ଚାଲିଛି ରୀତିନୀତି: ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା, ସେପଟେ ରାମସ୍ୱାମୀ ମନ୍ଦିରରେ ମୁଖ୍ୟ ଯଜମାନ ମୋଦୀଙ୍କ ପୂଜାର୍ଚ୍ଚନା

102

କନକ ବ୍ୟୁରୋ: ରାମମୟ ଅଯୋଧ୍ୟା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଭିତରେ ଲାଗୁଛି ଯେମିତି, ଅଯୋଧ୍ୟାରେ ଏକାଠି ହୋଇଛି ପୁରା ଭରାତ ବର୍ଷ । ସାଧୁ, ସନ୍ଥ ଓ ସେଲିବ୍ରେଟିଙ୍କ ଭିଡ ଭିତରେ ଶୁଭୁଛି ଜୟ ଶ୍ରୀରାମ ନାରା । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ଉତରପ୍ରଦେଶ ସରକାର ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ଆଉ ଏହାରି ଭିତରେ ଆସନ୍ତାକାଲି ଅନ୍ତ ହେବ ଦୀର୍ଘ ସାଢେ ୫ଶହ ବର୍ଷ ପ୍ରତୀକ୍ଷା ।

ଭାବମୟ, ଭକ୍ତିମୟ, ରାମମୟ ଅଯୋଧ୍ୟା । ସବୁଠି ଉତ୍ସାହ, ସବୁଠି ଉକ୍ରଣ୍ଠା । ସଜେଇ ହୋଇଛି ରାମନଗରୀ । ହୋଇଥାନ୍ତା ବା’ କେମିତି? ଦୀର୍ଘ ସାଢ଼େ ୫ଶହ ବର୍ଷର ଅପେକ୍ଷାର ଅନ୍ତ ଘଟିଛି, କୋଟି କୋଟି ରାମଭକ୍ତଙ୍କ ଆଶା ପୂରଣ ହେବାକୁ ଯାଉଛି । ଆଉ କିଛି ଘଂଟାର ପ୍ରତୀକ୍ଷା, ଅନୁଷ୍ଠିତ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ପୂଜନ, ବନ୍ଦନ ଓ ମନ୍ତ୍ରଉଚ୍ଚାରଣରେ ଗୁଂଜରି ହେଉଛି ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମପୀଠ ।

ସାଧୁ-ସନ୍ଥ, ଶ୍ରଦ୍ଧାଳୁ ଓ ସେଲିବ୍ରିଟି୍ । ଉତ୍ସାହର ସହ ଅଯୋଧ୍ୟାରେ ପହଂଚିଛନ୍ତି । ଐତିହାସିକ ମୁହୁର୍ତର ସାକ୍ଷୀ ସାଜିବା ପାଇଁ ସମସ୍ତେ ତତ୍ପର । ପୂର୍ବରୁ ପଶ୍ଚିମ, ଉତର-ଦକ୍ଷିଣ, ସାରା ଭାରତରୁ ଶ୍ରୀରାମଙ୍କ ଜନ୍ମପୀଠରେ ପହଂଚିଛନ୍ତି । ଏମିତି ଲାଗୁଛି ଯେମିତି ସାରା ଭାରତବର୍ଷ ଏକାଠି ହୋଇଯାଇଛି ।

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା । ସ୍ୱତନ୍ତ୍ର ତାଲିମ୍ ପ୍ରାପ୍ତ ସୁରକ୍ଷାକର୍ମୀ, ଏଆଇ ସାର୍ଭେଲାନ୍ସ, ଏଟିଏସ୍ ସ୍କ୍ୱାର୍ଡ, ଏନ୍ଆଇଏ ଟିମ୍ ସମେତ ୭ ସ୍ତରୀୟ ସୁରକ୍ଷା କର୍ଡନ୍ ପ୍ରସ୍ତୁତ କରାଯାଇଛି । ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଉଭୟ କେନ୍ଦ୍ର ଓ ୟୁପି ସରକାର ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି ।

ଭକ୍ତ ଓ ଭଗବାନ ଯେମିତି ଅଯୋଧ୍ୟାରେ ଏକାକାର ହୋଇଯାଇଛନ୍ତି । କଳାକାରମାନେ ସ୍ୱୟଂ ଭଗବାନଙ୍କ ବେଶ ଧାରଣ କରି ଅଯୋଧ୍ୟା ନଗରୀ ଭ୍ରମଣ କରୁଛନ୍ତି । ପ୍ରଭୁ ରାମଙ୍କ ସହିତ ଅଛନ୍ତି ଦେବୀ ସୀତା ଏବଂ ଭାଇ ଲକ୍ଷ୍ମଣ । କଳାକାରଙ୍କୁ ଭଗବାନଙ୍କ ରୂପରେ ଦେଖି, ଆହୁରି ବିଭୋର ହୋଇଯାଉଛନ୍ତି ଶ୍ରଦ୍ଧାଳୁ ।

ନଗରୀର ସ୍ଥାନେ ସଜାଯାଇଛି ମଂଚ । କେଉଁଠି ଭକ୍ତ ଭାବରେ ବିଭୋର ହୋଇ ନାଚୁଛନ୍ତି । ଆଉ କେଉଁଠି ଶ୍ରଦ୍ଦାଳୁ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଚାହିଁ ରହିଛନ୍ତି । କେବଳ ଅଯୋଧ୍ୟା କାହିଁକି ସାରା ଭାରତରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ ।