ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଫଳାଫଳ : ଓଡ଼ିଶାରୁ ଶୀର୍ଷରେ ରହିଛନ୍ତି ଶିବାଶିଷ ରାଉତ

1,140

କନକ ବ୍ୟୁରୋ : ଜେଇଇ ଆଡଭାନ୍ସ ୨୦୨୦ର ଫଳାଫଳ ଆଜି ଆଇଆଇଟି-ଦିଲ୍ଲୀ ଦ୍ୱାରା ଘୋଷଣା କରାଯାଇଛି । କମନ୍ ରାଙ୍କ୍ ଲିଷ୍ଟ (ସିଆରଏଲ)ରେ ୭୩ ନମ୍ବର ସହିତ ଶିବାଶିଷ ରାଉତ ଓଡ଼ିଶାରୁ ଶୀର୍ଷରେ ରହିଛନ୍ତି। ଏହା ସହ ଜେଇଇ ଆଡଭାନ୍ସଡ୍ ୨୦୨୦ ରେ କମନ୍ ରାଙ୍କ୍ ଲିଷ୍ଟ (ସିଆରଏଲ)ରେ ଚିରାଗ ଫାଲୋର ୧ନମ୍ବରରେ ରହିଛନ୍ତି । ସେ ୩୯୬ ନମ୍ବର ମଧ୍ୟରୁ ୩୫୨ନମ୍ବର ହାସଲ କରିଛନ୍ତି । ଚିରାଗ ଆଇଆଇଟି ବମ୍ବେ ଜୋନରୁ ଆସିଥିଲେ ।

ଆଇଆଇଟି ରୁର୍କି ଜୋନର କନିଷ୍କା ମିତ୍ତଲ ସିଆରଏଲ-୧୭ରେ ରହି ଛାତ୍ରୀମାନଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି। ସେ ୩୯୬ ନମ୍ବର ମଧ୍ୟରୁ ୩୧୫ ନମ୍ବର ହାସଲ କରିଛନ୍ତି । ଚଳିତ ବର୍ଷ କୌଣସି ଛାତ୍ରୀ ଜେଇଇ ଆଡଭାନ୍ସଡ୍ ୨୦୨୦ର ଟପ୍ ୧୦ରେ ସ୍ଥାନ ପାଇବାରେ ସଫଳ ହୋଇ ନଥିବା ଜଣାପଡ଼ିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ ‘ନିଶଙ୍କ’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ର-ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ jeeadv.ac.in ରେ ଅନଲାଇନରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ | ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ରୋଲ୍ ନମ୍ବର ଏବଂ ପାସୱାର୍ଡ ବ୍ୟବହାର କରି ସେମାନେ ସେମାନଙ୍କର ସ୍କୋରକାର୍ଡ ଏବଂ ରାଙ୍କ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ଜେଇଇ ଆଡଭାନ୍ସଡ ୨୦୨୦ ପରୀକ୍ଷା ପ୍ରାୟ ୧.୫ ଲକ୍ଷ ଛାତ୍ର-ଛାତ୍ରୀ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ୪୩୨୦୪ ଜଣ ଛାତ୍ର-ଛାତ୍ରୀ ପାସ୍ କରିଛନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର-ଛାତ୍ରୀମ‌ାନେ ଜେଓଏସଏଏ କାଉନସେଲିଂ ପାଇଁ ପଞ୍ଜୀକୃତ ହେବେ ଯାହା ଆସନ୍ତାକାଲିଠାରୁ ଆରମ୍ଭ ହେବ ।