ଆଷାଢ଼ରେ ଶୁଖିଲା ପଡିଲା ନଈ । ଧାରେ ଧାରେ ବୋହୁଥିବା ପାଣିକୁ ବାଲିବନ୍ଧ ଦ୍ୱାରା ଅଟକାଇ ଶୋଷ ମେଣ୍ଟାଇବାକୁ ଜନସ୍ୱାସ୍ଥ୍ୟ ବିଭାଗର ଉଦ୍ୟମ

116

କନକ ବ୍ୟୁରୋ: ଅସରାଏ ବର୍ଷାରେ ଭୁବନେଶ୍ୱର ଉବୁଟୁବ ହେଉଛି । ରାଜଧାନୀର ରାସ୍ତା ଉପରେ କାର ଭାସି ଯାଉଛି । କିନ୍ତୁ ଉପର ମୁଣ୍ଡରେ ବର୍ଷା ନଥିବାରୁ ଭୁବନେଶ୍ୱରବାସୀଙ୍କୁ ପାଣି ଯୋଗାଉଥିବା ନଦୀ ଶୁଖିଲା ପଡିଛି । କୁଆଖାଇ ନଦୀରେ ଖୁବ୍ କମ ପାଣି ପ୍ରବାହିତ ହେଉଛି । ଆଉ ନଇରେ ବାଲି ବନ୍ଧ କରି ସେହି ପାଣିକୁ ଅଟକାଇ ରାଜଧାନୀବାସୀଙ୍କ ଶୋଷ ମେଂଟାଇବାକୁ ଉଦ୍ୟମ ଜାରି ରଖିଛି ଜନସ୍ୱାସ୍ଥ୍ୟ ବିଭାଗ ।

ଯେତେବେଳେ ନଦୀରେ ଜଳସ୍ରୋତ କମିଯାଏ, ସେତେବେଳେ ଶୋଷ ମେଂଟାଇବା ପାଇଁ ନଈ ଭିତରେ ବାଲି ବନ୍ଧ ବନ୍ଧା ହୁଏ । ନଈରେ ଧାରେ ଧାରେ ବହୁଥିବା ପାଣିକୁ ବାଲି ବନ୍ଧ ଦ୍ୱାରା ଅଟକାଇ ରାଜଧାନୀବାସୀଙ୍କ ଶୋଷ ମେଂଟାଇବାକୁ ଚେଷ୍ଟା କରୁଛି ଜନ ସ୍ୱାସ୍ଥ୍ୟ ବିଭାଗ । ଆଉ ଇଏ ହେଉଛି, ଭୁବନେଶ୍ୱର କୁଆଖାଇ ନଦୀର ଦୃଶ୍ୟ । ଜେସିବି ଯୋଗେ ବାଲି ବନ୍ଧ ବନ୍ଧାଯାଉଛି । ପାଣିକୁ ଅଟକାଇ ପମ୍ପ ଯୋଗେ ଉଠାଇ ବିଶୋଧନ କରି ଭୁବନେଶ୍ୱରବାସୀଙ୍କୁ ଯୋଗାଇ ଦେବାକୁ ଉଦ୍ୟମ କରୁଛି ପିଏଚଡି ବିଭାଗ ।

ଆଷାଢ଼ରେ ସୁଖିଲା ପଡିଛି ନଦୀ । ଉପର ମୁଣ୍ଡରେ ବର୍ଷା ନାହିଁ । ତେଣୁ କୁଆଖାଇ ନଦୀରେ ଜଳ ପ୍ରବାହ କମିଯାଇଛି । ଫଳରେ ମଟର ପାଣି ଉଠାଉ ନାହିଁ । ବାଲି ବନ୍ଧ କରି ପାଣିକୁ ଅଟକାଇଲେ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଥିବା ସ୍ଥାନରେ ଜଳସ୍ତର ବଢିବ, ଏବଂ ମଟର ଯୋଗେ ପାଣି ଉଠି ପାରିବ ବୋଲି ପିଏଚଡିରେ କାମ କରୁଥିବା ଠିକାଦାର କହିଛନ୍ତି ।

ଆଷାଢ଼ ସରି ଶ୍ରାବଣ ହେଲାଣି, ହେଲେ ବର୍ଷା ନଥିବାରୁ ନଦୀରେ ଜଳସ୍ତର କମୁଛି । ଆଉ ଆଗକୁ ଯଦି ଏହିଭଳି ସ୍ଥିତି ଲାଗି ରହେ ତେବେ ରାଜଧାନୀରେ ଜଳାଭାବ ଦେଖାଦେବାର ଆଶଙ୍କାକୁ ଏଡାଇ ଦିଆଯାଉ ନପାରେ ।