କନକ ବ୍ୟୁରୋ: “ଦେଶରେ ଷଷ୍ଠ ଚରଣ ନିର୍ବାଚନ ସରିଲାଣି । ମୋ ପାଖରେ ୫ଟି ପର୍ଯ୍ୟାୟ ନିର୍ବାଚନର ରିପୋର୍ଟ ରହିଛି । ୫ମ ଚରଣ ସୁଦ୍ଧା ନରେନ୍ଦ୍ର ମୋଦୀ ୩୧୦ ସିଟ୍ ଜିତି ସରକାର କରିସାରିଲେଣି । ୬ଷ୍ଠ ଏବଂ ୭ମ ପର୍ଯ୍ୟାୟ ନିର୍ବାଚନରେ ଏହା ୪ ଶହ ପାର୍ କରିବ । ଏଥର ଓଡିଶାରେ ବିଜେପି ୧୭ ଲୋକସଭା ସିଟ୍ ଜିତିବ । ୭୫ ବିଧାୟକଙ୍କ ସହ ଓଡିଶାରେ ବିଜେପି ସରକାର ଗଢିବାକୁ ଯାଉଛି”, ମଙ୍ଗଳବାର ଭଦ୍ରକ ଚାନ୍ଦବାଲିରେ ବିଜୟ ସଙ୍କଳ୍ପ ସମାବେଶକୁ ସମ୍ବୋଧିତ କରି କିଛି ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହା ।

ଏଥିସହ ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ଜୁନ୍ ୪ରେ ଫଳାଫଳ ଆସିବ ଏବଂ ନବୀନ ବାବୁ ମୁଖ୍ୟମନ୍ତ୍ରୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେଇଯିବେ । ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଓଡିଆ କହିପାରୁଥିବ, ଯୁବ ମୁଖ୍ୟମନ୍ତ୍ରୀ ହେଇଥିବ, ଜଗନ୍ନାଥଙ୍କ ଭକ୍ତ ହେଇଥିବ ବୋଲି କହିଛନ୍ତି ଶାହା । ଏଥିସହ ୨୫ ବର୍ଷ ପରେ ଓଡିଶାକୁ ଓଡିଆ କହୁଥିବା, ଲେଖୁଥିବା ମୁଖ୍ୟମନ୍ତ୍ରୀ ମିଳିବାକୁ ଯାଉଛି ।

ଓଡିଶାର ଶାସନ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚଲେଇବା ଦରକାର ନା ତାମିଲ ବାବୁ ଚଲେଇବା ଦରକାର ବୋଲି ପ୍ରଶ୍ନ କରିବା ସହ, ଏ ନିର୍ବାଚନ ଓଡିଆ ଅସ୍ମିତାର ନିର୍ବାଚନ, ଓଡିଆ ଭାଷା, ଓଡିଆ ସାହିତ୍ୟ, ଓଡିଆ ଗୌରବ, ଓଡିଆ କଳା ଏବଂ ଉକ୍ରଳ ପ୍ରଦେଶର ସ୍ୱାଭିମାନର ନିର୍ବାଚନ ବୋଲି କହିଛନ୍ତି ଶାହା । ଖାଲି ସେତିକି ନୁହେଁ , ବିଜେପି ଆସିଲେ ବାବୁଙ୍କ ଜାଗାରେ ଆପଣଙ୍କ ଜନସେବକ ଏଠାରେ ଶାସନ କରିବ ବୋଲି ଶାହା କହିଛନ୍ତି ।

ଶାହା କହିଛନ୍ତି, “ବିଜେଡି ୨୫ ବର୍ଷର୍ରେ ଓଡିଶାର ବିକାଶ ପାଇଁ କିିଛି ବି ହେଇନି । ଓଡିଶା ଦେଶର ଏକ ସମୃଦ୍ଧ ରାଜ୍ୟ । ଏହାର ମାଟି ତଳେ ଅନେକ ଖଣିଜ ପଦାର୍ଥ ଅଛି, ନଦୀ ଅଛି । ହେଲେ ଓଡିଆ ଲୋକ କିନ୍ତୁ ଗରିବ ରହିଯାଇଛନ୍ତି । ଏଥିପାଇଁ ଦୋଷୀ ହେଉଛନ୍ତି ନବୀନ ବାବୁ । ସମଗ୍ର ଓଡିଶାରୁ ଲକ୍ଷ ଲକ୍ଷ ଓଡିଆ ଶ୍ରମିକ କାମ ପାଇଁ ବାହାରକୁ ଯାଉଛନ୍ତି । ହେଲେ ବିଜେପି ସରକାର ଆସିଲେ ଓଡିଶାରେ ଇଣ୍ଡଷ୍ଟ୍ରୀ ହେବ, ଆଉ କାହାକୁ ବାହାରକୁ ଯିବାକୁ ପଡିବନି ।”

ଶେଷରେ ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଚାବି ପ୍ରସଙ୍ଗ ଉଠାଇ ଓଡିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶାହା । କହିଛନ୍ତି, ଭଗବାନ ଜଗନ୍ନାଥଙ୍କ ଚାରିଦ୍ୱାର ଖୋଲୁନି । ଭଗବାନଙ୍କ ରତ୍ନଭଣ୍ଡାରର ଅସଲ ଚାବି କେଉଁଠି ଅଛି, ନବୀନ ବାବୁ ଓଡିଶାର ଲୋକଙ୍କୁ ଜବାବ ଦିଅନ୍ତୁ । ଏଥିସହ ନକଲି ଚାବି ତିଆରି ହେଇଛି କି ନାହିଁ ? ଯାଞ୍ଚ ଆୟୋଗ ରିପୋର୍ଟ କାହିଁକି ସାର୍ବଜନୀନ ହେଇନି ? ବୋଲି ପ୍ରଶ୍ନ କରିବା ସହିତ ଓଡିଶାରେ ବିଜେପି ସରକାର ଆସିଲେ ଗୋଟିଏ ମାସ ଭିତରେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସାର୍ବଜନୀନ କରିବୁ ବୋଲି ଶାହା କହିଛନ୍ତି ।

ବିଜେପି ସରକାରକୁ ଆସିଲେ ୪ ମାସରେ ଭଦ୍ରକରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ହେବା ସହିତ ସେଠାରେ ଥିବା ସ୍ୱଂୟଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବ । ଏଥିସହ ବର୍ଷେ ଭିତରେ ଭଦ୍ରକରେ ଟେକ୍ସଟାଇଲ୍ ପାର୍କ ତିଆରି ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।