ହୀରାକୁଦ ପାଣି ଛାଡିବା ପରେ ନିଆଳିରେ ଫୁଲୁଛି ଦେବୀ ନଦୀ । ଦୁର୍ବଳ ନଦୀବନ୍ଧ ଯୋଗୁଁ ଆତଙ୍କରେ ନଇକୂଳିଆ ଲୋକେ, କୋରାପୁଟରେ ବଢୁଛି ସାବେରୀ ଓ ସିଲେରୁ

350

କନକ ବ୍ୟୁରୋ : ହଜି ଯିବ କି କଂଟିଶାଳ । ଦେବୀ ନଦୀ କୂଳରେ ଥିବା କଂଟିଶାଳ ଗ୍ରାମବାସୀଙ୍କୁ ଏବେ ଘାରିଲାଣି ଏଭଳି ପ୍ରଶ୍ନ । ହୀରାକୁଦର ପ୍ରଥମ ବନ୍ୟା ଜଳ ଆସିବା ପରେ ଫୁଲୁଛି ମହାନଦୀ । ତାହା ସହିତ ଫୁଲିଛି ଦେବୀ ନଦୀ । ଏବେ ନଦୀ ଫୁଲୁଥିବାରୁ ଦେବୀ ନଦୀ କୁଳିଆ ଲୋକଙ୍କ ମନରେ ଛନକା ପଶିଲାଣି । କଟକ ଜିଲ୍ଲାର ନିଆଳି ବ୍ଲକ ସଡାଶଂ ପଂଚାୟତର କଂଟିଶାଳ ଗାଁ ଲୋକେ ଅଧିକ ଆତଙ୍କରେ ରହିଛନ୍ତି । ଦେବୀ ନଦୀ କୂଳରେ ରହିଥିବା କଂଟିଶାଳ, ପାଟେଳି, ଗୁଣ୍ଡର ଆଦି ୫ ଖଣ୍ଡ ଗାଁ ନିକଟରେ କ୍ଷୟ ହେଉଛି ନଦୀ ବନ୍ଧ । ପ୍ରତିବର୍ଷ ଦେବୀ ନଦୀର ବନ୍ଧରେ ପଥର ପ୍ୟାକିଙ୍ଗ, ସ୍ଫର ନିର୍ମାଣ ହେଉଛି ।

କାମ ନିମ୍ନ ମାନର ହେଉଥିବାରୁ ପ୍ରତିବର୍ଷ ନଦୀ ବଢି ଆସିଲେ କୂଳ ଖାଇ ଯାଉଛି । ଏପରି ସ୍ଥିତିରେ ତିହୁଡି ପଂଚାୟତ ପାରିମାଳରୁ କଂଟିଶାଳ ଦେଇ ଗୁଣ୍ଡର ଯାଏଁ ଲଂବିଛି ପଥର ପ୍ୟାକିଂ । ନିମ୍ନ ମାନର ମରାମତି ହୋଇଥିବାରୁ ଏହା ଅନେକ ସ୍ଥାନରେ ଧସି ଗଲାଣି । ନଦୀ ବଢୁଥିବାରୁ ଆଗକୁ ଦୁର୍ବଳ ନଦୀ ବନ୍ଧ ସ୍ଥାନରେ ଘାଇ ସୃଷ୍ଟି ହେଲେ କଂଟିଶାଳ ପରି ୫ ଖଣ୍ଡ ଗାଁ ହଜି ଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସାଧାରଣ ଲୋକେ ତିନି ଥର ବିସ୍ଥାପିତ ହୋଇସାରିଲେଣି । ବର୍ତମାନ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ସାରିଲାଣି । ହୀରାକୁଦ ଗେଟ୍ ଖୋଲୁଥିବା ବେଳେ ଆଗକୁ ଆସୁଛି ଆଉ ଏକ ଲଘୁଚାପ । ଏହାକୁ ନେଇ ନଦୀର ଜଳପତନ ଆହୁରି ବଢିବା ଆଶଙ୍କା ଥିବାରୁ ନଦୀ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।