ବିଧାନସଭାରେ ଆଜି ପୁଣି ଉଠିଲା ମହାନଦୀ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା କହି ଘେରିଲେ ବିରୋଧୀ 

126

କନକ ବ୍ୟୁରୋ: ମହାନଦୀ ପ୍ରସଙ୍ଗକୁ ନେଇ କମ୍ପିଲା ବିଧାନସଭା । ବିରୋଧୀ ବିଧାୟକ ଓ ଶାସକ ଦଳଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ପ୍ରଶ୍ନକାଳ । ବୁଧବାର ବିଜେଡି ମହାନଦୀ ପ୍ରସଙ୍ଗ ଉଠାଇଥିବା ବେଳେ ଗୁରୁବାର ଗୃହରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସ୍ୱତନ୍ତ୍ର ମୋସନ ଜରିଆରେ ଆଲୋଚନା ଦାବି କରି କହିଥିଲେ ମହାନଦୀ ପାଇଁ ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି, ତାହେଲ ସର୍ବଦଳୀୟ କମିଟି ଗଠନ କରାଯାଉ ।

ସେପଟେ କଂଗ୍ରେସ ସ୍ୱରରେ ସ୍ୱର ମିଶାଇଥିଲେ ବିଜେପି ବିଧାୟକ । କହିଥିଲେ ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ନୁହଁନ୍ତି ରାଜ୍ୟ ସରକାର । ବିରୋଧୀ ହଙ୍ଗାମା ଭିତରେ ବିଜେଡି ସଦସ୍ୟ ବିଜେପି-କଂଗ୍ରେସ ଭାଇ ଭାଇ ବୋଲି ନାରାବାଜି କରିଥିଲେ । ବିଜେଡି କହିଛି ନବୀନ ଶାସନକୁ ଆସିବା ଆଗରୁ ମହାନଦୀ ସମସ୍ୟା ଲାଗିରହିଛି । ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୋସନ୍ ଆଣି ଆଲୋଚନା କରାଯାଉ ବୋଲି ବାଚସ୍ପତିଙ୍କୁ ଲିଖିତ ଆବେଦନ କରିଥିଲେ କଂଗ୍ରେସ ନେତା ନରସିଂହ ମିଶ୍ର । ଏହାପରେ ମହାନଦୀ ପ୍ରସଙ୍ଗକୁ ନେଇ ରୁଲିଂ ଦେଇଛନ୍ତି ବାଚସ୍ପତି । ବ୍ୟୟ ମଂଜୁରୀ ବିଲ ପାରିତ ହେଲା ପରେ ଗୃହରେ ମହାନଦୀ ଜଳ ବିବାଦ ଉପରେ ଆଲୋଚନା ହେବ । ଅନ୍ୟପଟେ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ କରିିଛନ୍ତି ବାଚସ୍ପତି ।