ହରିୟାଣା ସରକାର ଆଣିଲେ ‘ରାଇଟ୍ ଟୁ ରିକଲ’ ଆଇନ । ପ୍ରଥମେ ସରପଞ୍ଚଙ୍କ ଉପରେ ଏହା ଲାଗୁ କରାଯିବ । ସରପଞ୍ଚଙ୍କ ବିରୋଧରେ ୩୩ ପ୍ରତିଶତ ଭୋଟର ଦସ୍ତଖତ କରି ବିଡିଓଙ୍କୁ ଦେଲେ ଗାଦିଚ୍ୟୁତ ହେବେ ସରପଞ୍ଚ

574

କନକ ବ୍ୟୁରୋ : ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭୋଟ ପାଇ ନିର୍ବାଚିତ ହେବା ପରେ ଜଣେ ପ୍ରତିନିଧି ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ କ୍ଷମତାରେ ରହିଥା’ନ୍ତି । ଏହି ଅବଧି ପୂରଣ ନହେବା ଯାଏ ତାଙ୍କୂୁ କ୍ଷମତାରୁ ହଟାଯାଇ ପାରିବ ନାହିଁ । ହେଲେ ଏବେ ଦେଶର ପ୍ରଥମଥର ପାଇଁ ହରିଆଣା ସରକାର ଏମିତି କିଛି ଆଇନ ଆଣିଛନ୍ତି ଯେଉଁ ଆଇନ ବଳରେ କି ଭୋଟର ମାନେ ସେମାନଙ୍କ ନିର୍ବାଚିତ ପ୍ରତିନିଧିଙ୍କୁ ଚାହିଁଲେ ଅବଧି ପୂର୍ବରୁ ହଟାଇପାରିବେ । ଏହି ଆଇନକୁ ରାଇଟ୍ ଟୁ ରିକଲ କୁହାଯାଉଛି । ଏହି ଐତିହାସିକ ବିଧେୟକ ହରିଆଣା ବିଧାନସଭାରେ ଗୃହିତ ହୋଇଛି । ଶନିବାର ରାଜ୍ୟ ବିଧାନସଭାରେ କୌଣସି ସରପଞ୍ଚଙ୍କୁ କାର୍ଯ୍ୟକାଳ ପୁରିବା ପୂର୍ବରୁ ହଟାଇବା ପାଇଁ ଭୋଟରଙ୍କୁ ରାଇଟ୍ ଟୁ ରିକଲର ଅଧିକାର ପ୍ରଦାନ କରାଯାଇଛି । ଏନେଇ ରାଜ୍ୟ ସରକାର ପଞ୍ଚାୟତରାଜ ଆଇନର ସଂଶୋଧନ ଆଣିଛନ୍ତି । ଜନନାୟକ ଜନତା ପାର୍ଟିର ମୁଖ୍ୟ ତଥା ହିରିୟାଣା ସରକାରର ଉପମୁଖ୍ୟମନ୍ତ୍ରୀ ଥିବା ଦୁଷ୍ମନ୍ତ ଚୌତାଲା ବିଧାନସଭାରେ ଏଭଳି ବିଧେୟକ ଆଗତ କରିବା ପରେ ଏହା ବହୁମତ ପାଇ ଗୃହିତ ହୋଇଛି । ଏହି ଆଇନ ବଳରେ ଯଦି ପଞ୍ଚାୟତବାସୀ ସରପଞ୍ଚଙ୍କ କାର୍ଯ୍ୟରେ ସନ୍ତୂୁଷ୍ଟ ନୁହନ୍ତି ତେବେ ୩୩ ପ୍ରତିଶତ ମତଦାତାଙ୍କ ଦସ୍ତଖତ କ୍ରମେ ସରପଂଚଙ୍କୁ ତାଙ୍କ ପଦରୁ ହଟାଇବାକୁ ନୋଟିସ୍ କରାଯିବ ।  ଏହା ପରେ ତାଙ୍କୁ ତାଙ୍କ ପଦରୁ ବହିସ୍କାର କରାଯିବ ।

ବିଧାୟକ ଓ ସାଂସଦ ମାନଙ୍କ କ୍ଷେତ୍ରରେ ଏହି ଆଇନ ଲାଗୁ କରିବାକୁ ଜନଲୋକପାଳ ବିଲ୍ ରେ ଲିଖିତ ରହିଛି । ଏହା ସହ ଏଭଳି ଆଇନ ପ୍ରଣୟନ କରିବାକୁ ଲୋକମାନେ ଦୀର୍ଘକାଳ ହେବ ଦାବି କରିଆସୁଥିଲେ ବି ଏନେଇ କିଛି ନିଷ୍ପତ୍ତି ହୋଇପାରୁ ନାହିଁ । ହେଲେ ହରିୟାଣା ସରକାର ଏଭଳି ଏକ ଆଇନ ଆଣି ମାର୍ଗ ଦର୍ଶକ ସାଜିଛନ୍ତି ।

ଏହି ଆଇନ ଗୃହିତ ହେବା ପରେ ଏହା ଭାରତୀୟ ଗଣତନ୍ତ୍ର ତଥା ପଞ୍ଚାୟତିରାଜ୍ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ବୋଲି ଚୌଟାଲା କହିଛନ୍ତି । ଏହି ରାଇଟ୍ ଟୁ ରିକଲ ଆଇନ ମୁତାବକ ପଞ୍ଚାୟତର ୩୩ ପ୍ରତିଶତ ଭୋଟର ଯଦି ସରପଞ୍ଚଙ୍କ ବିରୋଧରେ ଦସ୍ତଖତ କରି ବିଡିଓ, ପଞ୍ଚାୟତ ଅଧିକାରୀ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ । ଏହା ପରେ ଗ୍ରାମସଭା ଆହ୍ୱାନ କରାଯାଇ ଏହା ଉପରେ ବିଚାର ବିମର୍ଷ କରାଯିବ । ଏହି ଆଲୋଚନା ନରେ ମତଦାତା ଗୁପ୍ତ ଭୋଟିଂ ମାଧ୍ୟମରେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିବେ । ସରପଞ୍ଚଙ୍କ ବିରୋଧରେ ଯଦି ୬୭ ପ୍ରତିଶତରୁ ଅଧିକ ଭୋଟ ପଡେ ତେବେ ତାଙ୍କୁ ଗାଦିଚ୍ୟୁତ୍ କରାଯିବ ।  ଏହା ବ୍ୟତିତ ଏହି ଆଇନ ମୁତାବକ ସରପଞ୍ଚ ଯଦି ଗୋଟିଏ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବେ ତେବେ ତାଙ୍କୁ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ପଦରୁ ହଟାଯାଇ ପାରିବ । ସରପଞ୍ଚଙ୍କ ବିରୋଧରେ ଦୁଇ- ତୃତୀୟାଂଶ ଭୋଟ ଗୃହୀତ ହେବା ଆବଶ୍ୟକ ।