କନକ ବ୍ୟୁରୋ: ନଦୀ ଆଁକୁ ଚାଲିଯିବ ଗାଁ । ନା ଅଛି ବନ୍ଧ ନା ଲୋକଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା । ବର୍ଷା ଦିନରେ ନଦୀ କୂଳ ଖାଇ ଚାଲିଥିବା ବେଳେ ନଦୀକୂଳିଆ ଲୋକଙ୍କ ନିଦ ହଜିଯାଇଛି । ବାଲେଶ୍ୱର ବାଲିଆପାଳ ଓ ଭୋଗରାଇ ଅଂଚଳରେ ଏବେ ସୁବର୍ଣ୍ଣରେଖା ନଦୀ ପାଲଟିଛି ଦୁଃଖ । ନଦୀ କୂଳ ଖାଇଚାଲିଥିବା ବେଳେ ପଥର ବନ୍ଧ ପାଇଁ ଗାଁର ଲୋକମାନେ ଦାବି କରିଛନ୍ତି । ଧନ ଜୀବନ ସୁରକ୍ଷା ପାଇଁ ପ୍ରତିଥର ଅଭିଯୋଗ କରିଥିଲେ ବି ସମସ୍ୟା ପ୍ରତି ଯେମିତି କାହାର ଗୁରୁତ୍ୱ ନାହିଁ ।

Advertisment

କୂଳ ଖାଇ ଗାଁ ମୁହାଁ ନଦୀ । ଆତଙ୍କିତ ହୋଇପଡିଛନ୍ତି ନଦୀ କୂଳିଆ ୭ ଖଣ୍ଡ ଗାଁର ଲୋକ । ପଥର ବନ୍ଧ ନଥିବାରୁ ନଦୀ କୂଳ ଖାଇବାରେ ଲାଗିଛି । ବାଲେଶ୍ୱର ବାଲିଆପାଳ ଓ ଭୋଗରାଇ ଦେଇ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ । ସାମାନ୍ୟ ବର୍ଷାରେ ବି ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ହେଲେ କୂଳରେ ରହିଥିବା ଗାଁର ଲୋକଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା କରି ନାହିଁ ପ୍ରଶାସନ । ବର୍ଷା ଦିନରେ ନଦୀ କୂଳ ଖାଉଥିବା ବେଳେ ଏକର ଏକର ଚାଷ ଜମି ନଦୀ ଗର୍ଭକୁ ଚାଲିଗଲାଣି । ନିଜ ଘରଦ୍ୱାର ରକ୍ଷା କରିବାକୁ ଲୋକେ ରାତି ଅନିଦ୍ରା ରହୁଥିବା ବେଳେ ପଥର ବନ୍ଧ ପାଇଁ ବହୁବାର ଅଭିଯୋଗ କରୁଛନ୍ତିା ହେଲେ ଲୋକଙ୍କ ଧନ ଜୀବନ ସୁରକ୍ଷା ପ୍ରତି ଯେମିତି କାହାର ନଜର ନହିଁ ।

ନଦୀ କୂଳ ଖାଇ ଖାଇ ଏବେ ଗାଁ ପାଖରେ ପହଂଚିଗଲାଣି । ବାଲିଆପାଳ ବ୍ଲକ ସମୁଦ୍ର ଉପକୁଳରେ ରହିଥିବାରୁ ସମୁଦ୍ରର ଜୁଆର ନଦୀ ଭିତରକୁ ଆସୁଛି । ଆଉ ଏହି ଜୁଆର ମାଡରେ କୂଳ ବେଶୀ ବେଶୀ ଖାଇ ଚାଲିଛି । ନଦୀର ସ୍ରୋତ ଓ ଜୁଆର ମାଡରୁ ନଦୀ କୂଳ ସୁରକ୍ଷିତ ରଖିବାକୁ ପଥର ପ୍ୟାକିଂ କରିକୁ ଦାବି କରିଛନ୍ତି ନଇକୂଳିଆ ଲୋକ । ସେପଟେ ପ୍ରତିଥର ଭଳି ଚଳିତଥର ବି ଲୋକଙ୍କ ସୁରକ୍ଷା ନେଇ ମିଳିଛି କେବଳ ପ୍ରତିଶ୍ରୁତି । ବର୍ଷା ବଢୁଥିବା ବେଳେ ନଦୀ କୂଳ ଖାଇ ଚାଲିଛି । ଏନେଇ ଖୁବଶିଘ୍ର ବନ୍ଧ କରାଯାଇ ଲୋକଙ୍କୁ ସୁରକ୍ଷା ଯୋଗାଇବା ଜରୁରୀ ହୋଇପଡିଛି ।