କନକ ବ୍ୟୁରୋ: ଲେଦର ବଲ କଣ ତାଙ୍କୁ ଜଣା ନଥିଲା । ଟେନିସ ବଲରେ କ୍ରିକେଟ ଖେଳିବା ସହ ଭଡାରେ ଅନ୍ୟ ଦଳ ପାଇଁ ଖେଳୁଥିଲେ କ୍ରିକେଟ । ଏହାସହ ୨୫୦ ଟଙ୍କା ପାଇଁ ରଣଜୀ ଖେଳାଳିଙ୍କୁ କରୁଥିଲେ ବୋଲିଂ । ଆଉ ଏବେ ସେହି ୨୫୦ ଟଙ୍କାର ପରିଶ୍ରମର ମୂଲ୍ୟ ରଖିଛନ୍ତି ଭାରତର ଯୁବ ଖେଳାଳି ନବଦୀପ ସାଇନୀ ।
Advertisment
୨୦୧୩ ମସିହା, ଦିଲ୍ଲୀରେ ରଣଜୀ ଖେଳାଳିଙ୍କର ଚାଲିଥାଏ ନେଟ ପ୍ରାକ୍ଟିସ । ଆଉ ଏଠାରେ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବା ପାଇଁ ବାହାରୁ ଭଡାରେ ବୋଲରମାନଙ୍କୁ ଆଣାଯାଇଥିଲା । ଭଡାରେ ଆସିଥିବା ବୋଲରଙ୍କୁ ମାତ୍ର ୨୫୦ ଟଙ୍କା ଦିଆଯାଉଥିଲା । ଏହି ସମୟରେ ହରିୟାଣାର କର୍ଣ୍ଣାଲରୁ ଆସିଥିବା ଜଣେ ୨୧ ବର୍ଷିୟ ଯୁବକ ବୋଲିଂ କରୁଥିବାର ନଜର ଆସିଥିଲେ । ଲେଦର ବଲର ଅଭିଜ୍ଞତା ନଥାଇ ମଧ୍ୟ ନିଜ ବୋଲିଂରେ ସେ ସେଠାରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ । ଆଉ ଭଡାରେ ଆସି ଖେଳିଥିବା ଏହି ଖେଳାଳି ହେଉଛନ୍ତି ଯୁବ ଭାରତୀୟ କ୍ରିକେଟର ନବଦୀପ ସାଇନୀ ।
ଏହି ଖେଳ ସମୟରେ ଗୌତମ ଗମ୍ଭୀରଙ୍କ ନଜରକୁ ଆସିଥିଲେ ନବଦୀପ ସାଇନୀ । ଆଉ ଗୌତମ ଗମ୍ଭୀର ସାଇନୀଙ୍କୁ ହଳେ ଜୋତା ଦେବା ସହ ସବୁବେଳେ ନେଟ୍ସକୁ ଆସି ପ୍ରାକ୍ଟିସ କରିବାକୁ କହିଥିଲେ । ଏହିଠାରୁ ଆରମ୍ଭ ହୋଇଥିଲା ସାଇନୀଙ୍କ କ୍ରିକେଟ କ୍ୟାରିୟର । ପରେ ସାଇନୀଙ୍କୁ ଦିଲ୍ଲୀ ରଣଜୀରେ ସାମିଲ କରିବାକୁ ଚୟନକର୍ତ୍ତାଙ୍କୁ ପ୍ରସ୍ତାବ ଦେଇଥିଲେ ଗମ୍ଭୀର, ହେଲେ ଏହି ପ୍ରସ୍ତାବକୁ ଅଣଦେଖା କରିଥିଲେ ଚୟନକର୍ତ୍ତା । କିଏ ବା ଜାଣିଥିଲା ଏହି ଖେଳାଳି ଦିନେ ଭାରତୀୟ ଟିମର ଭବିଷ୍ୟତ ହୋଇ ଆଗକୁ ଆସିବ ।
ବହୁ ବାଦ ବିବାଦ ପରେ ଶେଷରେ ସାଇନୀଙ୍କୁ ଦିଲ୍ଲୀ ରଣଜୀ ଦଳରେ ସାମିଲ କରାଇବାରେ ସଫଳ ହୋଇଥିଲେ ଗମ୍ଭୀର । ସେହି ୨୦୧୩ ମସିହାରେ ସାଇନୀ ଦିଲ୍ଲୀ ପାଇଁ ପ୍ରଥମ ରଣଜୀ ମ୍ୟାଚ ଖେଳିଥିଲେ । ନିଜ ବୋଲିଂରେ ଅନେକ ଦକ୍ଷ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇଥିଲେ ସାଇନୀ । ପରେ ୨୦୧୭ରେ ଭାରତ ଏ ଦଳରେ ସାମିଲ ହୋଇଥିଲେ । ନିଜର ଦମଦାର ପ୍ରଦର୍ଶନ ବଳରେ ପରେ ଆଅପିଏଲ ସାମିଲ ହୋଇଥିଲେ ସାଇନୀ । ଏଥିରେ ସେ ଭାରତୀୟ ଟିମର ଦୃଷ୍ଟି ଆକର୍ଷଣ କରିଥିଲେ । ଭଲ ପ୍ରଦର୍ଶନ ଯୋଗୁଁ ୨୨ ଡିସେମ୍ବର ୨୦୧୯ରେ ସାଇନୀ କଟକର ବାରବାଟୀ ଷ୍ଟାଡିୟମରେ ଦିନିକିଆରେ ଡେବ୍ୟୁ କରିଥିଲେ ।
ଭାରତୀୟ ଟିମରେ ସାଇନୀ ସ୍ଥାନ ପାଇବା ପରେ ଗୌତମ ଗମ୍ଭୀର ଏକ ଟ୍ୱିଟ କରିଥିଲେ । ଏଥିରେ ନବଦୀପ ସାଇନୀଙ୍କୁ ଅଣଦେଖା କରିଥିବା ଡିଡିସିଏର କିଛି ସଦସ୍ୟଙ୍କୁ ତାଙ୍କ ସଫଳତା ବିଷୟରେ ଅବଗତ କରାଇଥିଲେ । ଯେଉଁ ଯୁବକ ଦିନେ ୨୫୦ ଟଙ୍କା ପାଇଁ ଭଡାରେ ଖେଳିବାକୁ ଯାଉଥିଲେ ଆଜି ସେହି ଯୁବକ ଭାରତୀୟ କ୍ରିକେଟ ଟିମର ଭବିଷ୍ୟତ ଭାବରେ ଉଭା ହୋଇଛନ୍ତି ।