ରାସ୍ତା ପାଲଟିଛି ମରଣଯନ୍ତା: ବାରମ୍ବାର ଦାବି ସତ୍ୱେ ହେଉନି ମରାମତି, ଆନ୍ଦୋଳନରେ ବସିଲେ ଉତ୍ତ୍ୟକ୍ତ ଲୋକ

61

କନକ ବ୍ୟୁରୋ: ଶୋଚନୀୟ ହୋଇପଡ଼ିଛି ରାସ୍ତା । ରାସ୍ତାରେ ବଡ଼ ବଡ଼ ଖାଲଖମା । ବାରମ୍ବାର ଦାବି ସତ୍ୱେ ରାସ୍ତା ମରାମତି କରାଗଲା ନାହିଁ । ଫଳରେ ରାସ୍ତା ଉପରେ ଆନ୍ଦୋଳନ କରିଛନ୍ତି ଉତ୍ୟକ୍ତ ଲୋକେ । ବାଲେଶ୍ୱର ଜିଲ୍ଲା ସଦର ବ୍ଲକ କଷାଫଳ ପଂଚାୟତରୁ ଆସିଛି ଏପରି ଅଭିଯୋଗ । ବାରମାଣିଆ ଠାରୁ ଗିମାଗଡିଆକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡ଼ିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ରାସ୍ତା ମରାମତି ନହେଲେ, ଆଗାମୀ ଦିନରେ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।

ବାଲେଶ୍ୱର ଜିଲ୍ଲା ସଦର ବ୍ଲକ କଶାଫଳ ପଂଚାୟତର ବାରମାଣିଆ ଠାରୁ ଗିମାଗଡ଼ିଆକୁ ସଂଯୋଗ କରୁଥିବା ରାସ୍ତା । ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି ଏହି ରାସ୍ତା । ବାରମ୍ବାର ଦାବି ମରାମତି ନହେବାରୁ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକ । ଗିମାଗଡିଆ ଓ ବାରମାଣିଆର ଲୋକ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆସିଲେ ନେତା ଆସନ୍ତି । ବିଭିନ୍ନ ପ୍ରକାର ଲୋଭନୀୟ ପ୍ରତିଶୃତି ଦିଅନ୍ତି । କିନ୍ତୁ ନିର୍ବାଚନ ସରିଗଲେ ସବୁ ଭୁଲି ଯାଆନ୍ତି । ତେଣୁ ତୁରନ୍ତ ରାସ୍ତା ମରାମତି ନହେଲେ, ଆଗାମୀ ଦିନରେ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ବର୍ଷ ବର୍ଷ ଧରି ଏ ରାସ୍ତା ଏମିତି ଶୋଚନୀୟ ଅବସ୍ଥାରେ ରହିଛି । ବହୁବର୍ଷ ତଳେ ନିର୍ମାଣ ହୋଇଥିବା ମାଟି ଓ ଅଣ ଓସାରିଆ କଂକ୍ରିଟ ରାସ୍ତା ଫାଟି ନଷ୍ଟ ହୋଇଯିବା ସହିତ ଅନେକ ସ୍ଥାନରେ ବଡ ବଡ ଗାତ ହୋଇଛି । ଯାହା ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୫ ଟି ଗ୍ରାମର ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ଷାଦିନେ ରୋଗୀ, ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନେ ସମସ୍ୟା ଭୋଗୁଛନ୍ତି । ଏମିତିକ ଆମ୍ବୁଲାନ୍ସ ଗାଁକୁ ଯାଇପାରୁନଥିବାରୁ ରୋଗୀଙ୍କୁ ଖଟିଆରେ ୩ କିଲୋମିଟର ବୋହିବାକୁ ପଡ଼ିଥାଏ । ଏ ନେଇ ସ୍ଥାନୀୟ ସରପଂଚଙ୍କ ଠାରୁ ଆରମ୍ଭ କରି ବିଧାୟକ, ଜିଲ୍ଲାପାଳଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳିପାରିନାହିଁ । ଏହା ଲମ୍ବା ରାସ୍ତା ହୋଇଥିବାରୁ ପଂଚାୟତ ଅର୍ଥରେ ରାସ୍ତା ନିର୍ମାଣ କରିବା ସମ୍ଭବ ନୁହେଁ । ତେଣୁ କାମଟି ଗ୍ରାମଉନ୍ନୟନ ବିଭାଗକୁ ହସ୍ତାନ୍ତର କଲେ, ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି କହିଛନ୍ତି ସମାଜସେବୀ ।