ଲଗାଣ ବର୍ଷା ଯୋଗୁ ଫୁଲୁଛି ନଦୀ : ବିପଦ ସଂକେତ ଉପରେ ଜଳକା, ବଢୁଛି ହାତୀ ଓ ବୈତରଣୀର ଜଳସ୍ତର; ତଳିଆ ଅଂଚଳରେ ବନ୍ୟା ଜଳ ପଶିବା ଆଶଙ୍କା

184

କନକ ବ୍ୟୁରୋ : ବିପଦ ସଙ୍କେତ ଉପରେ  ପ୍ରବାହିତ ହେଉଛି ଜଳକା ନଦୀ । ଦୁଇଦିନ ଧରି ବସ୍ତା ଅଂଚଳରେ  ବର୍ଷା ଲାଗି ରହିବା ସହ ନଦୀର ଉପର ମୁଣ୍ଡରେ  ପ୍ରବଳବର୍ଷା ଯୋଗୁଁ  ଜଳସ୍ତର ବୃଦ୍ଧି ପାଉଛି ।  ମାଥନୀଠାରେ ବିପଦ ସଙ୍କେତ ୫ ଦଶମିକ ୫୦ ମିଟର ଥିବାବେଳେ ଜଳସ୍ତର ରହିଛି ୬ ଦଶମିକ ୬୨ ମିଟର ।  ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର, ମୋରଡା, ଚିତ୍ରଡା, ସୁଳିଆପଦା ଅଂଚଳରେ  ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇଛି । 

ଦୁଇଦିନ ହେବ ବସ୍ତା ଅଂଚଳରେ  ପ୍ରବଳ ବର୍ଷା ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ  ଆସନ୍ତା ଦୁଇଦିନ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।  ଯଦି ବର୍ଷା ଲାଗି ରହେ  ତାହାହେଲେ ବସ୍ତା ବ୍ଲକର ୨ଟି ପଂଚାୟତ  ଓ ସଦର ବ୍ଲକର ୨ଟି ପଂଚାୟତ  ପ୍ରଭାବିତ ହେବାର ସମ୍ଭାବନା ରହିଛି ।