଛି ପୁରା ପରିବାର । ରାସ୍ତା ଖରାପ ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥ ମୟୂରଭଞ୍ଜ-ଯଶିପୁର ମୁଖ୍ୟ ବଜାର ଏବେ ମରଣଯନ୍ତା ପାଲଟିଛି । ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ଅସ୍ଥାୟୀ ଭାବେ ରାସ୍ତା ମରାମତି କରୁଥିବାରୁ ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ମଟର ଘଂଟା ଘଂଟା ଧରି ଅଟକି ରହୁଛି । ୪ ମାସ ହେଲା ଏଭଳି ସ୍ଥିତି ଲାଗିରହିଥିବା ବେଳେ ସ୍ଥାନୀୟ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୁକ୍ରବାର ସଂଧ୍ୟାରେ ଯଶିପୁର ଧୋବାଡିହାର ବାପୁନ ନାଏକ ତାଙ୍କ ୫ ବର୍ଷର ପୁଅକୁ ନେଇ ମେଡ଼ିକାଲ ଯାଉଥିଲେ । ଠିକ୍ ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ଧକ୍କାରେ ୫ ବର୍ଷର ପୁଅ ପିୟୁଷର ମୃତ୍ୟୁ ହୋଇଛି । ସାଥିରେ ଥିବା ପିୟୁଷର ଆଇ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ଘଟଣା ସ୍ଥଳରେ ଉତେଜନା ମୂଳକ ପରିସ୍ଥିତି ଦେଖାଦେଇଥିଲା । ଯଶିପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଟ୍ରକ୍ ଓ ବାଇକ ଜବତ କରି ଟ୍ରକ୍ ଡ୍ରଇଭରକୁ ଅଟକ ରଖିଛି । ହେଲେ ସ୍ଥିତି ପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।