ଦଳରେ ପୋତି ହେଲାଣି ଦୟା ନଦୀ। ନଷ୍ଟ ହେଉଛି ମାଛଧରା ଡଙ୍ଗା।

76

କନକ ବ୍ୟୁରୋ: ଦୟା ନଦୀରେ ପାଣିଠୁ ଅଧିକ ଦଳ । ନଦୀର ଜୁଆଡେ ଚାହିଁବେ ସିଆଡେ କେବଳ ଦଳ ଆଉ ଦଳ । ଆଉ ଏହି ଦଳ ଭିତରେ ହଜିଯାଇଛି ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା । ପାଣି ନଥିବାରୁ ମାଛ ମାରି ନପାରି ନଷ୍ଟ ହେଉଛି ମାଛଧରା ଡଙ୍ଗା । ଦଳ ଯୋଗୁଁ ଦୟା ନଦୀରେ ଡଙ୍ଗା ବାହି ହେଉନାହିଁ, କି ମାଛ ଧରି ହେଉନାହିଁ । ତେଣୁ ପୁରୀ ଜିଲ୍ଲା କଣାସ ବ୍ଲକର ଶହଶହ ମତ୍ସ୍ୟଜୀବୀଙ୍କ ତେଲ ଲୁଣର ସଂସାର ପ୍ରଭାବିତ ହୋଇଛି ।

ଦୟା ନଦୀରେ ମାଛ ଧରିବାକୁ ଅପେକ୍ଷା କରି କରି ଡଙ୍ଗା ସବୁ ଭାଙ୍ଗି ରୁଜି ଗଲାଣି । ଏହି ଡଙ୍ଗା ତିଆରି କରିବା ପାଇଁ କିଏ ହାତ ଉଧାରି କରିଛନ୍ତି ତ ଆଉ କିଏ ବ୍ୟାଙ୍କରୁ ଋଣ ଆଣିଛନ୍ତି । ହେଲେ ଦଳ ଯୋଗୁଁ ଦୟା ନଦୀ ପୋତି ହୋଇଯିବାରୁ ମାଛ ମାରିବାକୁ ଯାଇ ପାରୁନାହାନ୍ତି ମତ୍ସ୍ୟଜୀବୀ । ସେପଟେ ଦୟା ନିଜର ସତ୍ତା ହରାଉଥିବା ବେଳେ କଣାସ ତହସିଲଦାର କହିଛନ୍ତି, ଡ୍ରେନେଜ୍ ବିଭାଗକୁ ଚିଠି ଲେଖିଛନ୍ତି, ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ।